ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବୟସ ୭୨ ପାର୍ ହେଲାଣି; ଗାଁ ଲୋକଙ୍କ ପାଇଁ କାଟୁଛନ୍ତି ପାହାଡ଼, ୩୦ ବର୍ଷରେ ଖୋଳିଛନ୍ତି ୩ କିମି

ପାଟଣା, ୨୮।୩: ବିହାରର ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝିଙ୍କୁ କିଏ ବା ନ ଜାଣେ । ପରିଣତ ବୟସରେ ଦଶରଥ ନିଜସ୍ୱ ଉଦ୍ୟମରେ ପାହାଡ଼ କାଟି ଗ୍ରାମବାସୀଙ୍କ ପାଇଁ ତିଆରି କରିଥିଲେ ରାସ୍ତା । ଏଭଳି ଧୈର୍ଯ୍ୟ ଓ ସାହସିକତା ପାଇଁ ତାଙ୍କ ଉପରେ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘ମାଞ୍ଝି ଦ ମାଉଣ୍ଟେନ୍ ମ୍ୟାନ୍’ । ଦଶରଥ ମାଞ୍ଝିଙ୍କ ପରି ବିହାରର ଲୌଙ୍ଗି ଭୂୟାଁ ନିଜ କାମ ଏବେ ପାଇଁ ପୁଣି ଚର୍ଚ୍ଚାରେ । ୭୦ ବର୍ଷ ବୟସରେ ପାହାଡ଼ ମଝିରେ ୫ କିମିର କେନାଲ ଖୋଳିବାରେ ଲାଗିପଡ଼ିଛନ୍ତି ଲୌଙ୍ଗି । ଗତ ୩୦ ବର୍ଷରେ ସେ ଖୋଳିସାରିଲେଣି ୩ କିମିର କେନାଲ । ବିହାର, ଗୟାଠାରୁ ୮୦ କିମି ଦୂରରେ ଅବସ୍ଥିତ କୋଠିଲୱା ଗାଁରେ ରୁହନ୍ତି ଲୌଙ୍ଗି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ କିମି କେନାଲ ଖୋଳାକାର୍ଯ୍ୟକୁ ସେ ଦେଢ଼ ବର୍ଷ ମଧ୍ୟରେ ପୂରା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । 

ଏହି କେନାଲ ନିର୍ମାଣ ହେବା ଫଳରେ ଉପକୃତ ହେବେ ଏକାଧିକ ଗାଁର ଲୋକେ । ଏବେ ସେ ଯେଉଁ ୫ କିମିର କେନାଲ ଖୋଳୁଛନ୍ତି, ଏଥିରୁ ୫ରୁ ୮ଟି ଗାଁର ଚାଷୀ ଜଳସେଚନର ସୁବିଧା ପାଇପାରିବେ । ଲୌଙ୍ଗି ଭୂୟାଁଙ୍କର ଏଭଳି ମହାନ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ କେନାଲ୍ ମ୍ୟାନ୍ ଭାବେ ସମ୍ୱୋଧନ କରନ୍ତି । କେନାଲ ଖୋଳିବା ତାଙ୍କର ଦୈନିକ କାର୍ଯ୍ୟରେ ସାମିଲ । ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ସେ କେନାଲ ଖୋଳିଥାନ୍ତି । ସେ ଖୋଳୁଥିବା କେନାଲଟି ୫ ଫୁଟ୍ ଚଉଡ଼ା ଏବଂ ୩ ଫୁଟ୍ ଗଭୀର । ପ୍ରଥମ କେନାଲ ଖୋଳା କାର୍ଯ୍ୟ ପୂରା ହେବା ପରେ ଉଦ୍ୟୋଗ୍ୟପତି ଆନନ୍ଦ ମହିନ୍ଦ୍ରା ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ଏକ ଟ୍ରାକ୍ଟର ଉପହାର ଦେଇଥିଲେ । ଲୌଙ୍ଗି ରହୁଥିବା ଗାଁ ଓ ଏହାର ଆଖପାଖର ଗାଁରେ କେନାଲଟିଏ ନାହିଁ । ଯେଉଁ କାରଣରୁ ଚାଷୀମାନେ ବର୍ଷା ଜଳର ପର୍ଯ୍ୟାପ୍ତ ଉପଯୋଗ କରିପାରନ୍ତିନି । ନିଜ ଚାଷୀ ଭାଇମାନଙ୍କ ପାଇଁ ଲୌଙ୍ଗି ଏ କେନାଲ ଖୋଳୁଛନ୍ତି ବୋଲି କୁହନ୍ତି । 

ଗୋଟେପଟେ ଯେଉଁଠି, ଗାଁର ଯୁବପିଢ଼ି ଚାକିରି ଅନ୍ୱେଷଣରେ ଗାଁ ଛାଡ଼ି ପଳାଉଛନ୍ତି, ସେଠାରେ ଲୌଙ୍ଗି ନିଜ ଯୁବା ବୟସରେ ଜଙ୍ଗଲରେ ଛେଳି ଚରାଉଥିଲେ । ଆଉ ସେବେଠୁ ହିଁ ନିଜ ଗାଁର ଭବିଷ୍ୟତ ବିଷୟରେ ଚିନ୍ତା କରୁଥିଲେ । ଏବେ ସେ ଭୂତଳ ଜଳସ୍ତର ବଢ଼ାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଲୌଙ୍ଗି ଯେତେବେଳେ ପ୍ରଥମ କେନାଲ ଖୋଳିବା ଆରମ୍ଭ କରିଥିଲେ ଗାଁ ଲୋକେ ତାଙ୍କୁ ପାଗଳ ବୋଲି କହୁଥିଲେ । ଏମିତିକି ତାଙ୍କ ପତ୍ନୀ ରତି ଦେବୀ ମଧ୍ୟ ତାଙ୍କୁ ଘରୁ ବାହାର କରିଦେଇଥିଲେ । ତାଙ୍କର ପୁଅମାନେ କୋଦାଳ, ଫାଉଡ଼ାକୁ ଲୁଚାଇ ଦେଉଥିଲେ । ସେଥିପାଇଁ ଲୌଙ୍ଗି ଘର ପାଖରୁ ୨-୩ କିମି ଦୂରରେ ଖୋଳୁଥିବା କେନାଲ ପାଖରେ ସମସ୍ତ ଯନ୍ତ୍ରପାତିକୁ ଲୁଚାଇ ଦେଉଥିଲେ । ଏସବୁ ସତ୍ତ୍ୱେ ଲୌଙ୍ଗି କିନ୍ତୁ, ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ । କେନାଲ କାମ ପୂରାପୂରି ଶେଷ ନ ହେବା ଯାଏଁ ସେ ଖୋଳା ଜାରି ରଖିବେ ବୋଲି କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.