ଚନ୍ଦନେଶ୍ୱର, ୧।୪: ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୮ ବର୍ଷ ବିତି ଯାଇଥିଲେ ବି ସୀମାନ୍ତ ଅଞ୍ଚଳରେ ଓଡ଼ିଆମାନେ ଠିକଣା ଖୋଜୁଛନ୍ତି । ବଙ୍ଗଳା ଭାଷାର ପ୍ରାଦୁର୍ଭାବରେ ଓଡ଼ିଆର ଆଦର କ୍ରମଶଃ କମିଯାଉଛି । ସଂସ୍କୃତି, ପରମ୍ପରା ଲୋପ ପାଇବାକୁ ବସିଲାଣି । ଓଡ଼ିଶା ସୀମାନ୍ତ ଗାଁର ପିଲାମାନେ ବଙ୍ଗଳା ପାଠ ପଢ଼ିବା ସହ ଏହି ଭାଷାରେ କଥାବାର୍ତ୍ତା କରୁଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଓ ଜଳେଶ୍ୱର ତହସିଲର ୯୦ଟି ସୀମାନ୍ତ ଗାଁ ସହ ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦୀନିପୁର ଜିଲ୍ଲାର ୮୪ଟି ଗାଁ ଲାଗିଛି । ମାତ୍ର ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସିଠାରେ ସ୍ଥାୟୀ ସୀମା ଚିହ୍ନଟ ହୋଇନାହିଁ । ବାରମ୍ବାର ଉଦୟପୁର ବେଳାଭୂମିକୁ ନେଇ ବିବାଦ ଦେଖା ଯାଉଥିବାରୁ ୨୦୨୩ ଜୁଲାଇ ୬ରେ ବେଳାଭୂମିରୁ ପ୍ରାୟ ୨ଶହ ମିଟର ତାରବାଡ଼ ହୋଇ ସୀମା ଚିହ୍ନଟ ହୋଇଛି । ବାକି ସମସ୍ତ ଅଞ୍ଚଳ ମୁକୁଳା ପଡ଼ିଛି ।
ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତର ଶଙ୍ଖାମେଦି ଏମିତି ଏକ ଗାଁ ଯାହା ପଶ୍ଚିମବଙ୍ଗ ଦଖଲରେ ରହିଛି । ୧୫୦ରୁ ଅଧିକ ପରିବାରର ୫ ଶହ ଲୋକଙ୍କୁ ନେଇ ଏହି ଗାଁ । ପ୍ରାୟ ୩ଶହ ଭୋଟର୍ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଗାଁରେ ବିଦ୍ୟାଳୟ, ୩ଟି ନଳକୂଅ, ରାସ୍ତା, ୧୨୦ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ, ୨୮ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୨୦ ପରିବାରକୁ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ଯୋଗାଇ ଦିଆଯାଇଛି । ମାତ୍ର ଗାଁର ପିଲାମାନେ ବଙ୍ଗଳା ଭାଷାରେ ପାଠ ପଢ଼ିବା ସହିତ ଲୋକେ ୧୯୮୪ରୁ ଏପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ନିର୍ବାଚନରେ ମତଦାନ କରିଆସୁଛନ୍ତି । ଏମାନଙ୍କୁ ଆବାସ ଯୋଜନା ମିଳୁନାହିଁ କି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ମିଳୁନାହିଁ । ଯାହାକୁ ନେଇ ଗାଁ ଲୋକେ ନାନା ହଇରାଣରେ ପଡୁଛନ୍ତି । ପ୍ରଶାସନ କିମ୍ବା ଜନ ପ୍ରତିନିଧି କେବେ ପଦକ୍ଷେପ ନେଇନାହାନ୍ତି । ୨୦୨୦ ନଭେମ୍ବର ୬ରେ ପଶ୍ଚିମବଙ୍ଗ ପ୍ରଶାସନ ସାହାବାଜିପୁର ଗାଁକୁ ଧସେଇ ପଶି ଜେସିବି ଲଗାଇ ଗାଁ ଲୋକଙ୍କୁ ଉଚ୍ଛେଦ ଉଦ୍ୟମ କରିଥିଲା । ଏହା ସେମାନଙ୍କ ଦାଦାଗିରିର ପରିଚୟ ଦେଇଥିଲା । ଅବଶ୍ୟ ସେତେବେଳେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ମାପଚୁପ ହୋଇ ୧୦ଟି ସୀମା ଖୁଣ୍ଟ ପୋତା ଯାଇଥିଲା । ୨୦୨୧ ସେପ୍ଟେମ୍ବର ୭ରେ ଉଦୟପୁର ବେଳାଭୂମିରେ ବଙ୍ଗ ପ୍ରଶାସନ ବେଆଇନ ତଟ ସୁରକ୍ଷା ପ୍ରାଚୀର ନିର୍ମାଣ କଲା । ବିରୋଧ ହେବାରୁ ବଙ୍ଗ ପ୍ରଶାସନ ଉକ୍ତ ପ୍ରାଚୀରକୁ ଭାଙ୍ଗି ଦେବାକୁ ବାଧ୍ୟ ହୋଇଥିଲା ।
ଏହାଛଡ଼ା ଦୀର୍ଘ ବର୍ଷ ହେଲା ସାହାବାଜିପୁର ଗ୍ରାମର ୧୬ ଏକର ୪ ଡେସିମିଲ ଜମିକୁ ନେଇ ଅଧିକ ବିବାଦ ଲାଗି ରହିଛି । ରାଜ୍ୟରେ ୧୯୨୨-୨୩ ମସିହାରେ ରିଭିଜନ ବନ୍ଦୋବସ୍ତ ଓ ୧୯୮୮-୮୯ ମେଜର ସେଟଲମେଣ୍ଟରେ ଏହି ସୀମା ସମସ୍ୟା ସମାଧାନ ହୋଇ ପାରିନଥିଲା । ମାତ୍ର ୨୦୦୬-୦୭ ମସିହାରେ କୋଲକାତା ରାଇଟର୍ସ ବିଲଡିଂରେ ଆଲୋଚନା ହୋଇ ଏହା ଓଡ଼ିଶାରେ ପରିଗଣିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଉଦୟପୁର-ଦୀଘା ସୀମାରେ ଥିବା ବସ୍ଷ୍ଟାଣ୍ଡରୁ ଉଦୟପୁର ଡାକବଙ୍ଗଳାକୁ ଯାତାୟାତ ଲାଗି ୧୯୭୮ ମସିହାରେ ଏକ ସଡ଼କ ପଥ ନିର୍ମାଣ ହୋଇଥିଲା । ରାସ୍ତା ବଙ୍ଗବାସୀଙ୍କ ଦ୍ୱାରା ଜବର ଦଖଲ ହେବାରୁ ପରେ ରାଜ୍ୟ ଲ୍ୟାଣ୍ଡ ରେକର୍ଡସ୍ ଓ ସର୍ଭେ ବିଭାଗ ପକ୍ଷରୁ ସୀମାରେ ସ୍ତମ୍ଭ ନିର୍ମାଣ ଲାଗି ୮୦ହଜାର ଟଙ୍କା ମଞ୍ଜୁର ହୋଇଥିଲା । ୧୯୯୯ ମାର୍ଚ୍ଚ ୧୨ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାବେଳେ ଦୀଘା ଉନ୍ନୟନ କର୍ତ୍ତୃପକ୍ଷ ଏହାକୁ ଭାଙ୍ଗି ଦେଇଥିଲା । ଅତୀତରେ ପଡ଼ୋଶୀ ରାଜ୍ୟର ପଦିମା ଗ୍ରାମକୁ ବିଦ୍ୟୁତ୍ ତାର ଟଣାଯିବାବେଳେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏହାଛଡ଼ା ତାଳସାରୀ ସାମୁଦ୍ରିକ ଥାନା, ଶୌଚାଳୟ ଆଦି ନିର୍ମାଣକୁ ବିରୋଧ କରି ଆସିଛି ପଶ୍ଚିମବଙ୍ଗ ପ୍ରଶାସନ । ଆମ ରାଜ୍ୟ ସରକାର, ଉତ୍କଳ ସମ୍ମିଳନୀ, ଭାଷା ସୁରକ୍ଷା ମଞ୍ଚ ଭଳି ସଂଗଠନ ଏ ଦିଗରେ ଉଚିତ ପଦକ୍ଷେପ ନ ନେଲେ ଷଢ଼େଇକଳା, ଖରସୁଆଁ ଭଳି ଶଙ୍ଖାମେଦିକୁ ସବୁଦିନ ପାଇଁ ହରାଇବାକୁ ପଡ଼ିବ ।