ମାଲକାନଗିରି: ପି.ଏମ୍.ଶ୍ରୀଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ଜାନକାରି ବନାଇୟେ-ସତର୍କ ରହିୟେ’ କାର୍ଯ୍ୟକ୍ରମ ଓ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇ ଥିଲା।
‘ଜାନକାରି ବନାଇୟେ-ସତର୍କ ରହିୟେ’ ଏହି ନାରାକୁ ଦେଇ ଛାତ୍ରଛାତ୍ରୀଙ୍କ ଭଳି କୋମଳ ବୟସରୁ ପିଲାମାନେ କିପରି ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ ,ସେଥିପାଇଁ ବହୁ ବିଷୟ ଉପରେ ଆଲୋଚନା କରାଯାଇ ଥିଲା। କାର୍ଯ୍ୟକ୍ରମଟିରେ ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସଞ୍ଚୟ ବିନିଯୋଗ ଆଦି ବହୁ ଦିଗରେ ଜ୍ଞାନ ଲାଭ କରି ଆନନ୍ଦିତ ହୋଇ ଥିଲେ। ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରରୁ ଆଗତ ନୀଳାଞ୍ଚଳ ସୁବୁଦ୍ଧି, ମୁଖ୍ୟବକ୍ତା ଭାବେ ଚକ୍ରଧର ନାଏକ, ସମ୍ମାନିତ ଅତିଥି ଭାବେ ହୀରାନାଥ ପଣ୍ଡା ଓ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇ ଥିଲେ।
ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଅନ୍ୱେଷା ଭରଦ୍ୱାଜ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ କର୍ମକର୍ତ୍ତାଙ୍କ ପକ୍ଷରୁ ପିଲାଙ୍କୁ ନୋଟବୁକ୍, ପେନ୍ ପ୍ରଦାନ କରାଯାଇ ଥିଲା।