ଭୁବନେଶ୍ୱର,୨୭/୦୩: ପାର୍ଟ ପ୍ଲଟ ବିକ୍ରି ପାଇଁ ବାଟ ଫିଟିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଯୋଜନା ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ ) ନିୟମ, ୨୦୨୦ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଚିଠା ନିୟମ ପ୍ରକାଶ ପାଇଛି । ୧୫ ଦିନରେ ଏ ନେଇ ମତାମତ ଗ୍ରହଣ କରାଯିବ ଓ ତାପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
ସଂଶୋଧିତ ଚିଠାରେ ପାର୍ଟ ପ୍ଲଟ୍ ବିକ୍ରି ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି ସରକାର । ପ୍ଲଟିଂ ବେଳେ ଅତି କମ୍ରେ ୯ ମିଟର ରାସ୍ତା ଛାଡ଼ିବାକୁ କୁହାଯାଇଛି । ଏହି ରାସ୍ତାକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଗିଫ୍ଟ ଦେବାକୁ ପଡିବ । ପାର୍ଟ ପ୍ଲଟ ରେଜିଷ୍ଟ୍ରି ସମୟରେ ଜମିର ବେଞ୍ଚ ମାର୍କର ୧୫ ପ୍ରତିଶତ କମ୍ପାଉଣ୍ଡିଂ ଫି ଦାଖଲ କରିବାକୁ ପଡିବ । ମୂଳ ପ୍ଲଟକୁ ସବ୍ ପ୍ଲଟରେ ପରିବର୍ତ୍ତନ କରି ବିକ୍ରି ସମୟରେ ଲେ-ଆଉଟକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ସବ୍-ପ୍ଲଟ ୫୦୦ ବର୍ଗ ମିଟରରୁ କମ୍ ହେବ ନାହିଁ । ଆଫୋଡେବୁଲ୍ ପ୍ଲଟଗୁଡ଼ିକ ୩୦ ବର୍ଗ ମିଟରରୁ କମ୍ କମ୍ବା ୧୦୦ ବର୍ଗ ମିଟରରୁ ଅଧିକ ହେବନି । ୨୦ ଫୁଟିଆ ରାସ୍ତା ପାଇଁ ଜାଗା ଛାଡ଼ିବା ବାଧ୍ୟତାମୂଳକ । ମୂଳ ପ୍ଲଟକୁ ସବ୍ ପ୍ଲଟ ବିକ୍ରି ସମୟରେ ଲେ-ଆଉଟକୁ ବାଧ୍ୟତାମୂଳକ କରାଯାଇଛି ।
ନୂତନ ଚିଠା ନିୟମରେ ନୂଆ କୋଠା ନିର୍ମାଣରେ ନିୟମ ପରିବର୍ତ୍ତନ କରାଯାଇଛି । ଏହା ସହ ନୂଆ ଘର ନିର୍ମାଣ ଏବଂ ପ୍ଲଟ କିଣାବିକାରେ ରାସ୍ତା, ପାର୍କିଂକୁ ଗୁରୁତ୍ୱ ଦେବାକୁ ଦର୍ଶାଯାଇଛି । ପୌରାଞ୍ଚଳ ବାହାରେ ଥିବା ଶିଳ୍ପାଞ୍ଚଳ ନିର୍ମାଣ ପାଇଁ ୬ ମିଟର ରାସ୍ତା ଛାଡିବା ବାଧ୍ୟତାମୂଳକ। ସେହିପରି ଇଡ୍କୋକୁ ସାମନ୍ୟ ଆଶ୍ୱସ୍ତି ମିଳିଛି । ଇଡ୍କୋକୁ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଭାବେ ଘୋଷଣା କରାଯାଇଛି । ଏଣିକି ଇଡ୍କୋ ଅଧିନରେ ଯେଉଁ ସବୁ ଜାଗା ରହିଛି, ସେ ତାର ଲେଆଉଟ୍ ଏବଂ ପ୍ଲାନିଂ କରିବା । ଏଥିପାଇଁ ଉନ୍ନୟନ କର୍ତ୍ତୃପକ୍ଷ ମୁଣ୍ଡ ପୂରାଇବେ ନାହିଁ ।
