ମାଲକାନଗିରି/କୋରକୁଣ୍ଡା, ୨।୧୧(ଆପ୍ର ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ।ଶନିବାର ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେମାନେ ଇସ୍ତଫା ପତ୍ର ପଠାଇଛନ୍ତି। କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ମାନସି ପଡିଆମୀଙ୍କ ସହ ସମିତିସଭ୍ୟା ରିନା ମାଡକାମୀ ଓ ଦଳର ସଭ୍ୟ ଇର୍ମା ମାଡି, ପଦିଆ ସୋଡି, ମଦାନୀ ପାମିଆ,ପର୍ଶୁରାମ ଖେମୁଣ୍ଡୁ, ଲଇଛନ ଶିଶା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଏହି ୭ଜଣ ଙ୍କ ବିଜେଡି ଦଳରୁ ଇସ୍ତଫା ଦେବା ସମ୍ପର୍କରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ପଚାରିବାରୁ ସେ କହିଛନ୍ତି ଏ ସମ୍ପର୍କ ରେ ମୋ ନିକଟରେ କିଛି ଖବର ନାହିଁ, ମୋ’ ନିକଟକୁ ସେମାନଙ୍କ ଇସ୍ତଫା ପତ୍ର ଆସିନାହିଁ। କୋରକୁଣ୍ଡା ବ୍ଲକରେ ଦଳ ମଧ୍ୟରେ କିଛି ସଦସ୍ୟ ଅସନ୍ତୋଷ ଥିବାର ସୂଚନା ମିଳିଛି ବୋଲି ଶ୍ରୀ ମାଡକାମୀ କହିଛନ୍ତି।