ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି । ମାତ୍ର ଉତ୍ତେଜନା କମିବାର ନାଁ ଧରୁନି । ବୁଧବାର ସକାଳୁ ଇରାନ ୩ଜଣ ଇସ୍ରାଏଲ ଗୁପ୍ତଚରଙ୍କୁ ଫାଶୀ ଦେଇଛି । ସେମାନଙ୍କ ନାଁରେ ଗୁଇନ୍ଦାଗିରି ଏବଂ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଥିଲା ।
ସମାଚାର ଏଜେନ୍ସି ରାୟଟର୍ସ ଅନୁଯାୟୀ, ଇରାନ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ, ଇଦରିସ୍ ଅଲ୍ଲୀ, ଆଜାଦ ଶୋଜାଇ ଏବଂ ରସୁଲ ଅହମ୍ମଦ, ହତ୍ୟା ପାଇଁ ଇରାନକୁ ଉପକରଣ ଆଣିବାକୁ ପ୍ରୟାସ ଚଳାଇଥିବା ବେଳେ ଗିରଫ ହୋଇଥିଲେ । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଥିଲା । ବୁଧବାର ସକାଳୁ ଉରାମିୟା ସହରରେ ୩ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି ।
ସୂଚନା ଅନୁଯାୟୀ, ଉରାମିୟା ଇରାନର ଉତ୍ତର-ପଶ୍ଚିମ ସହର । ଯାହା ତୁର୍କୀର ସୀମାନ୍ତକୁ ଲାଗି କରି ରହିଛି । ୩ ଦୋଷୀଙ୍କୁ ଫାଶୀ ନେଇ ଇରାନ ମିଡିଆ ସ୍ପଷ୍ଟ କରଛି । ନୀଳ ପୋଷାକରେ ଜେଲ୍ ଫଟୋ ମଧ୍ୟ ଜାରି ହୋଇଛି । ଏହା ପ୍ରଥମ ଥର ନୁହେଁ, ଇରାନ ଏହା ପୂର୍ବରୁ ଏଭଳି କଠୋର ପଦକ୍ଷେପ ନେଇଛି । ଇରାନ ସାଧାରଣତଃ ଇସ୍ରାଏଲ ଏବଂ ଅନ୍ୟ ବିଦେଶୀ ଗୁଇନ୍ଦା ଏଜେନ୍ସିର ଗୁପ୍ତଚର ମାନଙ୍କୁ ଗିରଫ କରିଥାଏ । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ପରେ ମୃତ୍ୟ ଦଣ୍ଡାଦେଶ ଘୋଷଣା କରିଥାଏ।
୨୦୨୫ ଜୁନ ୧୩ ତାରିଖରୁ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲରେ ଇରାନ ପାଇଁ କାମ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଥିଲା । ଏହି କ୍ରମରେ ରବିବାର ଏବଂ ସୋମବାର କିଛି ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଛି । ଇରାନ ଗତ ୧୨ ଦିନ ଯୁ୍ଦ୍ଧ ମଧ୍ୟରେ ୭ଶହରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଏହି ସୂଚନା ରାଜ୍ୟ-ସମର୍ଥିକ ମିଡିଆ ଏଜେନ୍ସି ନୂର ନ୍ୟୁଜରେ ଦିଆଯାଇଛି ।