ନୂଆଦିଲ୍ଲୀ: ଅଜାଣତରେ ଆକ୍ରମଣର ସ୍ୱୀକାରୋକ୍ତି କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ଭାରତ ମେ ୯-୧୦ ତାରିଖ ରାତିରେ ପାକିସ୍ତାନର ପ୍ରମୁଖ ସାମରିକ ଅଡ୍ଡାଗୁଡିକୁ ବ୍ରହ୍ମୋସ ମିସାଇଲ୍ ଦ୍ୱାରା ଆକ୍ରମଣ କରିଥିଲା। ଅଜରବୈଜାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶରିଫ କହିଛନ୍ତି ଯେ, ପାକିସ୍ତାନ ସେନା ମେ ୧୦ ତାରିଖ ସକାଳେ ଫଜର ନମାଜ ପରେ ଭାରତ ଉପରେ ଆକ୍ରମଣର ଯୋଜନା କରିଥିଲା। କିନ୍ତୁ ତା ପୂର୍ବରୁ ହିଁ ଭାରତର ବ୍ରହ୍ମୋସ ମିସାଇଲ୍ ରାଓ୍ଵଲପିଣ୍ଡି ବିମାନବନ୍ଦର ସମେତ ବିଭିନ୍ନ ପ୍ରାନ୍ତକୁ ଆକ୍ରମଣ କରିଥିଲା।
ଶରିଫଙ୍କ କହିବା ଅନୁସାରେ, ସେନା ମୁଖ୍ୟ ଜେନେରାଲ ଅସିମ ମୁନିର, ଯିଏ ବର୍ତ୍ତମାନ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ପାଇଛନ୍ତି, ତାଙ୍କୁ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଭାରତ ଏସୟୁ-୩୦ ଏମକେଆଇ ଯୁଦ୍ଧବିମାନରୁ ପ୍ରାୟ ୧୫ଟି ବ୍ରହ୍ମୋସ ମିସାଇଲ୍ ଏବଂ ଅନ୍ୟାନ୍ୟ ସଠିକ ଅସ୍ତ୍ର ପ୍ରୟୋଗ କରି ରାଫିକି, ମୁରିଦ, ରହିମ ଯାର ଖାନ, ସୁକ୍କୁର ଏବଂ ଚୁନିଆନ ସମେତ ୧୧ଟି ପାକିସ୍ତାନୀ ସାମରିକ ଅଡ୍ଡାକୁ ଟାର୍ଗେଟ କରିଥିଲା।
ଏହି ଆକ୍ରମଣ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅଭିଯାନର ନାମ ଅପରେସନ ସିନ୍ଦୁର ହୋଇଥିବା ବେଳେ ଭାରତୀୟ ବାୟୁସେନା ପାକିସ୍ତାନର ଚୀନ ନିର୍ମିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ସଠିକ ଆକ୍ରମଣ କରିଥିଲା। ସାଟେଲାଇଟ ଚିତ୍ର ଅନୁସାରେ, ରାଓ୍ଵଲପିଣ୍ଡିରେ ଥିବା ନୁର ଖାନ ବିମାନଘାଟିରେ ଦୁଇଟି ସାମରିକ ବିମାନ ମଧ୍ୟ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଥିଲା।
ଶରିଫଙ୍କ ଏହି ସ୍ୱୀକାରୋକ୍ତି ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇଛି। ଗୋଟିଏପଟେ ପାକିସ୍ତାନ ଭାରତର ଆକ୍ରମଣକୁ ସ୍ୱୀକାର କରୁନହିଁ। ତ ଆଉ ଗୋଟିଏପଟେ ପାକିସ୍ତାନ ଦେଶ ମୁଖ୍ୟ ବାହାର ଦେଶରେ ଯାଇ ବାରତ ଆକ୍ରମଣ କରିଥିବା ନେଇ ସ୍ୱୀକାର କରିଛନ୍ତି। ଯାହା ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନର ସଫଳତା ଏବଂ ସଠିକତାକୁ ପ୍ରତିଫଳିତ କରୁଛି।