କେସିଙ୍ଗା,୧୯|୩(ଆପ୍ର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ବିକାଶ ଯେଉଁ ଭଳି ଭାବେ ଅଗ୍ରଗତି ହେବା କଥା ତାହା ହୋଇପାରି ନାହିଁ । କେସିଙ୍ଗା ସହରରେ କଳାହାଣ୍ଡି ଜିଲ୍ଲାର ଏକ ସର୍ବପୁରାତନ ରେଲୱେ ଷ୍ଟେସନ ହୋଇଥିଲେ ମଧ୍ୟ ସିଧାସଳଖ ଭାବେ ରାଜଧାନୀ ଭୁବନେଶ୍ୱରକୁ ଯିବା ପାଇଁ ରେଳ ସୁବିଧା ନାହିଁ। ଏହି ଅଞ୍ଚଳର ଲୋକେ ରାଜଧାନୀ ଭୁବନେଶ୍ୱରକୁ ଟ୍ରେନ ଯୋଗେ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ସେହିପରି କେସିଙ୍ଗା ସହରରେ ରେଲୱେ ଓଭର ବ୍ରିଜ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହେଉଛି ।
ଦୁଇ ଗୋଟି ମୁଖ୍ୟ ପ୍ରସଙ୍ଗ କେସିଙ୍ଗା ରୁ ସିଧାସଳଖ ଭୁବନେଶ୍ୱର ପର୍ଯ୍ୟନ୍ତ ରେଳ ସେବା ସୁବିଧା ଓ କେସିଙ୍ଗା ରେ ବାଇପାସ୍ ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀର୍ଘ ଦିନ ହେଲା ସରକାରଙ୍କ ଠାରେ ଦାବି ଉପସ୍ଥାପନ ହୋଇଆସୁଛି । ହେଲେ ଅଞ୍ଚଳବାସୀଙ୍କ ଦାବି ପୂରଣ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଉପରୋକ୍ତ ଦାବିକୁ ନେଇ କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ମାଳବିକା କେଶରୀ ଦେଓ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ଜରିଆରେ କେନ୍ଦ୍ର ସରକାରଙ୍କର ଠାରେ ଦାବି ଉପସ୍ଥାପନ କରିବେ। କେସିଙ୍ଗା ସଚେତନ ନାଗରିକ ମଞ୍ଚର ଏକ ୭ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ଉଭୟ ସାଂସଦ ଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଆଲୋଚନା କରିବା ସହିତ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି ।
ସଚେତନ ନାଗରିକ ମଞ୍ଚର ସଭାପତି ଉତ୍ତର ମହଲାଙ୍କ ନେତୃତ୍ବରେ ମଞ୍ଚର ଉପସଭାପତି ତଥା ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ସାଧାରଣ ସଂପାଦକ ଟିକେମନ ଦୀପ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାମୀ,ବରିଷ୍ଠ ସାମ୍ବାଦିକ ଗଜିନ୍ଦ୍ର ସାହୁ ଓ ମଞ୍ଚର ସଦସ୍ୟ ବସନ୍ତ ନାଏକ ଦିଲ୍ଲୀ ଗସ୍ତ କରିଛନ୍ତି। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ସେଠାରେ ଚାରି ଦଫା ଦାବୀ ଉପରେ ସାଂସଦ ସୁଜିତ କୁମାର ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଯାଇ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ର ବ୍ୟବସ୍ଥା ପାଇଁ ସ୍ଥିରୀକୃତ କରାଯାଇଥିଲା।
ସେହିପରି ମଞ୍ଚର ପ୍ରତିନିଧି ଦଳ ଲୋକସଭା ସାଂସଦ ମାଳବିକା କେଶରୀ ଦେଓ ଙ୍କୁ ମଧ୍ୟ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରି ଦାବି ଉପସ୍ଥାପନ କରିଛନ୍ତି । ସାଂସଦ ଶ୍ରୀମତି ଦେଓ ଉପରୋକ୍ତ ଦାବି ଗୁଡ଼ିକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ଏବଂ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ମଞ୍ଚର ସଦସ୍ୟ ମାନଙ୍କୁ ନେଇ ଆଲୋଚନା କରାଯିବା ପାଇଁ ବୋଲି କହିଛନ୍ତି ।