ମୁମ୍ବାଇ,୦୩/୦୮: ସୋସିଆଲ ମିଡ଼ିଆ ଏକ ଭିଡ଼ିଓ ବେଶ୍ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବିଦେଶୀ ପର୍ଯ୍ୟଟକ ଅଳିଆ ଉଠାଉଛନ୍ତି। ଯାହାକୁ ନେଇ ଭାରତୀୟଙ୍କ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି। ଏଥିସହ ଉପରେ ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ନୈତିକ ଦାୟିତ୍ୱର ଅଭାବକୁ ସମାଲୋଚନା କରି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଜଣେ ବିଦେଶୀ ଏକ ଜଳପ୍ରପାତ ପାଖରେ ଅଳିଆ ଉଠାଉଛନ୍ତି ଏବଂ କିଛି ଭାରତୀୟ ପର୍ଯ୍ୟଟକ ଏଣେତେଣେ ବୁଲାବୁଲି କରୁଛନ୍ତି।
ଅଳିଆ ପ୍ରତି ଭାରତୀୟଙ୍କ ମନରେ କୌଣସି ଭାବନା ସୃଷ୍ଟି ହେଉ ନାହିଁ। ସ୍ଥାନଟି ସଫା କରିବା ପରେ,ବିଦେଶୀ ଜଣକ କ୍ୟାମେରା ଆଡ଼କୁ ମୁହଁ ଫେରାଇ କହୁଛନ୍ତି, ହୁଏତ ଯଦି ମୋ ପାଖରେ ଗୋଟିଏ ଦିନ ଥାଆନ୍ତା, ତେବେ ମୁଁ ଏଠାରେ ବସି ଲୋକଙ୍କୁ କହିଥାନ୍ତି, ଏହାକୁ ଉଠାଅ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହା ନିଜେ କରିବି। ମୋର କାହାକୁ କହିବାର ଆବଶ୍ୟକତା ନାହିଁ। ତା'ପରେ ସେ ଅଳିଆ ସଫା କରିବାକୁ ଲାଗିଥିବାର ଦେଖାଯାଉଛି। କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରିରେ ସେହି ବ୍ୟକ୍ତିଙ୍କ ଭିଡିଓ ସେୟାର କରି ନିଜର ନିରାଶା ଭାବ ପ୍ରକାଶ କରି ଲେଖିଛନ୍ତି, "ଲଜ୍ଜାଜନକ।" । ଭିଡିଓଟି ଅନଲାଇନରେ ସେୟାର ହେବା ପରେ, ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଅନେକ ଭାରତୀୟ ପର୍ଯ୍ୟଟକଙ୍କ 'ସିଭିକ ସେନ୍ସ'ର ଅଭାବକୁ ସମାଲୋଚନା କରିଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ମନ୍ତବ୍ୟ ଦେଇଛନ୍ତି, ଅନେକ ଥର କୁହାଯାଇଛି, ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ପୁଣି ଥରେ ପ୍ରମାଣିତ ହେଲା। ଏହା ସରକାରଙ୍କ ଦୋଷ ନୁହେଁ, କିନ୍ତୁ ଭାରତରେ ଅଳିଆ ସମସ୍ୟା ଭାରତୀୟମାନଙ୍କର।