ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଭୂମିକୁ କରାୟତ କରିବାକୁ ପଡ଼ୋଶୀଙ୍କ ଚକ୍ରାନ୍ତ; ଛତିଶଗଡ଼ରେ ଓଡ଼ିଆ ପିଲା ପଢ଼ୁଛନ୍ତି ହିନ୍ଦୀ ମିଡିୟମ୍

ବରଗଡ଼, ୧।୪: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ରହିଯାଇଥିବା ଶତାଧିକ ଓଡ଼ିଆ ଗ୍ରାମ ଆଜି ବି ଓଡ଼ିଆ ଅସ୍ମିତା ପ୍ରତି ଆହ୍ୱାନ ପାଲଟିଛି । ସୀମାନ୍ତରେ ଥିବା ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ ଜିଲ୍ଲା ସହିତ ଛତିଶଗଡ଼ର ବ୍ୟବସାୟିକ, ଜାତିଗତ, ଭାଷାଗତ, ବୈବାହିକଗତ ସମ୍ପର୍କ ରହିଆସିଛି । ଛତିଶଗଡ଼ରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ନଥିବାରୁ ଛତିଶଗଡ଼ ଓଡ଼ିଆମାନେ ହିନ୍ଦୀ ଭାଷାରେ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି । ବହୁସଂଖ୍ୟକ ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ ବାରମ୍ବାର ଇଚ୍ଛା ପ୍ରକାଶ କରିଆସୁଥିଲେବି ଓଡ଼ିଶା ସରକାରଙ୍କ ଉପେକ୍ଷା ଏଥରେ ବାଧକ ସାଜିଛି । ଛତିଶଗଡ଼ି ଓଡ଼ିଆ ପିଲାଙ୍କ ଶିକ୍ଷାଦୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସେଠି କିଛି ସ୍କୁଲ ଖୋଲାଯାଇଥିଲେ ମଧ୍ୟ ପରିଚାଳନାଗତ ତ୍ରୁଟି ଏବଂ ଅବହେଳାରୁ ତାହା ମଧ୍ୟ ବ୍ୟର୍ଥ ହୋଇଛି ।  ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାର ଆଦୃତି ଦିନକୁ ଦିନ ବଢିବାରେ ଲାଗିଛି । ଏବେବି ଛତିଶଗଡ଼ ଗ୍ରାମାଞ୍ଚଳରେ ଭାଗବତ ପାଠର ଆଦୃତତା ରହିଛି । 

ତେବେ ଭାଗବତ ପଢିବା ପାଇଁ ଓଡ଼ିଆ ଭାଷା ପୁସ୍ତକ ଉପରେ ସେମାନେ ନିର୍ଭରଶୀଳ ଥିଲେ ମଧ୍ୟ ଏହି ଭାଷାର ଶିକ୍ଷାଦାନ କରଯାଉ ନଥିବାରୁ ଛତିଶଗଡ଼ି ଓଡ଼ିଆଙ୍କ ମଧ୍ୟରେ ଦୁଃଖ ରହିଯାଇଛି । ମାତ୍ର ଆଜିଯାଏଁ ଓଡି଼ଶା ସରକାରଙ୍କ ତରଫରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାର ନଗ୍ନ ଉଦାହରଣ ଭାବେ ବରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ଛତିଶଗଡ଼ ରାଜ୍ୟର ଶଙ୍କରା ଗାଁକୁ ନିଆଯାଇପାରେ । ଓଡ଼ିଶାରେ ମିଶିବା ପାଇଁ ଜିଦ୍‌ ଧରିଥିବା ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଶଙ୍କରା ଆଜି ପର୍ଯ୍ୟନ୍ତ ମୂଳ ବରଗଡ଼ ଜିଲ୍ଲାରେ ମିଶି ପାରିନାହିଁ । ବରଗଡ଼ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅମ୍ବାଭୋନା ବ୍ଲକ୍‌ ସୀମାରୁ ମାତ୍ର ୧୫ କିଲୋମିଟର ଦୂର ଓ ବରଗଡ଼ ସଦର ମହକୁମାଠାରୁ ମାତ୍ର ୫୦ କି.