ମୁମ୍ବାଇ,୧/୩ : ଅମିତାଭ ବଚ୍ଚନ ଏହି ନାଁ ହିଁ ଯଥେଷ୍ଟ । ସାରା ବିଶ୍ବରେ ତାଙ୍କର ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ବଲିଉଡ଼ର ସେହେନଶାହ ନିଜ କ୍ୟାରିୟରରେ ବହୁ ବ୍ଲକବଷ୍ଟର ଫିଲ୍ମ ତାଙ୍କର ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି । ଆଜି ବିଗ୍ ବି ବହୁତ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି । ମାତ୍ର ତାଙ୍କ ଜୀବନରେ ବି ଏମିତି ସମୟ ଆସିଥିଲା ଯେତେବେଳେ ତାଙ୍କୁ ବହୁ ଖରାପ ସମୟ ଦେଇ ଗତି କରିବାକୁ ପଡ଼ିଥିଲା । ଏଭଳି କୁହାଯାଉଥିଲା କି ତାଙ୍କ କ୍ୟାରିୟର ଏଇଠୁ ଶେଷ ହୋଇଗଲା । ସେହି ସମୟରେ ଅଭିନେତାଙ୍କୁ କେବଳ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିନଥିଲା ବରଂ ତାଙ୍କ ବିରୁଦ୍ଧରେ ଅନେକ ଆଇନଗତ ମାମଲା ମଧ୍ୟ ରୁଜୁ ହୋଇଥିଲା । ତଥାପି ହାରିନଥିଲେ ସୁପରଷ୍ଟାର୍ । ପୁଣି କମବ୍ୟାକ୍ କରିଥିଲେ । ତା’ପରେ ଆଉ ପଛକୁ ଚାହିଁ ନାହାନ୍ତି ।
ପ୍ରକାଶ ଯେ, ବୀର ସାଂଘଭିଙ୍କ ସହ ବିଗ୍ ବିଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତକାରରେ ଅମିତାଭ ବଚ୍ଚନ ତାଙ୍କର ଖରାପ ସମୟ ବିଷୟରେ କହିଛନ୍ତି । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ତାଙ୍କ ଘର ମଧ୍ୟ ଜବତ କରାଯିବାରେ ଥିଲା କି ଏହାର ପ୍ରଶ୍ନରେ ସେ କହିଥିଲେ ଆଜ୍ଞା ହଁ ଏହା ସତ୍ୟ ଥିଲା । ତାଙ୍କୁ ପ୍ରାୟ ୯୦କୋଟି ଟଙ୍କା ଦେବାକୁ ଥିଲା ଏବଂ ପ୍ରାୟ ୫୫ଟି ମାମଲା ରୁଜୁ ହୋଇଥିଲା । ପ୍ରତିଦିନ ଋଣଦାତାମାନେ ତାଙ୍କ ଦ୍ବାରକୁ ଆସୁଥିଲେ । ଏହା ବହୁତ ଲଜ୍ଜାଜନକ ଥିଲା ।
ଯେଭଳି ତାଙ୍କ ଏବିସିଏଲ୍ କମ୍ପାନୀ ବନ୍ଦ ହୋଇଗଲା ତାଙ୍କ ଅଭିନୟ କ୍ୟାରିୟର ବି ବନ୍ଦ ହୋଇଯାଇଥିଲା । ଏହି ସାକ୍ଷାତକାରରେ ସେ ଏହି ବିଷୟରେ କହିଥିଲେ କି ଏହି ଘଟଣାଗୁଡ଼ିକ ସାମୁହିକ ଭାବେ ହୋଇଥିଲା । ସେ କହିଥିଲେ କି ଯେତେବେଳେ ଗୋଟିଏ ବିଭାଗରେ କିଛି ଭୁଲ ହୁଏ ସେତେବେଳେ ତୁମ ଚାରିପାଖରେ ଥିବା ଅନ୍ୟ ସବୁକିଛି ଭୁଶୁଡ଼ି ପଡ଼ିଥାଏ । ପରେ ପରେ ତୁମ ଉପରୁ ଲୋକେ ବିଶ୍ବାସ ହରାଇ ଦିଅନ୍ତି , ସେମାନେ ତୁମ ମୁହଁ ଦେଖିବାକୁ ଚାହିଁନଥାନ୍ତି । ତାଙ୍କୁ ଲାଗିଥାଏ କି ତୁମେ ଅଭିନେତା ନୁହେଁ କିମ୍ବା ତୁମେ ଯେଉଁ ଫଲ୍ମ ତିଆରି କରୁଛ ତାହା ଦେଖିବା ଯୋଗ୍ୟ ନୁହେଁ । ଲୋକମାନେ ଭାବନ୍ତି ତୁମେ ଯେଉଁଭଳି ପୋଷାକ ପିନ୍ଧୁଛ, ତୁମେ ଯେଉଁଭଳି ଦେଖାଯାଉଛ ତାହା ଠିକ୍ ନୁହେଁ । ସବୁ କିଛି ଭୁଲ୍ ହୋଇଯାଏ କାରଣ ତୁମ ଜୀବନରେ କିଛି ଭୁଲ୍ ହୋଇଯାଇଛି ଏବଂ ସମସ୍ତେ କହିବାକୁ ଚାହାନ୍ତି ଯେ ଏହା ତୁମ ପାଇଁ ଶେଷ ହୋଇଯାଇଛି ।
ସବୁକିଛି ସହି ଅମିତାଭ ବଚ୍ଚନ ପୁଣି କମବ୍ୟାକ୍ କରିଥିଲେ । ତାହା ଟେଲିଭିଜନ ହିଁ ଥିଲା । ଯାହା ତାଙ୍କୁ ଲାଇଫ୍ ଲାଇନ୍ ଦେଇଥିଲା । ସେ କୋନ ବନେଗା କରୋଡ଼ପତି ହୋଷ୍ଟ କରିବା ଲାଗି ପ୍ରସ୍ତୁତ ହୋଇଥିଲେ ଏବଂ ଏହି ଗୋଟିଏ ନିଷ୍ପତ୍ତି ତାଙ୍କୁ ସବୁ ଅସୁବିଧାରୁ ବାହାର କରିଦେଇଥିଲା । ଶୋର ଅପୂର୍ବ ସଫଳତା ତାଙ୍କୁ ପୁଣି ଥରେ ଷ୍ଟାରଡମ୍ ଦେଇଥିଲା । ପରେ ପରେ ସେ ପୁଣି ଥରେ ଭାରତୀୟ ସିନେମାର ସବୁଠାରୁ ଅଧିକ ଡିମାଣ୍ଡିଂ ଅଭିନେତା ହୋଇଗଲେ । ଆଜି ୮୨ବର୍ଷ ବୟସରେ ବି ଅମିତା ବଚ୍ଚନ କେବିସି ହୋଷ୍ଟ କରୁଛନ୍ତି ଏବଂ ଫିଲ୍ମରେ ବି ଆକ୍ଟିଭ ଅଛନ୍ତି । ଗତ ବର୍ଷ ସେ କଲ୍କି ୨୮୯୮ଏଡି ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ ।