ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ଆମେରିକାର ଦାବିକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନେକ ଥର ପ୍ରତ୍ୟାଖ୍ୟାନ କରିଛି। ହେଲେ ଏହା ପରେ ବି, ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ନିଜକୁ ଶ୍ରେୟ ଦେବାରେ ଲାଗି ପଡିଛନ୍ତି।
ଭାରତ ଆଜି (ଗୁରୁବାର) ପୁଣି ଥରେ ସ୍ପଷ୍ଟ କରିଛି ଯେ,ଯୁଦ୍ଧବିରତି ପାଇଁ କୌଣସି ଆଲୋଚନାରେ ବାଣିଜ୍ୟ କିମ୍ବା ଶୁଳ୍କ ପ୍ରସଙ୍ଗ ଉଠାଯାଇ ନାହିଁ। ବୈଦେଶିକ ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଗୁଳିମାଡ଼ ବନ୍ଦ କରିବାର ନିଷ୍ପତ୍ତି ଭାରତ ଏବଂ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ନିଆଯାଇଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ଯେପର୍ଯ୍ୟନ୍ତ ପାକିସ୍ତାନ ସହିତ ଆମର ସମ୍ପର୍କର ପ୍ରଶ୍ନ ଉଠୁଛି, ସେପର୍ଯ୍ୟନ୍ତ ଆମର ଦୃଷ୍ଟି ସ୍ପଷ୍ଟ। ଯେକୌଣସି ସମ୍ପର୍କ ଦ୍ୱିପାକ୍ଷିକ ହେବା ଉଚିତ। ଆମେ ପୁଣି ଥରେ କହିବାକୁ ଚାହୁଁଛୁ ଯେ, ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ। ସେମାନଙ୍କୁ ସେହି କୁଖ୍ୟାତ ଆତଙ୍କବାଦୀ ମାନଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପଡିବ, ଯାହାଙ୍କ ରେକର୍ଡ ଏବଂ ତାଲିକା ଆମେ କିଛି ବର୍ଷ ପୂର୍ବରୁ ସେମାନଙ୍କୁ ଦେଇଥିଲୁ। ଜାମ୍ମୁ ଏବଂ କାଶ୍ମୀର ଉପରେ ଆଲୋଚନା ସେତେବେଳେ ହେବ ଯେତେବେଳେ ପିଓକେ ଖାଲି ହେବ ଏବଂ ଯେତେବେଳେ ପାକିସ୍ତାନ ଏହି ଅଞ୍ଚଳ ଆମକୁ ହସ୍ତାନ୍ତର କରିବ। 'ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ'
ତେବେ ଟ୍ରମ୍ଫ ପ୍ରଶାସନ ଏକ ଆମେରିକୀୟ କୋର୍ଟକୁ କହିଛି ଯେ, ଆମେରିକା ରାଷ୍ଟ୍ରପତି ନିଜେ ଶୁଳ୍କ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ଥିଲେ। ଟ୍ରମ୍ପଙ୍କ ଅଧିକାରୀ ହାୱାର୍ଡ ଲୁଟନିକ୍ କୋର୍ଟକୁ କହିଥିଲେ ଯେ ଯଦି ସରକାରଙ୍କ ଶୁଳ୍କ ଲାଗୁ କରିବାର କ୍ଷମତା ହ୍ରାସ କରାଯାଏ, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଭାଙ୍ଗିଯିବ।