ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ନିଅଣ୍ଟିଆ ବର୍ଷା, ଧାନ ବିଲ ଫାଟି ଆଁ : ଚିନ୍ତାରେ ଚାଷୀକୁଳ

Published By : Rasmita Pradhan | August 13, 2025 2:46 PM

ଆଠମଲ୍ଲିକ,୧୩/୦୮ : ଚଳିତ ବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ବର୍ଷା ସ୍ୱାଭାବିକ ହୋଇଥିଲେ ହେଁ ଗତ ୨୦ ଦିନ ଧରି ଆଠମଲ୍ଲିକ ଉପଖଣ୍ଡରେ ଟୋପାଏ ବି ବର୍ଷା ନାହିଁ । ଧାନଚାଷ ପାଇଁ ଜଳାଭାବ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । ତଳିରୁଆ, ବିହୁଡ଼ା ହୋଇଥିବା ଧାନବିଲ ଫାଟି ଆଁ’ ହୋଇରହିଛି । ଆଠମଲ୍ଲିକ ଉପଖଣ୍ଡରେ ନିକଟ ଭବିଷ୍ୟତରେ ଭଲ ବର୍ଷା ନହେଲେ ଧାନଚାଷ ସମ୍ପୂର୍ଣ୍ଣ ମାଡ଼ ଖାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଆଠମଲ୍ଲିକ ଏନ୍‌ଏସି ଓ ଆଠମଲ୍ଲିକ ବ୍ଲକ୍‌ର ୨୪ଟି ପଞ୍ଚାୟତର ୧୫ ହଜାର ୩୫୬ ହେକ୍ଟର, କିଶୋରନଗର ବ୍ଲକ୍‌ର ୨୩ଟି ପଞ୍ଚାୟତର ୧୨ ହଜାର ୪୦ ହେକ୍ଟର ଜମିରେ ଧାନଚାଷ ହୋଇଛି । ଜୁନ୍‌ ମାସରେ ଆଠମଲ୍ଲିକ ଉପଖଣ୍ଡରେ ହାରାହାରି ବୃଷ୍ଟିପାତ ୧୯୭.୬ ମିଲିମିଟର, ଜୁଲାଇ ମାସରେ ୩୨୯.୬ ମିଲିମିଟର ହୋଇଥିବା ଜଣାଯାଇଛି । ସବୁ ଅଞ୍ଚଳରେ ସମାନୁପାତରେ ବର୍ଷା ହୋଇନଥିବାରୁ ଆଠମଲ୍ଲିକ ବ୍ଲକ୍‌ର ଅଏଡା, ଲୁହାସିଙ୍ଗା, ଜାମୁଡୋଲି, ମଇମୁରା, କନ୍ତପଡ଼ା, ସାପଘରା ଆଦି ପଞ୍ଚାୟତରେ ଚାଷ ପଛେଇ ଯାଇଛି । ଅନ୍ୟ ପଞ୍ଚାୟତରେ କିନ୍ତୁ ବର୍ଷା ସ୍ୱାଭାବିକ ଥିବାରୁ ଚାଷ ଆଗୁଆ ହୋଇଥିଲା । ହେଲେ ଗତ ଜୁଲାଇ ୨୦ ତାରିଖ ପରଠାରୁ ଆଠମଲ୍ଲିକ ଉପଖଣ୍ଡରେ ବର୍ଷା ନାହିଁ । ପାଗ ଶୁଖିଲା ରହିଥିବା ବେଳେ ଦିନରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ରୁଆ ଯାଇଥିବା ଧାନ ବିଲରୁ ପାଣି ଶୁଖି ମାଟି ଫାଟି ଗଲାଣି । ପାହାଡି ଝରଣା ଗୁଡ଼ିକରେ ମଧ୍ୟ ସ୍ରୋତ ଶୁଖିଗଲାଣି । ଏଭଳି ସ୍ଥିତି ଚାଷୀଙ୍କୁ ଚିନ୍ତାରେ ପକାଇଛି । 

