ରାଉରକେଲା,୦୨/୦୨: ହକି ଇଣ୍ଡିଆ ଲିଗ୍ରେ ଜଣେ କୁନି ବିସ୍ମୟ ଟୁର୍ଣ୍ଣାମେଣ୍ଟର ପ୍ରଚାର ପ୍ରସାର ଦାୟିତ୍ୱରେ ରହିଥିଲେ । ତାଙ୍କୁ ହକି ଇଣ୍ଡିଆ ପକ୍ଷରୁ ବିଶେଷ ପାସ୍ ପ୍ରଦାନ କରାଯାଇଥିଲା । ସେ ହେଉଛନ୍ତି ୯ ବର୍ଷୀୟ ତର୍ସ ଲାଇଚେଟୀ । ବାପା ଦିନେଶ ଲାଇଚେଟୀ ହେଲେ ରାଉରକେଲାର ଅଧିବାସୀ । ମା’ ଜଜେଲା ଆଫ୍ରିକୀୟ । ଆଙ୍ଗୋଲାରେ ତାଙ୍କ ଘର । ତର୍ସ ବାପାଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଛନ୍ତି । ସେ ଦ୍ୱିତୀୟ ଶ୍ରେଣୀରେ ଏକ ଘରୋଇ ସ୍କୁଲରେ ପଢ଼ୁଛନ୍ତି ।
ତର୍ସଙ୍କ ବିଶେଷତ୍ୱ ହେଉଛି, ବାପା ଦିନେଶ ଓ ମା’ ଜଜେଲା ତାଙ୍କ ନାମରେ ଇନଷ୍ଟାରେ ଏକ ଆକାଉଣ୍ଟ ଖୋଲିଛନ୍ତି । ଯାହାର ନାମ ରଖିଛନ୍ତି ‘ଆଫ୍ରିକା ଟୋକା’ । ଖୁବ ଅଳ୍ପ ଦିନରେ ତାଙ୍କର ୩୮.୪ ହଜାର ଅନୁଗାମୀ ହେଲେଣି ।
ତର୍ସ ୫ଟି ଭାଷା ଯଥା ଓଡ଼ିଆ, ଇଂରାଜୀ, ହିନ୍ଦୀ, ସ୍ପାନିଶ ଓ ପର୍ତ୍ତୁଗିଜ ବେଶ ପ୍ରାଞ୍ଜଳ ଭାବେ କହି ପାରୁଛନ୍ତି । ଦିନେଶ ଏବେ ଚୀନରେ ଚାକିରି କରନ୍ତି । ପିଲାମାନଙ୍କୁ ଏଠାରେ ରଖି ପାଠ ପଢ଼ାଉଛନ୍ତି । ସେ କହିଛନ୍ତି, ‘ମୁଁ ରାଉରକେଲାର ଅଧିବାସୀ । ମୋ ବାପା ଏଠାରେ ଚାକିରି କରୁଥିଲେ । ମୁଁ ଜଜେଲାଙ୍କୁ ବିବାହ କରିବା ପରେ ଆମର ଦୁଇଟି ସନ୍ତାନ । ସେମାନେ ଏଠାରେ ପାଠ ପଢ଼ୁଛନ୍ତି ।’
ତର୍ସ ହକି, ଫୁଟବଲ ଖେଳକୁ ଭଲ ପାଆନ୍ତି । ଲିଓନେଲ ମେସି ତାଙ୍କର ପ୍ରିୟ ଖେଳାଳି । ସେ କହିଛନ୍ତି, ‘ଫୁଟବଲ ମୋର ଅତି ପ୍ରିୟ । ହକି ମଧ୍ୟ ଖେଳିବାକୁ ଭଲ ପାଏ । ଇନ୍ଷ୍ଟାରେ ମୋର ୩୮.୪ ହଜାର ଅନୁଗାମୀ ଅଛନ୍ତି । ଏହାକୁ ୧ ମିଲିୟନ କରିବାକୁ ଚାହେଁ । ମେସି ହେଉଛନ୍ତି ମୋର ପ୍ରିୟ ଖେଳାଳି ।’
ଅନର୍ଗଳ ଓଡ଼ିଆ ଓ ହିନ୍ଦୀ ଦେଶାତ୍ମକ ଗୀତ ଗାନ କରିପାରୁଛନ୍ତି ତର୍ସ । ‘ଏଇ ଦେଶ ଏଇ ମାଟି...’ ଗାନ କରି ସେ ଶୁଣାଇଥିଲେ । ‘ହକି ଇଣ୍ଡିଆ ମୋତେ ହକି ଇଣ୍ଡିଆ ଲିଗର ପ୍ରଚାର ପ୍ରସାର କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଖୁସି ରହିଛି ବୋଲି ତର୍ସ କହିଛନ୍ତି ।