ମି. ଦୂରତାରେ ରହିଥିବା ଶଙ୍କରା ଗାଁରେ ବସବାସ କରୁଥିବା ୫ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୂଳ ଭାଷା ସମ୍ବଲପୁରୀ (ଓଡ଼ିଆ) ଥିଲେ ବି ହିନ୍ଦୀ କହିବାକୁ ଏପରିକି ପଢି଼ବାକୁ ବାଧ୍ୟ ହେଉଛନ୍ତି । ସରକାରୀ ନଥିପତ୍ରରେ ରାୟଗଡ଼ ଜିଲ୍ଲାର ବୋଲି ସ୍ଥାନ ପାଇଥିଲେ ମଧ୍ୟ ଶଙ୍କରାବାସୀ ତେଲଲୁଣଠୁଁ ଆରମ୍ଭ କରି ଚାଷବାସ ପାଇଁ ସବୁଥିରେ ବରଗଡ଼ ଜିଲ୍ଲା ଉପରେ ନିର୍ଭର କରନ୍ତି । ଶଙ୍କରାବାସୀଙ୍କ ବରଗଡ଼ ସମେତ ପଶ୍ଚିମ ଓଡ଼ିଶା ସହିତ ସାମାଜିକ, ସାଂସ୍କୃତିକ ଓ ବୈବାହିକ ସମ୍ପର୍କ ରହିଥିବା ବେଳେ ଉଭୟ ଅଞ୍ଚଳରେ ସାମାନ ରୀତିନୀତିରେ ପାଳନ କରୁଥିବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସହିତ ପୁଷ୍ପୁନି, ଭାଇଜିଉଁନ୍ତିଆ, ପୁଅ ଜିଉଁନ୍ତିଆ ଭଳି ପର୍ବପର୍ବାଣୀ ସାଂସ୍କୃତିକ ଏକତାର ପରିଚୟ ରଖିଛି । ଶଙ୍କରାବାସୀଙ୍କ ରଙ୍ଗବତୀ, ରସରକେଲି, ମାଲଲାଜଡ଼, ଜାଇଫୁଲ ମୋହ ଏବେବି ଅତୁଟ ଥିବା ବେଳେ ଉଭୟ ଅଞ୍ଚଳରେ ଖ୍ୟାତ ଦୁଲଦୁଲି ବଜା ବିଚ୍ଛିନ୍ନତାବାଦକୁ ପ୍ରମାଣ କରିଛି । ସେଥିପାଇଁ ଛତିଶଗଡ଼ ରାଜ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ‘ଉତ୍କଳ ସମ୍ମିଳନୀ ଏନ୍‌ଜିଓ’ ପକ୍ଷରୁ ମହିଳା ଶିକ୍ଷୟିତ୍ରୀଙ୍କୁ ମାସିକ ତିନି ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତ କରାଯାଇଛି । ଏହି ଶିକ୍ଷୟିତ୍ରୀମାନେ ଓଡ଼ିଶାର ଝିଅ ଭାବେ ଛତିଶଗଡ଼ ରାଜ୍ୟରେ ବିବାହ କରିଥିବା ମହିଳାଙ୍କୁ ଚୟନ କରାଯାଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଉଛି । 

