ଲାଞ୍ଜିଗଡ଼,୧୩।୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ସମେତ ଅନେକ ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି।କୋଡ଼ିଏ ଦିନ ତଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବରାପାଲି ଗାଁର ଜଣେ ୪୫ ବର୍ଷୀୟ ଶ୍ରମିକଙ୍କର କେରଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମାତ୍ର କୋଡ଼ିଏ ଦିନ ପରେ ଲାଞ୍ଜିଗଡ଼ ଅଞ୍ଚଳରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁରେ ପହଞ୍ଚିଛି। ପରିବାର ପ୍ରତିପୋଷଣ ପାଇଁ କେରଳର ଏର୍ନାକୁଲମ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ତଳକାଳେଶ୍ଵର ଗାଁର ଯୁବକ ତ୍ରିନାଥ ବିଭାର (୨୧)ଙ୍କ ସୋମବାର ସେଠାରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ତ୍ରିନାଥ ବିଭାର ମାସେ ହେଲା ଏର୍ନାକୁଲମ ଜିଲ୍ଲାକୁ ଯାଇ ଏକ ଘରୋଇ ପ୍ଲାଷ୍ଟିକ କମ୍ପାନୀରେ କାମକରୁଥିଲେ। ଦିନେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ନିକଟସ୍ତ ଆଳୁୱା ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇଥିଲେ। ପରେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ସେ ଘରକୁ ଫେରୁଥିଲେ। ଫେରିବାବେଳେ ଟ୍ରେନରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତ୍ରିନାଥ ତାଙ୍କ ଭିଣୋଇଙ୍କୁ ଫୋନ୍ କରି ଜଣାଇଥିଲେ। ପରେ ତାଙ୍କ ଭିଣୋଇ ପୋଲିସକୁ ଫୋନ୍ କରି ଜଣାଇବାରୁ ବିଜୟୱାଡ଼ା ରେଳୱେଷ୍ଟେସନରୁ ବିଜୟୱାଡା ପୋଲିସ ତାଙ୍କୁ ଜିଲ୍ଲା ଡାକ୍ତରଖାନା ଇଲୁରୁ ଠାରେ ଭର୍ତ୍ତି କରାଇଥିଲେ। ଖବର ପାଇ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ତେବେ ସେହି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୨ ତାରିଖ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ନିଜ ଜନ୍ମମାଟି ତଳ କାଳେଶ୍ଵର ଗାଁକୁ ମଙ୍ଗଳବାର ମରଶରୀର ପହଞ୍ଚିବା ପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ସେ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ପୁଅକୁ ହରାଇ ସାରା ପରିବାର ଭାଙ୍ଗିପଡ଼ିଛନ୍ତି।