ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରା ଏବଂ ମହିଳା କ୍ରିକେଟ ଟିମ୍‌ର ଷ୍ଟାର ଓପନର ସ୍ମୃତି ମନ୍ଦାନାଙ୍କୁ ବସିସିଆଇ ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି । ମୁମ୍ବାଇରେ ଆୟୋଜିତ ବାର୍ଷିକ ‘ନମନ ଆଓ୍ବାର୍ଡସ୍‌’ କାର୍ଯ୍ୟକ୍ରମରେ ୨୦୨୩-୨୪  ସିଜିନ୍‌ ଲାଗି ଭାରତୀୟ କ୍ରିକେଟରେ ଏହି ଦୁଇ ତାରକା ଖେଳାଳିଙ୍କୁ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି । ଦୁଇ ଖେଳାଳିଙ୍କ ବ୍ୟତୀତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମିଳିଛି ଲାଇଫଟାଇମ୍‌ ଆଚିଭମେଣ୍ଟସ୍‌ ଆଓ୍ବାର୍ଡ । 

ସେହିଭଳି ଭାରତୀୟ କ୍ରିକେଟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ମଧ୍ୟ ସମ୍ମାନିତ କରିଛି ବିସିସିଆଇ । ମୁମ୍ବାଇରେ ଆୟୋଜିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ବ୍ୟତୀତ ଘରୋଇ କ୍ରିକେଟରେ ନିଜର ଛାପ ଛାଡ଼ିଥିବା ଖେଳାଳିଙ୍କୁ ଖାସ୍‌ ପୁରସ୍କାର ମିଳିଛି । ତେବେ ଆଜି ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଥିବା ଦୁଇ କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ୨୦୦୭ରେ ବିସିସିଆଇ ପଲି ଉମ୍ରିଗରଙ୍କ ନାମାନୁସାରେ ଏହି ପୁରସ୍କାର ଦେବାର ପରମ୍ପରା ଆରମ୍ଭ କରିଥିଲା । 

ସର୍ବପ୍ରଥମେ ପଲି ଉମ୍ରିଗର ପୁରସ୍କାର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମିଳିଥିଲା । ସେହିଭଳି ୧ ଫେବ୍ରୁଆରୀ ୨୦୨୫ରେ ଜସପ୍ରୀତ ବୁମରାଙ୍କୁ ମିଳିଛି ପ୍ରସିଦ୍ଧ ଉମ୍ରିଗର ପୁରସ୍କାର । ୨୦୨୩-୨୪ ସିଜିନ୍‌ରେ କ୍ରିକେଟର ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ ଲାଗି ତାଙ୍କୁ ଏହି ପୁରସ୍କାର ମିଳିଛି । ଏହା ପୂର୍ବରୁ ୨୦୧୮-୧୯ରେ ବୁମରା ଏହି ଆହ୍ବାଡ୍‌ ଜିଣିଥିଲେ ।  ସେହିଭଳି ସର୍ବଶ୍ରେଷ୍ଠ ମହିଳା ଅନ୍ତର୍ଜାତୀୟ କ୍ରିକେଟର ଭାବରେ ଭାରତୀୟ ଟିମ୍‌ର ଉପଅଧିନାୟକ ଏବଂ ଷ୍ଟାର ଓପନର ସ୍ମୃତି ମନ୍ଦାନାଙ୍କୁ ମିଳିଛି ଉମ୍ରିଗର ପୁରସ୍କାର । ନିଜ କ୍ୟାରିୟରରେ ସ୍ମୃତି ମନ୍ଦାନା ଚତୁର୍ଥ ଥର ପାଇଁ ଏହି ପୁରସ୍କାର ହାସଲ କରିବାରେ ସଫଳ ହୋଇଛନ୍ତି । ସେପଟେ ଆଜିର ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନଥିଲା ।