ବୁର୍ଲା, ୧୩/୮ : ବୁର୍ଲା ଭିମସାରରେ ଅଘଟଣ। ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ। ମେଡିକାଲର ପ୍ରଥମ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସରିଦାର (୨୯ ବର୍ଷ) ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଭାଟିଗାଓଁର ସୁବୀର ସରିଦାର ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରିତର ହୋଇଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଭୋର ସକାଳୁ ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ଭିମସାର କାଜୁଆଲଟିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ଦିନ ସାଢେ ୧୧ଟାରେ ଅସ୍ତ୍ରୋପଚାର କକ୍ଷ ସମ୍ମୁଖରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା। ସେଠାରୁ ସେ କୌଶଳ କ୍ରମେ ଖସିଯାଇ ପ୍ରଥମ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁଣି ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ରୋଗୀଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ଏଭଲି କରିଥିବା କୁହାଯାଉଛି।