ପାଣିକୋଇଲି, ୧୩/୦୫ : ପାଣିକୋଇଲି ଥାନା ଅଧୀନ ସଠିପୁର ଅଞ୍ଚଳରେ ବାଲି ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେଓପଦା ଅଞ୍ଚଳର ଦିପୁ ମଲ୍ଲିକ(୨୦ ବର୍ଷ), ଜୟରାମମଲ୍ଲିକ(୪୭ ବର୍ଷ) ଓ ବିଦ୍ୟାଧର ମଲ୍ଲିକ(୫୨ ବର୍ଷ)। ପୁଲିସ ଅଭିଯୁକ୍ତମାନଙ୍କୁ ଭକଣ୍ଡରି ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି। ପାଣିକୋଇଲି ଥାନା ଅଧୀନ ସଠିପୁର ଅଞ୍ଚଳରେ ଥିବା ବାଲି ଖାଦାନରୁ ବାଲି ବୋଝେଇ କରି ନେଇ ଆସୁଥିବା ଗାଡ଼ି OD22N5982କୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ନେଇ ଜଣେ ହାଇୱା ଚାଳକ ଭଦ୍ରକ ତିହିଡି ଅଞ୍ଚଳର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ବାଲି ଖାଦାନକୁ ଯାଇଥିବା ରାସ୍ତାରେ ଚଢ଼ଉ କରି ତିନି ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା।
ସୂଚନା ଥାଉକି, ବାଲି ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ ଛକରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜଗି ବସି ବିଭିନ୍ନ ଆଳ ଦେଖାଇ ବାଲି ଗାଡ଼ିରୁ ଚାନ୍ଦା ଆଦାୟ କରୁଛନ୍ତି । ସଠିପୁର ଛକ ଠାରୁ ଶାଳବା, ଗମ୍ଭାରିଆ, ମୁକୁନ୍ଦୁପୁର, ସାଆଁଳା ବାଲିଘାଟ ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ମେଳି କରି ଚାନ୍ଦା ଆଦାୟ କରୁଛନ୍ତି । ଘାଟରୁ ବାଲି ବୋଝେଇ କରି ଗାଡ଼ିଗୁଡ଼ିକ ଯେଉଁ ରାସ୍ତା ଦେଇ ଆସୁଥିଲା, ପ୍ରାୟ ବିଭିନ୍ନ ଛକରେ ଗାଡ଼ିରୁ ଚାନ୍ଦା ଆଦାୟ କରାଯାଉଛି। ଗାଡ଼ି ଚାଳକ ମନା କଲେ ଧମକ ଚମକ ଦେଇ ଟଙ୍କା ଛଡ଼ାଇ ନେବା ସହ ସେମାନଙ୍କୁ ମାଡ଼ ମାରୁଛନ୍ତି। ଯାହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ଧାର ହେଲେ ଦୁର୍ବୃତ୍ତ ମେଳି କରି ଗାଡ଼ିଗୁଡ଼ିକ ଅଟକାଇ ମନ୍ଦିର ନିର୍ମାଣ ଓ ଧାର୍ମିକ କାର୍ଯ୍ୟକ୍ରମର ବାହାନା କରି ଗାଡ଼ି ଚାଳକଙ୍କ ଠାରୁ ଟଙ୍କା ନେଉଛନ୍ତି।