ବଇଣ୍ଡା,୨୮/୦୨: ଏକବିଂଶ ଶତାବ୍ଦୀରେ ବି କଠୋର ଜାତିପ୍ରଥା । ବାସନ୍ଦ କଟକଣାରୁ ମରିଗଲା ମାନବିକତା । ଭିନ୍ନ ଜାତିରେ ବିବାହ କରିବାରୁ ଜିଇଁଥିବା ବେଳେ ପରିବାର କି ଶ୍ୱଶୁର ଘର ଲୋକ ମୁହଁକୁ ତ ଚାହୁଁ ନ ଥିଲେ ଗୁରୁବାର ଅକାଳ ମୃତ୍ୟୁ ପରେ ଶବକୁ କାନ୍ଧଦେବାକୁ ବି ଆସିଲେନି । ବିଧବା ପତ୍ନୀ ନାବାଳିକା ଝିଅ ସହ ଖଟରେ ବୋହି ସ୍ୱାମୀଙ୍କ ମରଶରୀର ମଶାଣିକୁ ନେବା ଘଟଣା ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ବଇଣ୍ଡା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି ।
ସ୍ଥାନୀୟ ପୁଲିସ୍, ବ୍ଲକ୍ କି ତହସିଲ୍ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ସହାୟତା ମିଳି ନ ଥିଲା । ପରନ୍ତୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ଶବଦାହ ପାଇଁ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବାରୁ ଘରପାଖ ଶ୍ମଶାନରେ ଯୁବକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଥାନା ପେଣ୍ଡରାବସା ଗ୍ରାମର ପ୍ରକାଶ ପ୍ରଧାନ(୪୫) ୧୫ ବର୍ଷ ତଳେ ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ୱାଳଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ଭିନ୍ନ ଜାତିର । ପାଲା ଗାୟକଙ୍କ ସହଯୋଗୀ ଭାବରେ ଉଭୟ କାମ କରୁଥିଲେ। ହେଲେ ବିବାହ ପରଠାରୁ ପ୍ରକାଶ ଓ ରୀତାଙ୍କ ପରିବାର ଦମ୍ପତିଙ୍କୁ ଗ୍ରହଣ କରିପାରିନଥିଲେ । ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସମାଜର କଟକଣାକୁ ଡରି ପ୍ରକାଶ ଓ ରୀତାଙ୍କ ପରିବାର ଲୋକେ ସେମାନଙ୍କଠାରୁ ଦୂରେଇ ଯାଇଥିଲେ । ଶରଧାମୁଣ୍ଡାଠାରେ ଘରଟିଏ ତୋଳି ପ୍ରକାଶ ମୁଣ୍ଡ ଗୁଞ୍ଜିଥିଲେ । ଉଭୟଙ୍କ ଦୁଇ ଝିଅ ଓ ଏକ ପୁଅ ଥିବା ବେଳେ ୫ ବର୍ଷ ତଳେ ସତେ ଯେମିତି ପରିବାରରେ ଚଡ଼କ ପଡ଼ିଥିଲା । କିଡ୍ନୀ ରୋଗରେ ପଡ଼ିଲେ ପ୍ରକାଶ । ଗୁରୁବାର ସକାଳେ ଆଖି ବୁଜିଥିଲେ । ପ୍ରକାଶଙ୍କ ମୃତ୍ୟୁ ସମ୍ପର୍କରେ ରୀତା ତାଙ୍କ ଶଶୁର ଘର ଓ ବାପ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଉଭୟଙ୍କ ପରିବାର ଆସି ଦୂରରୁ ଶବ ଦେଖି ପଳାଇ ଯାଇଥିଲେ । ବଇଣ୍ଡା ଗ୍ରାମର କିଛି ଯୁବକ ପହଞ୍ଚି ଶବଦାହ କରିବା ପାଇଁ କାଠ ସହ ଅନ୍ୟାନ ସାମଗ୍ରୀ ଯୋଗାଇ ଦେଇଥିଲେ । ଅସହାୟ ରୀତା ଓ ତାଙ୍କ ଝିଅ ପ୍ରକାଶଙ୍କର ମୃତଦେହ ଖଟିଆରେ ବୋହି ଶ୍ମଶାନକୁ ନେଇଥିଲେ । ପୁଅ ମୁଖାଗ୍ନି ଦେଇଥିଲେ ।