୧୯୩୫ରେ ଛତିଶଗଡ଼ର ସରିଆରେ ଏକ ଓଡ଼ିଆ ସ୍କୁଲ ଖୋଲାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍କୁଲରେ ଉଭୟ ସରକାରଙ୍କ ଅନୁମୋଦନ କ୍ରମେ ଛତିଶଗଡ଼ର ପ୍ରତ୍ୟେକ ସ୍କୁଲରେ ଓଡ଼ିଆ ଶିକ୍ଷକ ନିଯୁକ୍ତ କରାଯିବା ଘୋଷଣା କରାଯାଇଥିଲା, ମାତ୍ର ତାହା ବ୍ୟର୍ଥ ହୋଇଛି । ଓଡ଼ିଆ ଭାଷାକୁ ଝାଡଖଣ୍ଡ, ଛତିଶଗଡ଼ ରାଜ୍ୟରେ ୨ୟ ଭାଷାର ମାନ୍ୟତା ଥିବା ସ୍ଥଳେ ଓଡ଼ିଶା ରାଜ୍ୟ ସଂସ୍କୃତି ବିଭାଗ ଗୁରୁତ୍ୱ ଦେଉନାହାନ୍ତି । ସୀମାନ୍ତ ଓଡ଼ିଶା-ଛତିଶଗଡ଼ ରାଜ୍ୟ କପାଶିରା ଗ୍ରାମରେ ଡିପିଇପି ସମୟରେ ୧୯୯୯ରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ଡ.ବି.ଆର.ଆମ୍ବେଦକର ପ୍ରାଥମିକ ସ୍କୁଲ୍‌ ଖୋଲାଯାଇଥିଲା । ଛତିଶଗଡ଼ ରାଜ୍ୟର ଶିକ୍ଷାର୍ଥୀଙ୍କ ଉପସ୍ଥାନ କମ୍‌ ହେବାରୁ ଏବଂ ଛାତ୍ରସଂଖ୍ୟା କୋଡିଏରୁ କମ୍‌ ଦର୍ଶାଇ ଏହି ସ୍କୁଲକୁ ରାଜ୍ୟ ସରକାର ବନ୍ଦ କରିଦେଲେ । ତେଣୁ ସୀମାନ୍ତ ଛତିଶଗଡ଼ର ଛାତ୍ରଛାତ୍ରୀ ଓଡ଼ିଆ ଶିକ୍ଷାରୁ ବଂଚିତ ହୋଇଛନ୍ତି । ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷା ସଂସ୍କୃତି ପାଠାଗାରମାନଙ୍କ ଆବଶ୍ୟକତା ରହିଛି ।  ବରଗଡ଼ ଜିଲ୍ଲାର ସୀମାନ୍ତ ଅମ୍ବାଭୋନା ବ୍ଲକକୁ ଲାଗକିଥିବା ଛତିଶଗଡ଼ ରାଜ୍ୟର ସୀମାନ୍ତ ଗାଁ ଶଙ୍କରା ଦ୍ୱିତୀୟ ବରଗଡ଼ ଭାବେ ଜଣାଶୁଣା । ଚୁଡ଼ି ପିନ୍ଧା ଯୌତୁକ ଗାଁ ଭାବେ ଶଙ୍କରାବାସୀଙ୍କ ପରିଚୟ ଐତିହାସିକ ତଥ୍ୟକୁ ଉଜାଗର କରିଛି । 

ତଥ୍ୟାନୁଯାୟୀ ସାମ୍ରାଜ୍ୟ ବିସ୍ତାର ସମୟରେ ରାଜା ରାଜୁଡ଼ା ସମୟରେ କୁଆଡ଼େ ଗାଁଟି ବଳି ପଡ଼ଥିଲା । ତତ୍କାଳୀନ ସମ୍ବଲପୁର ରାଜା ନିଜ ଝିଅକୁ ସାରଙ୍ଗଗଡ଼ ରାଜାଙ୍କ ସହିତ ବିବାହ କରାଇ ଶଙ୍କରା ସମେତ ୫ଟି ଗାଁ ଯୌତୁକ ଦେଇଥିଲେ ଏବଂ ଏହି ଗ୍ରାମମାନଙ୍କ ରାଜସ୍ୱରୁ ଆଦାୟ ଅର୍ଥରେ ନିଜ ଝିଅର ଚୁଡ଼ି ପିନ୍ଧା ସର୍ତ୍ତ ରଖିଥିବାରୁ କିମ୍ବଦନ୍ତୀ ଅନୁଯାୟୀ ଶଙ୍କରା ଚୁଡି଼ପିନ୍ଧା ଯୌତୁକ ଗାଁ ଭାବେ ପରିଚିତ ଲାଭ କରିଛି । ତେବେ ସମୟକ୍ରମେ ଉକ୍ତ ସାରଙ୍ଗଗଡ଼ ରାଜ୍ୟଟି ତତ୍କାଳୀନ ମଧ୍ୟ ପ୍ରଦେଶ ରାଜ୍ୟ ସହିତ ମିଶି ଯାଇଥିବା ବେଳେ ଏବେ ତାହା ରାଜ୍ୟ ବିଭାଜନ ପରେ ଛତିଶଗଡ଼ ଅଧିନରେ ରହିଛି । ଅନ୍ୟ ଏକ ମୂଲକରେ ଥାଇ ମଧ୍ୟ ଶଙ୍କରାର ସମସ୍ତ ଅଧିବାସୀଙ୍କ ହୃଦୟ ଓଡି଼ଶା ଓ ବରଗଡ଼ରେ ରହିଥିବାରୁ ଉଭୟ ସରକାରଙ୍କ ପଦକ୍ଷେପ ବର୍ତ୍ତମାନ ସମୀକ୍ଷାଯୋଗ୍ୟ ହୋଇପଡି଼ଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.