ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ । ୬ଥର ଘୁଞ୍ଚିବା ପରେ ଆକ୍ସିଅମ୍-୪ ମିଶନ ଲଞ୍ଚ୍ । ନିର୍ଦ୍ଧାରିତ ସମୟରେ ମିଶନ ମହାକାଶ ଅଭିମୁଖେ ଯାତ୍ରା । ବୁଧବାର ଦିନ ୧୨ଟା ୧ ମିନିଟରେ ଆମେରିକାର ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେଶ ସେଣ୍ଟରରୁ ଆକ୍ସିଅମ୍-୪ ଲଞ୍ଚ ହୋଇଛି । ଫାଲକନ୍-୯ ରକେଟ୍ ଦ୍ବାରା ଡ୍ରାଗନ୍ ମହାକାଶ ଯାନକୁ ଉତକ୍ଷେପଣ କରାଯାଇଛି । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ୍ ରଖାଯାଇଛି । ଦ୍ବିତୀୟ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିଲେ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ।
ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ । ଆକ୍ସିଅମ୍ ସ୍ପେସ୍, ସ୍ପେସ୍ ଏକ୍ସ ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ତେବେ ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି । ୪୦ ବର୍ଷ ପରେ ଶୁଭାଂଶୁଙ୍କୁ ନେଇ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ ।