ଦମାସ୍କସ: ଇସ୍ରାଏଲ ବୁଧବାର ଦିନ ସିରିଆର ରାଜଧାନୀ ଦମାସ୍କସରେ ଥିବା ସୈନ୍ୟ ମୁଖ୍ୟାଳୟ ଉପରେ ଭୟଙ୍କର ବିମାନ ଆକ୍ରମଣ କରିଛି। ଯେଉଁଥିରେ ରାଷ୍ଟ୍ରପତି ପ୍ୟାଲେସ ନିକଟରେ ମଧ୍ୟ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ସିରିଆର ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଜେନେରାଲ ଷ୍ଟାଫ କମାଣ୍ଡ ଭବନ ଧ୍ୱଂସ ହୋଇଛି। ସିରିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଏହି ଆକ୍ରମଣରେ ଜଣେ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ, ଏହି ଆକ୍ରମଣ ସିରିଆର ଦକ୍ଷିଣ ସ୍ୱେଇଦା ଅଞ୍ଚଳରେ ଡ୍ରୁଜ ସମ୍ପ୍ରଦାୟ ଉପରେ ସିରିଆ ସରକାରୀ ବାହିନୀର ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ନିଆଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିରିଆ ସରକାରଙ୍କୁ ଦକ୍ଷିଣାଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଥିଲେ। ଅନ୍ୟଥା ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ।
ସ୍ୱେଇଦାରେ ସିରିଆ ସରକାରୀ ବାହିନୀ ଏବଂ ଡ୍ରୁଜ ମିଲିସିଆ ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ନାଗରିକ ପ୍ରାଣ ହରାଇଛନ୍ତି। ଏହି ସଂଘର୍ଷ ପରେ ହଜାର ହଜାର ଡ୍ରୁଜ ନାଗରିକ ଇସ୍ରାଏଲ ସୀମାନ୍ତ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନେତାନ୍ୟାହୁ ସେମାନଙ୍କୁ ଏହା ନ କରିବାକୁ ଅନୁରୋଧ କରିଥିଲେ। କାରଣ ଏହା ଇସ୍ରାଏଲର ସୁରକ୍ଷା ପାଇଁ ବିପଦ ଆଣିବା ସହ ପ୍ରବାସୀମାନଙ୍କ ଜୀବନ ପାଇଁ ମଧ୍ୟ ଏକ ବିପଦଜନକ ପଦକ୍ଷେପ ହୋଇଥାନ୍ତା।
ସିରିଆ ସରକାର ଏହି ଆକ୍ରମଣକୁ "ଅପରାଧମୂଳକ ଏବଂ ବେଆଇନ" ବୋଲି କହି କଡା ନିନ୍ଦା କରିଛନ୍ତି। ଏବଂ ଏହି ଆକ୍ରମଣ ଦ୍ୱାରା ଇସ୍ରାଏଲ ଦେଶର ସ୍ଥିରତା ବିନାଶ କରିବାର ଉଦ୍ଦେଶ୍ୟ ରଖିଛି ବୋଲି ଅଭିହିତ କରିଛନ୍ତି। ସିରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଏହାକୁ "ଅଗ୍ରହଣୀୟ" ବୋଲି କହି ଅନ୍ତର୍ଜାତୀୟ ସମୁଦାୟକୁ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।
ଅନ୍ୟପକ୍ଷରେ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାତ୍ଜ ଏକ୍ସରେ ଏକ ବୟାନ ଜାରି କରି ସିରିଆକୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ସୈନ୍ୟ ପ୍ରତ୍ୟାହାର ନ କରନ୍ତି, ତେବେ ଇସ୍ରାଏଲ ଆହୁରି ଭୟଙ୍କର ଆକ୍ରମଣ କରିବ। ଅନ୍ୟପଟେ ଇସ୍ରାଏଲର ଏହି ଆକ୍ରମଣକୁ ଅନେକ ଦେଶ ନିରବ ସମର୍ଥନ ଦେଇଛନ୍ତି।
ଏହି ଆକ୍ରମଣ ଇସ୍ରାଏଲ ଏବଂ ସିରିଆ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଅନ୍ତର୍ଜାତୀୟ ସମୁଦାୟ ଏହାର ନିନ୍ଦା କରିଥିବା ବେଳେ, ଆମେରିକାର ସ୍ୱତନ୍ତ୍ର ଦୂତ ଟମ ବାରାକ ସ୍ୱେଇଦାରେ ନାଗରିକଙ୍କ ଉପରେ ହିଂସାର ନିନ୍ଦା କରି ସମସ୍ତ ପକ୍ଷକୁ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି।
ଏହି ଘଟଣା ମଧ୍ୟପ୍ରାଚ୍ୟରେ ଏକ ବୃହତ୍ ସଂଘର୍ଷର ଆଶଙ୍କାକୁ ବୃଦ୍ଧି କରିଛି, ଯେଉଁଥିରେ ଅନ୍ୟ ଆଞ୍ଚଳିକ ଶକ୍ତିମାନେ ମଧ୍ୟ ଜଡ଼ିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।