ଏହି ସଂଶୋଧନ ରାଜ୍ୟର ସ୍ୱତନ୍ତ୍ର ଓ ବହୁ ମହଲା ବିଶିଷ୍ଟ ଶିଳ୍ପ କୋଠା, ବିଶେଷକରି ଏମ୍ଏସ୍ଏମ୍ଇ କ୍ଷେତ୍ର, ଆଇଟି ଓ ଆଇଟିଇଏସ୍ ଉଦ୍ୟୋଗ ପାଇଁ ଆଶ୍ୱସ୍ତି ଆଣିଛି । କାରଖାନା ଏବଂ ଆଇଟି ପାଇଁ ବେସ୍ ଫ୍ଲୋର ଏରିଆ ରେସିଓ (ଏଫ୍ଏଆର୍) ବୃଦ୍ଧି କରାଯିବ । କାରଖାନାଗୁଡ଼ିକ ପୂର୍ବ ତୁଳନାରେ ଦୁଇଗୁଣ ୟୁନିଟ୍ ରଖିପାରିବେ ଏବଂ ଆଇଟି ଉଦ୍ୟୋଗମାନେ କମ୍ ସଂଖ୍ୟକ ମହଲାରେ ଅଧିକ ନିର୍ମାଣ କରିପାରିବେ ।
ନୂଆ ଚିଠା ନିୟମରେ ପାର୍କିଂକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ରୁଲ୍ ୩୭ ସବ୍ ରୁଲ-୧ ଅନୁସାରେ ସପିଂ ମଲ, ମଲ୍ଟିପ୍ଲେକ୍ସ, ସିନେମା ହଲ, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ସ୍ପୋର୍ଟ କମ୍ପେ୍ଲକ୍ସ ଫ୍ଲୋର ଏରିଆ ରେସିଓ ୫୦ ରଖାଯାଇଛି । ଆବାସିକ ଗୃହ, ଆବାସ ପ୍ରକଳ୍ପ, ଗେଷ୍ଟ ହାଉସ, ଧର୍ମଶାଳା, ହୋଟେଲ, ବ୍ୟାଙ୍କ, କର୍ପୋରେଟ ଅଫିସ, ମାର୍କେଟ, ଷ୍ଟୋର ଗୁଡିକ ୩୦ ପ୍ରତିଶତ ଜାଗା ଛାଡିବେ । ଗୋଦାମ ଗୃହ ପାଇଁ ୨୦ ପ୍ରତିଶତ ଏବଂ ଶିଳ୍ପାଞ୍ଚଳ ୮ ପ୍ରତିଶତ ଜାଗା ଛାଡିବେ ।
ପ୍ଲଟ ବିକ୍ରି ସମୟରେ ବିଲଡରମାନେ ଉନ୍ନୟନ କାର୍ଯ୍ୟ ପାଇଁ ଜାଗା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜାଗାରେ ପାର୍କ, ବୃକ୍ଷରୋପଣ, କଲ୍ୟାଣ ମଣ୍ଡପ, ସ୍ୱେରେଜ ପ୍ରକଳ୍ପ, ଡ୍ରେନ୍ ଆଜି ନିର୍ମାଣ କରିବେ । ୦.୪ ହେକ୍ଟରକୁ କମ ଜାଗା ଥିଲେ ସେଠାରେ ପ୍ରତି ୮୦ ମିଟରରେ ଗଛ ଲଗାଇବେ । ସେହିପରି ୦.୪ରୁ ୨ ହେକ୍ଟର ପ୍ଲଟରେ ଲେଆଉଟ୍ ପ୍ଲାନରେ ୧୦% ଜାଗା ଛାଡିବେ । ଯଦି ବିଲଡର ଲେ-ଆଉଟ ପ୍ଲାନରେ ଓପନ୍ ସ୍ପେଶ ପାଇଁ ଜାଗା ଛାଡିନଥିବେ ତାହାଲେ ଜମିର ବେଞ୍ଚ ମାର୍କ ଅନୁସାରେ ଜରିମାନା ଆଦାୟ କରାଯିବ । ଏହାକୁ ସିଟି ଇନ୍ଫ୍ରା ଡେଭଲମେଣ୍ଟ ଫଣ୍ଡ (ସିଆଡିଏଫ୍) ରେ ଜମା କରିବାକୁ ପଡ଼ିବ । ଏହାକୁ ପରବର୍ତ୍ତୀ ସମୟରେ ଉନ୍ନତୀକରଣରେ ଲଗାଯିବ । ସେହିପରି ଦୁଇ ହେକ୍ଟରରୁ ଅଧିକ ଜମି ଥିଲେ ୧୨.୫% ଜାଗା ଛାଡିବାକୁ ପଡିବ । ଏଥିରେ ସ୍ୱେରେଜ, ଇଲେକ୍ଟ୍ରିକ୍ ସବ୍ଷ୍ଟେସନ, ଡ୍ରେନ୍ ଆଦି ନିର୍ମାଣ କରାଯିବ ।