ପ୍ରମୂଖ ଖବର
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସତର୍କ ରୁହନ୍ତୁ, ସଂକ୍ରମଣ ହେଲେ ସର୍ଦ୍ଦି ସହ ଜ୍ୱର ବଢେ

Published By : Ankita S | November 27, 2024 3:17 PM

ଭୁବନେଶ୍ବର,୨୭/୧୧:  ହଠାତ୍‌ ଶୀତ ଆସିବା ସହ କିଛି ଦିନ ହେବ ପ୍ରାୟ ଲୋକଙ୍କଠାରେ ଥଣ୍ଡାକାଶ ପରି ସମସ୍ୟା ଦେଖିବାକୁ ମିଳୁଛି । ଜ୍ୱର ରହୁନି, ଅଥଚ ଜ୍ୱର ଜ୍ୱର ଲାଗୁଛି । ଏହାର ମୁଖ୍ୟତଃ ଦୁଇଟି କାରଣ ରହିଛି । ହଠାତ୍‌ ଶୀତ ବଢ଼ିବା ସହ ବାୟୁମଣ୍ଡଳରେ ଆର୍ଦ୍ରତା ମଧ୍ୟ ବଢି ଚାଲିଛି । ଶୀତ ଓ ପ୍ରଦୂଷଣ ବଢ଼ିବା ଯୋଗୁ ବାୟୁମଣ୍ଡଳରେ ଧୂଳିକଣାର ମାତ୍ରା ବଢିଚାଲିଛି, ଯାହା ପ୍ରାୟତଃ ଆଲର୍ଜି କରାଇଥାଏ । ନିକଟରେ ଦିଲ୍ଲୀରେ ମଧ୍ୟ ପ୍ରଦୂଷଣ ଇଣ୍ଡେକ୍ସ ବଢ଼ିବା ଯୋଗୁ ସ୍କୁଲ କଲେଜଗୁଡିକୁ ଛୁଟି କରି ଦିଆଯାଇଛି । 

ପରିବେଶର ଆସୁଥିବା ପରିବର୍ତ୍ତନ ପାଇଁ ଆଲର୍ଜି କ୍ରମଶଃ ବଢ଼ିବାରେ ଲାଗିଛି । ନାକରୁ ପାଣି ବାହାରିବା, ଛିଙ୍କ ହେବା, ମୁଣ୍ଡ ବଥାଇବା ସହ ସଂକ୍ରମଣଜନିତ ଜ୍ୱର ହେବା ଗୋଟିଏ କାରଣ । ଅନ୍ୟଟି ହେଉଛି ଭୂତାଣୁଜନିତ ସଂକ୍ରମଣ । ଋତୁ ବଦଳିବା ସମୟରେ ଭୂତାଣୁ ସଂକ୍ରମଣ ବଢ଼ିଥାଏ । ନାକ ବାଟ ଦେଇ ଭୂତାଣୁଗୁଡ଼ିକ ଶରୀରକୁ ସଂକ୍ରମିତ କରିଥାନ୍ତି । ଏହି ସଂକ୍ରମଣ ଦ୍ୱାରା ଥଣ୍ଡାସର୍ଦ୍ଦି ସହ ଜ୍ୱର ହୋଇଥାଏ । ଯଦି କେବଳ ଥଣ୍ଡାସର୍ଦ୍ଦି ହେବା ସହ ନାକରୁ ପାଣି ବାହାରୁଛି, ତେବେ ଏହା ଆଲର୍ଜି ହୋଇଥାଇପାରେ । ଏହାକୁ ଆଲର୍ଜିକ୍‌ ରାନାଇଟିସ୍‌ କୁହାଯାଏ । କିନ୍ତୁ ଏସବୁ ଲକ୍ଷଣ ସହ ଜ୍ୱର ବଢ଼ିଚାଲିଲେ, ତେବେ ଏହା ସଂକ୍ରମଣ ଜନିତ ହୋଇଥାଏ । ଏହା ଭୂତାଣୁଜନିତ କିମ୍ବା ଅନ୍ୟ କିଛି ସଂକ୍ରମଣ ମଧ୍ୟ ହୋଇପାରେ । ପ୍ରାୟତଃ ୯୦ ପ୍ରତିଶତ ଜ୍ୱର ଭୂତାଣୁଜନିତ ସମସ୍ୟା ପାଇଁ ହୋଇଥାଏ। 