ସୂଚନାଯୋଗ୍ୟ, ଆଠମଲ୍ଲିକ ଉପଖଣ୍ଡରେ ସଂଖ୍ୟାଧିକ ସେଚ ପ୍ରକଳ୍ପ ରହିଥିଲେ ମଧ୍ୟ ଅଚଳ ହୋଇପଡ଼ିଛି । ତେଣୁ ବର୍ଷା ଉପରେ ଚାଷୀ ନିର୍ଭର କରୁଛି । ମାନଜୋର ଜଳସେଚନ ପ୍ରକଳ୍ପ ଦ୍ୱାରା ୪୪୫୮ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇଥାଏ । ତେବେ ପାଣି ପଞ୍ଚାୟତ ଗଠନ ହୋଇନଥିବାରୁ ଜଳର ସୁଷମ ବଣ୍ଟନ ହୋଇପାରୁନି । ପ୍ରତ୍ୟେକ କେନାଲର ତଳ ମୁଣ୍ଡରେ ଥିବା ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ । ସେହିପରି ଭୂତଳ ପାଇପ ମାଧ୍ୟମରେ ମାନଜୋର କେନାଲରୁ ନଅଗାଁ ପଞ୍ଚାୟତ ପର୍ଯ୍ୟନ୍ତ ୨୦୫୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ୫୩ କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ । ଅନ୍ୟାନ୍ୟ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଆଡ଼ିବନ୍ଧ ମାଧ୍ୟମରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୧୩୪୭ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ହୋଇଥାଏ । ତେବେ ବର୍ଷା ଅଭାବରୁ ଆଡ଼ିବନ୍ଧ ଗୁଡ଼ିକରେ ପର୍ଯ୍ୟାପ୍ତ ପାଣିନାହିଁ । 

ଆଠମଲ୍ଲିକ ଉପଖଣ୍ଡର ମହାନଦୀ ଅବବାହିକାରେ କାଦପଡ଼ା, କୁମ୍ଭିଆ, କୁଟେଶ୍ୱର୍‌ ଓ ପତାକାଠାରେ ପାର୍ବତୀଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି । ଏହି ୪ଟି ପ୍ରକଳ୍ପରୁ ୨୬୭୩ ହେକ୍ଟର ଜମିରେ ପାଣିମାଡ଼ିବା କଥା । ତେବେ ଆଠମଲ୍ଲିକରେ ଏହି ବିଭାଗର କୌଣସି କାର୍ଯ୍ୟାଳୟ ନାହିଁ । ବିଭାଗର କୌଣସି ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳନ୍ତି ନାହିଁ । କାମ ସରିବା ପରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପଏଣ୍ଟରେ ପାଣି ପହଞ୍ଚିଲା କି ନାହିଁ ତାହା ଅନୁଧ୍ୟାନ ମଧ୍ୟ ହୋଇନାହିଁ । ତେଣୁ ବାସ୍ତବତା ଭିନ୍ନ । ଜମିରେ ପାଇପ ପୋତା ଯାଇଥିଲେ ମଧ୍ୟ ପାଣି ନାହିଁ । ଅଢ଼େଇ ଏକର ଜମି ପାଇଁ ଗୋଟିଏ ପଏଣ୍ଟ ଦିଆଯାଇଛି । ପଏଣ୍ଟ ଗୁଡ଼ିକ ଖାଲ ଜମିରେ ଦିଆଯାଇଥିବାରୁ ଉଚ୍ଚ ଜମିକୁ ପାଣି ଉଠିପାରୁନି । ଆଠମଲ୍ଲିକ ଉପଖଣ୍ଡରେ ପ୍ରାୟ ୪ ଶହ ଉଠା ଜଳସେଚନ ପଏଣ୍ଟ୍‌ ରହିଛି । ହେଲେ ଅଧିକାଂଶ ଅଚଳ, ମରାମତି କରାଯାଉନାହିଁ । ଏହିସବୁ ପ୍ରକଳ୍ପ ଦ୍ୱାରା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୧୫୦୧ ହେକ୍ଟର ଜମିକୁ ଜଳସେଚିତ ହୋଇଥାଏ । ଆଠମଲ୍ଲିକ ଉପଖଣ୍ଡରେ ଜଳସେଚନ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଉପଖଣ୍ଡରେ ଜଳସେଚନ ବ୍ୟବସ୍ଥା କେବଳ କାଗଜକଲମରେ ବୋଲି ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.