ପ୍ରମୁଖ ଖବର
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଓଡ଼ିଶାରେ ଆନ୍ଧ୍ର ରାଜ୍; ରାଜ୍ୟ ସୀମା ମୁକୁଳା, କୋଟିଆରେ ଚାଲିଛି ତେଲୁଗୁ ଶିକ୍ଷା

କୋରାପୁଟ, ୧।୪: ସୀମା ମୁକୁଳା ପଡ଼ିଛି । ପଡ଼ୋଶୀ ରାଜ୍ୟ ସୀମା ଭିତରକୁ ପଶି ଆସିଛି । ଓଡ଼ିଶାରେ ପଡ଼ିଶା ରାଜ୍ୟ ଶାସନ କରୁଛି । ସେମାନଙ୍କ ଭାଷାରେ ଶିକ୍ଷା ମଧ୍ୟ ଦିଆଯାଉଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି, ବନ୍ଧୁଗାଁ, ନନ୍ଦପୁର ଓ ନାରାୟଣପାଟଣା ବ୍ଲକ୍‌ରେ । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ସୀମାନ୍ତବାସୀ ଆନ୍ଧ୍ର ଭରସାରେ ରହୁଛନ୍ତି । ଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାର ଶାସନ ଚଳାଉଥିବା କହିଲେ ଅତ୍ୟୁକ୍ତି ହେବନି । ଏଠାରେ ଆନ୍ଧ୍ର ସରକାର ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରାସ୍ତା, ପାନୀୟଜଳ, ମୋବାଇଲ୍‌ ନେଟ୍‌ୱାର୍କ ଭଳି ସୁବିଧା ଦେଉଛି । ଏଠାରେ ସୀମା ଓ ଭାଷା ଅସୁରକ୍ଷିତ । ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏହି ଦିଗକୁ କିନ୍ତୁ ଗୁରୁତ୍ୱ ଦେଉନି । ଓଡ଼ିଶା ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆସନ୍ତା ସାଧାରଣ ନିର୍ବାଚନ କରିବା ନେଇ ମଧ୍ୟ ଆନ୍ଧ୍ର ଏଠାରେ ଯୋଜନା କରିଛି । 

ଆସନ୍ତା ମେ’ ୧୩ରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ସୀମା ଅଞ୍ଚଳର ଭୋଟରଙ୍କୁ ନେଇ ସ୍ୱତନ୍ତ୍ର ଶିବିର କରିବାକୁ ଆନ୍ଧ୍ର ଯୋଜନା ରଖିଛି । ଓଡ଼ିଶା ଅପେକ୍ଷା ଆନ୍ଧ୍ର ଏହି ଅଞ୍ଚଳର ବିକାଶ ଦିଗକୁ ଗୁରୁତ୍ୱ ଦେଉଥିବା କହି ଲୋକେ ମଧ୍ୟ ଆନ୍ଧ୍ର ସପକ୍ଷରେ ରହୁଛନ୍ତି । ଏଥିପାଇଁ ଏଠାରେ ଥିବା ଆନ୍ଧ୍ରର ସ୍କୁଲରେ ନିଜ ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷା ଗ୍ରହଣ ପାଇଁ ଲୋକେ ପଠାଉଛନ୍ତି । ପ୍ରକାଶଥାଉ କି, ଏହି ପଞ୍ଚାୟତର ୨୧ଟି ଛୋଟବଡ଼ ଗାଁକୁ ନେଇ ଆନ୍ଧ୍ର ସହ ୧୯୬୮ରୁ ଓଡ଼ିଶାର ସୀମା ବିବାଦ ରହିଛି । ଏ ସମ୍ପର୍କରେ ମାମଲା ବିଚାରାଧୀନ ରହିଛି । ଉଭୟ ରାଜ୍ୟ ନିଜ ମାଲିକାନା ଜାହିର୍‌ କରୁଥିବା ଯୋଗୁ ଫଇସଲା ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଏଭଳି ସ୍ଥିତିରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଟଙ୍କା ବ୍ୟୟରେ ପ୍ରତି ଗାଁକୁ ରାସ୍ତା, ସ୍କୁଲ୍‌ ଘର, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନବାଡ଼ି କେନ୍ଦ୍ର, ମିଶନଶକ୍ତି ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବଜାର ପିଣ୍ଡି, ଥାନା ନିର୍ମାଣ ସମେତ ବିଦ୍ୟୁତ୍‌ ସଂଯୋଗ, ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ଏଥିସହ ଲୋକଙ୍କ ଜୀବନ ଜୀବିକା ବ୍ୟବସ୍ଥା ମଧ୍ୟ କରାଯାଇଛି । ତଥାପି ସ୍ଥାନୀୟ ଲୋକେ ଆନ୍ଧ୍ର ସପକ୍ଷରେ ରହୁଛନ୍ତି ।  

ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ ଓ ନନ୍ଦପୁର ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ନାରାୟଣପାଟଣାରୁ କୋରାପୁଟର ଦୂରତା ପ୍ରାୟ ୮୦ କିମି । ହେଲେ ଆନ୍ଧ୍ରକୁ ମାତ୍ର ୨୦କିମି । ସୀମାରୁ ୧୫/୨୦ କିମି ମଧ୍ୟରେ ମକୁଆ ଓ ପାର୍ବତୀପୁରମ୍‌ ସହର ରହିଛି । ଫଳର ସୀମାନ୍ତ ନଙ୍ଗଲବେଡ଼ା, କାସବାଳସା, ସିକେବାଦ୍ରା, ପିକେବାଦ୍ରା, ତଲକେଲସା ଆଦି ଗାଁ ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ସେହିପରି ବନ୍ଧୁଗାଁରୁ କୋରାପୁଟ ୧୦୦ କିମି ଦୂରରେ ରହିଛି । ଆନ୍ଧ୍ର ସୀମାନ୍ତ ଆଲମଣ୍ଡା, ସିଡ଼ିବାଲସା, କାପଲଡ଼ା ଆଦି ଗାଁ ଲୋକେ ୧୭ କିମି ଦୂର ଆନ୍ଧ୍ରର ପାର୍ବତୀପୁରମ୍‌ ଉପରେ ନିର୍ଭର କରୁଛନ୍ତି । ଜିଲ୍ଲାର ଅନ୍ୟ ଏକ ବ୍ଲକ୍‌ ନନ୍ଦପୁର ମଧ୍ୟ ଆନ୍ଧ୍ର ସୀମାରେ ରହିଛି । ଏହି ବ୍ଲକ୍‌ର ସୀମାନ୍ତ ଗାଁ ଚାଟୁଆ, ଅନ୍ଧ୍ରାଗୁଡ଼ା, ପାଥଲୁଙ୍ଗ, ଖିନବର୍‌ ଗାଁ ଜିଲ୍ଲା ସଦର ମହକୁମାରୁ ୯୫ କିମି ଦୂରରେ ରହିଛି । ଏଠାକାର ଗ୍ରାମବାସୀ ୧୧ କିମି ଦୂର ଆନ୍ଧ୍ରର ଆର୍‌କୁ ଉପରେ ନିର୍ଭର କରୁଛନ୍ତି । ଏହି ଅଞ୍ଚଳବାସୀ ଓଡ଼ିଆ ଅପେକ୍ଷା ତେଲୁଗୁ ଭାଷାରେ ଅଧିକ କଥାବାର୍ତ୍ତା ହେଉଛନ୍ତି । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସେମାନଙ୍କୁ ସୁବିଧା ସୁଯୋଗ ଦିଆଯାଉଛି । ଉଭୟ ରାଜ୍ୟର ପରିଚୟପତ୍ର ଏସବୁ ଗ୍ରାମବାସୀଙ୍କ ନିକଟରେ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.