ଚିହ୍ନଟ -ପ୍ରଥମେ ଜ୍ୱରର କାରଣ ଚିହ୍ନଟ କରାଯିବା ଆବଶ୍ୟକ । ଯଦି ଭୂତାଣୁଜିନତ ଜ୍ୱର ହୋଇଥାଏ, ତେବେ ଆଣ୍ଟିବାୟୋଟିକ୍‌ ଖାଇବା ପୂର୍ବରୁ ଆଣ୍ଟି ଆଲର୍ଜି ଓ ପାରାସିଟାମଲ୍‌ ଖାଇପାରିବେ । ଘରୋଇ ଚିକିତ୍ସା ମଧ୍ୟ କରିପାରିବେ । ଯଦି ଭଲ ନ ହୁଏ, ତେବେ ଡାକ୍ତର ପରାମର୍ଶ କ୍ରମେ ସଂକ୍ରମଣ ହୋଇଛି କି ନା ଜାଣିବା ପାଇଁ ରକ୍ତ ପରୀକ୍ଷା କରାଇ ପାରିବେ । ଯଦି ଦୁଇ/ତିନି ଦିନରୁ ଅଧିକ ଦିନ ଥଣ୍ଡା ସହ ଜ୍ୱର ରହୁଥାଏ, ତେବେ ଡାକ୍ତର ପରାମର୍ଶ ନିଅନ୍ତୁ । କେବଳ ଥଣ୍ଡା ରହୁଥିଲେ, ଡାକ୍ତରୀ ଚିକିତ୍ସା ଆବଶ୍ୟକ ନାହିଁ । 

ପ୍ରତିକାର-ଏହା ଏକ ପରିବେଶ ଜନିତ ସମସ୍ୟା । ତେଣୁ ସାମୁହିକ ଭାବେ ପ୍ରତିକାର କରିବା ମଧ୍ୟ ଆବଶ୍ୟକ । ଯେପରି ଗଛ ଲଗାଇବା, ଗାଡ଼ିମଟରର କମ୍‌ ବ୍ୟବହାର କରିବା ଦରକାର । ଧୂଆଁ ଓ ଧୂଳିଠାରୁ ଦୂରେଇ ରହିବା ପାଇଁ ମାସ୍କ ଲଗାଇବା ସବୁଠାରୁ ବଡ଼ ପ୍ରତିକାର ବ୍ୟବସ୍ଥା । ସେହିପରି ଶ୍ୱାସନଳୀକୁ ପ୍ରଭାବିତ କରୁଥିବା ଖାଦ୍ୟ ପାନୀୟ ଯେପରିକି ଆଇସ୍‌କ୍ରିମ୍‌ ଓ ଥଣ୍ଡାପାନୀୟଠାରୁ ଦୂରେଇ ରହିବା ଜରୁରି । ଅନେକ ଲୋକଙ୍କଠାରେ ଭିନ୍ନ ଭିନ୍ନ ପ୍ରକାରର ଆଲର୍ଜି ରହିଥାଏ । 

ବିଶେଷକରି ଶୀତଦିନେ ସେସବୁ ଜିନିଷଠାରୁ ଦୂରେଇ ରହିବାକୁ ପ୍ରୟାସ କରିବା ଆବଶ୍ୟକ । ଧୂଳି ଆଲର୍ଜି ଖୁବ୍‌ ସାଧାରଣ । ବିଶେଷକରି ଯେଉଁମାନଙ୍କଠାରେ ଆଜ୍‌ମା, ମଧୁମେହ, ସିଓପିଡି, ହୃତ୍‌ପିଣ୍ଡଜନିତ ସମସ୍ୟା, ଧୂମପାନ କରୁଥିବା ଲୋକମାନେ ଓ ବୟସ୍କ ଲୋକମାନେ ନିଜ ପ୍ରତି ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ । 

ଶୀତଦିନେ ଘରକୁ ସଫା ରଖିବା ସହ ପୋଷା ଜୀବଜନ୍ତୁଙ୍କଠାରୁ ଦୂରେଇ ରହିବା ଜରୁରି । କାରଣ ସେମାନଙ୍କଠାରୁ ମଧ୍ୟ ଆଲର୍ଜି ହେବାର ଆଶଙ୍କା ରହିଥାଏ । ସେହିପରି ନିୟମିତ ସମୟ ବ୍ୟବଧାନରେ ପୋଷାକପତ୍ର ଓ ବେଡ୍‌ ସିଟ୍‌ ଆଦି ବଦଳାଇବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.