ମନମୁଣ୍ଡା,୧୩/୮ : ମନମୁଣ୍ଡାରେ ଆଜି ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ଦିଗଦର୍ଶନ ଓ ବରିଷ୍ଠ ବିଜେପି ନେତା ଶିବ ନାରାୟଣ ଚୌଳିଆଙ୍କ ନେତୃତ୍ୱ, ଯୁବ ନେତା ଦେବେନ୍ଦ୍ର ନଇଙ୍କ ପରିଚାଳନା କ୍ରମେ ସ୍ବଚ୍ଛତା ସହ ସ୍ୱତନ୍ତ୍ରତାର ଉତ୍ସବ 'ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ବଚ୍ଛତା'ର ବାର୍ତ୍ତା ନେଇ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା ।
ମନମୁଣ୍ଡା ବିଜେପି ମଣ୍ଡଳ ଅନ୍ତର୍ଗତ ମନମୁଣ୍ଡା, ଗୁଡ଼ଭେଲିପଦର, ବିଲାସପୁର, ବରଗୋଛା, ସୁଣ୍ଡିପଦର, ଘିକୁଣ୍ଡୀ, ଖଟଖଟିଆ, ଯୋଗିନ୍ଦ୍ରପୁର ଆଦି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧ ସଙ୍ଗୀତର ତାଳେ ତାଳେ ଜାତୀୟ ରାଜପଥ ୫୭ବାସୁଦେବପାଲି 'ମା ମାଉଲି' ପୀଠରୁ ମନମୁଣ୍ଡା ସହର, ସୁବର୍ଣ୍ଣପାଲି ଦେଇ ଦେଉଳି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ଏହି ଅବସରରେ ବିଜେପି ପକ୍ଷରୁ ସ୍ଵାଧୀନତା ଦିବସରେ ଘରମାନଙ୍କରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ଜାତୀୟ ପତାକା ମାନ ସହରରେ ବଣ୍ଟନ କରିଥିଲେ।