ଭୁବନେଶ୍ୱର, ୦୧/୦୩: କର୍ମଜୀବୀ ମହିଳାଙ୍କ ଶିଶୁ ଚିନ୍ତା ଦୂର କରିବେ ରାଜ୍ୟ ସରକାର । ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେବାକୁ ଯାଉଛି ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍) ଲାଗି କଳିକା ପଲିସି । ଏହାର ଡ୍ରାଫ୍ଟିଂ ସରିଥିବା ବେଳେ ଜନସାଧାରଣଙ୍କ ମତ ଲୋଡିଛି ମହିଳା ଓ ଶିଶୁ ବିକାଶ ବିଭାଗ । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କ୍ରେଚ୍ ଏହି ପଲିସି ଆଧାରରେ ପରିଚାଳିତ ହେବ ।
କର୍ମଜୀବୀ ମହିଳାଙ୍କୁ ସହଯୋଗ କରିବା, ଶିଶୁ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା, ଅର୍ଥନୀତିରେ ମହିଳାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଏବଂ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷାକୁ ସହଜ କରିବା ଏହି ନୀତିର ମୂଳ ଉଦ୍ଦେଶ୍ୟ । ଏହା ଦ୍ୱାରା ପରିଚାଳିତ କ୍ରେଚ୍ଗୁଡିକରେ ୬ ମାସରୁ ୬ ବର୍ଷ ଶିଶୁଙ୍କ ଲାଳନପାଳନ ବ୍ୟବସ୍ଥା ଉପଲବ୍ଧ ହେବ । ଏଠାରେ ଶିଶୁମାନଙ୍କ ବାଲ୍ୟ ବିକାଶ, ଖାଦ୍ୟ, ଅଭିବୃଦ୍ଧି ମନିଟରିଂ, ନିଦ୍ରା ଓ ବିଶ୍ରାମ, ସ୍ୱାସ୍ଥ୍ୟ ଏବଂ ସ୍ୱତନ୍ତ୍ର ଯତ୍ନ ପ୍ରଦାନ କରାଯିବ । କର୍ମଜୀବୀ ତଥା ଏକାକୀ ମା’ ଓ ଅଭିଭାବକମାନେ ଏଠାରେ ନିଜର ଶିଶୁଙ୍କୁ ଚିନ୍ତାମୁକ୍ତ ହୋଇ ଛାଡିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକସେବା ଭବନ ପରିସରରେ ଏକ କ୍ରେଚ୍ ସେବା ଆରମ୍ଭ ହୋଇଥିଲା।