ନୂଆଦିଲ୍ଲୀ: ଇରାନର ତିନୋଟି ପରମାଣୁ ଠିକଣା ଉପରେ ଆମେରିକା ଆକ୍ରମଣ କରିଛି । ଏଥି ପାଇଁ ତେହେରାନର ପରମାଣୁ ସ୍ଥାପନକୁ ପ୍ରବଳ କ୍ଷତି ପହଞ୍ଚିଛି ବୋଲି ସ୍ବୀକାର କରିଛି ଇରାନ । ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ଗତ ସପ୍ତାହରେ ଆମେରିକାର ଆକ୍ରମଣରେ ଦେଶର ପରମାଣୁ ଭିତ୍ତିଭୂମିକୁ ଗୁରୁତର କ୍ଷତି ପହଞ୍ଚିଛି।
ଅଲ ଜଜିରାକୁ ପ୍ରତିକ୍ରିୟା ଦେଇଥିବା ବାଘାଇ ଆକ୍ରମଣର ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି । କିନ୍ତୁ ସ୍ୱୀକାର କରିଛନ୍ତି ଯେ, ରବିବାର ଆମେରିକାର B-2 ବୋମାବର୍ଷକ ବିମାନ ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା ବଙ୍କର-ବଷ୍ଟର ବୋମା "ଅତ୍ୟନ୍ତ ପ୍ରଭାବଶାଳୀ" ଥିଲା। ଆମର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଗମ୍ଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।
ଆମେରିକା ରବିବାର ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏଥିରେ ନାଟାଞ୍ଜ, ଫୋର୍ଡୋ ଏବଂ ଇସଫାହାନ ଅନ୍ତର୍ଭୁକ୍ତ। ଏହି ଆକ୍ରମଣର ଲକ୍ଷ୍ୟ ଥିଲା ଇରାନର ପରମାଣୁ ସମୃଦ୍ଧି କ୍ଷମତାକୁ ନଷ୍ଟ କରିବା। ଏହି ଆକ୍ରମଣର ଗମ୍ଭୀରତା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ର ରିପୋର୍ଟ ଏବଂ ସାଟେଲାଇଟ୍ ତଥ୍ୟରୁ ଅନୁମାନ କରାଯାଇଥିଲା। କିନ୍ତୁ ଇରାନ ଏପର୍ଯ୍ୟନ୍ତ ଆମେରିକା ଆକ୍ରମଣ ଯୋଗୁଁ ଏହାର ପରମାଣୁ ଘାଟିର ହୋଇଥିବା କ୍ଷତିକୁ ଅସ୍ୱୀକାର କରୁଥିଲା। କିନ୍ତୁ ଏବେ ଇରାନ ନିଜେ ସ୍ୱୀକାର କରିଛି ଯେ, ଆମେରିକା ଆକ୍ରମଣରେ ଏହାର ପରମାଣୁ ଘାଟି କ୍ଷତିଗ୍ରସ୍ତ ହୋଇଛି ।