ନୂଆଦଲ୍ଲୀ,୨୫/୦୬: ପାକିସ୍ତାନକୁ ବଡ଼ ଝଟକା। ପାକିସ୍ତାନ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ର ଜଣେ ବରିଷ୍ଠ ଅଧିକାରୀ ମେଜର ମୁଇଜଙ୍କ ମୃତ୍ୟୁ । ଦକ୍ଷିଣ ୱାଜିରିସ୍ତାନରେ ତେହେରିକ-ଏ-ତାଲିବାନ୍ ପାକିସ୍ତାନର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିବା ସୂଚନା ।
ସୂଚନା ଅନୁସାରେ, ପାକିସ୍ତାନ ସେନାର ମେଜର ମୁଇଜ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମୟରେ ଭାରତୀୟ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବନ୍ଦୀ କରିଥିବା ନେଇ ଦାବି କରିଥିଲେ। ସେ ଦକ୍ଷିଣ ୱାଜିରିସ୍ତାନରେ ତେହରୀକ-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀଙ୍କ ସହ ଏକ ମୁକାବିଲାରେ ନିହତ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ଦକ୍ଷିଣ ୱାଜିରିସ୍ତାନର ସାରାଓଘା ଅଞ୍ଚଳରେ ଘଟିଥିବା ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ହୋଇଛି। ପାକିସ୍ତାନ ସେନାର ଇଣ୍ଟର-ସର୍ଭିସେସ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ୨୪ ଜୁନ୍ ୨୦୨୫ରେ ସାରାଓଘାରେ ଗୁଇନ୍ଦା ତଥ୍ୟ ଆଧାରିତ ଅପରେସନ ଚାଲିଥିବା ବେଳେ ଟିଟିପି ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏହି ମୁକାବିଲାରେ ମେଜର ମୁଇଜ ଏବଂ ଲାନ୍ସ ନାୟକ ଜିବ୍ରାନୁଲ୍ଲାହ ନିହତ ହୋଇଥିଲେ। ଏହି ଅପରେସନରେ ୧୧ଜଣ ଟିଟିପି ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୭ ଜଣ ଆହତ ହୋଇଥିବା ଆଇଏସପିଆର ଦାବି କରିଛି। ମେଜର ମୁଇଜ ପାକିସ୍ତାନ ସେନାର ଏଲିଟ ସ୍ପେଶାଲ ସର୍ଭିସ ଗ୍ରୁପରେ କାର୍ଯ୍ୟ କରୁଥିଲେ ଏବଂ ଅନେକ ଆତଙ୍କବାଦୀ ବିରୋଧୀ ଅପରେସନରେ ତାଙ୍କ ସାହସିକତା ପାଇଁ ପରିଚିତ ଥିଲେ। ସେ ଏହି ଅପରେସନର ନେତୃତ୍ୱ ନେଉଥିବା ବେଳେ ଟିଟିପିର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।