ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏସ-୪୦୦ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାର ଅପରେସନ ସିନ୍ଦୁର ସମୟରେ ଉଲ୍ଲେଖନୀୟ ସଫଳତା ପାଇବା ପରେ ଭାରତ ରୁଷିଆଠାରୁ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଅଧିକ ଏକକ କ୍ରୟ ପାଇଁ ଔପଚାରିକ ଅନୁରୋଧ କରିଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଏସ-୪୦୦ ବ୍ୟବସ୍ଥା ପାକିସ୍ତାନରୁ ଆସୁଥିବା ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ଅତ୍ୟନ୍ତ ନିର୍ଭୁଲତାର ସହ ପ୍ରତିହତ କରିଥିଲା। ଯାହା ଏହାର ଅସାଧାରଣ କ୍ଷମତାକୁ ପ୍ରମାଣ କରିଛି।
ମଇ ୭ ଓ ୮ ତାରିଖ ମଧ୍ୟରାତିରେ ପାକିସ୍ତାନ ଉତ୍ତର ଏବଂ ପଶ୍ଚିମ ଭାରତର ଅବାନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, ଲୁଧିଆନା, ଚଣ୍ଡୀଗଡ଼ ଏବଂ ଭୁଜ ଆଦି ୧୫ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଡ୍ରୋନ ଏବଂ ମିସାଇଲ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତର ଥିବା ଏସ-୪୦୦ ବା ‘ସୁଦର୍ଶନ ଚକ୍ର’ ଏବଂ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରିଡ ଏହି ଆକ୍ରମଣକୁ ସଫଳତାର ସହ ନିଷ୍କ୍ରିୟ କରିଥିଲା। ଏହି ବ୍ୟବସ୍ଥା ୬୦୦ କିଲୋମିଟର ଦୂରରୁ ବିମାନ, ଡ୍ରୋନ, କ୍ରୁଜ ମିସାଇଲ ଏବଂ ବାଲିଷ୍ଟିକ ମିସାଇଲ ସନ୍ଧାନ କରି ୪୦୦ କିଲୋମିଟର ପର୍ଯ୍ୟନ୍ତ ଧ୍ୱଂସ କରିବାର କ୍ଷମତା ରହିଛି।
୨୦୧୮ରେ ଭାରତ ରୁଷିଆ ସହ ୫.୪୩ ବିଲିୟନ ଡଲାରର ଚୁକ୍ତି ମାଧ୍ୟମରେ ପାଞ୍ଚଟି ଏସ-୪୦୦ ସ୍କ୍ୱାଡ୍ରନ କ୍ରୟ କରିଥିଲା। ବର୍ତ୍ତମାନ ଚାରିଟି ସ୍କ୍ୱାଡ୍ରନ ମୁତୟନ ହୋଇଛି। ଗୋଟିଏ ସ୍କାର୍ଡନ ଜମ୍ମୁ ଓ କାଶ୍ମୀରର ପଠାନକୋଟ ଏବଂ ପଞ୍ଜାବର ପ୍ରତିରକ୍ଷା ପାଇଁ, ଅନ୍ୟଟି ରାଜସ୍ଥାନ ଏବଂ ଗୁଜରାଟର ରଣନୈତିକ ଅଞ୍ଚଳରେ ନିୟୋଜିତ ରହିଛି। ଅପରେସନ ସିନ୍ଦୁର ସମୟରେ ଏହି ବ୍ୟବସ୍ଥା ପାକିସ୍ତାନୀ ବିମାନ ଏବଂ ମିସାଇଲକୁ ମିଶନ ପରିତ୍ୟାଗ କରିବାକୁ ବାଧ୍ୟ କରିଥିଲା। ଏହା ଦେଖି ଭାରତ ନିଜର ବାୟୁ ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ଅଧିକ ଏସ-୪୦୦ ଏକକ କିଣିବାକୁ ନିଷ୍ପତ୍ତି ନେଇଛି।
ଅପରେସନ ସିନ୍ଦୁର ଏପ୍ରିଲ ୨୨ ତାରିଖରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆରମ୍ଭ ହୋଇଥିଲା। ଯେଉଁଥିରେ ୨୬ ନାଗରିକ ନିହତ ହୋଇଥିଲେ। ଭାରତ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ ଆକ୍ରମଣ କରି ପ୍ରାୟ ୧୦୦ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଥିଲା। ଏହାର ପ୍ରତିକ୍ରିୟାରେ ପାକିସ୍ତାନ ଡ୍ରୋନ ଓ ମିସାଇଲ ଆକ୍ରମଣ ଚେଷ୍ଟା କରିଥିଲା। କିନ୍ତୁ ଭାରତର ଏସ-୪୦୦ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ସମ୍ପୂର୍ଣ୍ଣ ବିଫଳ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦମପୁର ବାୟୁସେନା ଆଧାରକୁ ପରିଦର୍ଶନ କରି ପାକିସ୍ତାନର ଏସ-୪୦୦ ଧ୍ୱଂସ ଦାବିକୁ ଖଣ୍ଡନ କରିଥିଲେ। ସେ ଏହି ବ୍ୟବସ୍ଥାର ଶକ୍ତି ଏବଂ ଭାରତୀୟ ସେନାର କ୍ଷମତାକୁ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ।
ସୂତ୍ର ଅନୁସାରେ, ରୁଷିଆ ଭାରତର ଅନୁରୋଧକୁ ନିକଟ ଭବିଷ୍ୟତରେ ଅନୁମୋଦନ କରିବାର ସମ୍ଭାବନା ରହିଛି। ଏହା ଭାରତର ବାୟୁ ପ୍ରତିରକ୍ଷା ଶକ୍ତିକୁ ଆହୁରି ସୁଦୃଢ଼ କରିବ ଏବଂ ପାକିସ୍ତାନ ଓ ଚୀନ ଭଳି ପଡ଼ୋଶୀ ଦେଶମାନଙ୍କଠାରୁ ଆସୁଥିବା ବିପଦକୁ ମୁକାବିଲା କରିବ।
ଏହି ଘଟଣା ଭାରତର ରଣନୈତିକ ଶକ୍ତି ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାର ମହତ୍ତ୍ୱକୁ ପୁନର୍ବାର ଉଜାଗର କରିଛି।