ସମ୍ବଲପୁର,୦୮/୦୩: ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍ପିଲ୍ୱେ କାମ । ଗ୍ରାଉଣ୍ଡ ଜିରୋରେ ସିଡବ୍ଲୁସିର ୯ ଜଣିଆ ଟିମ। ଦିଲ୍ଲୀରୁ ଆସିଥିବା ସିଡବ୍ଲୁସି ଟିମ୍ ସମ୍ବଲପୁର ହୀରାକୁଦରେ ସର୍ଭେ କରିଛନ୍ତି। ହୀରାକୁଦ ବାମ ପଟ ଡାଇକ୍ରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ପାଇଁ ଅଞ୍ଚଳ ବୁଲିଦେଖିଛନ୍ତି।
ହୀରାକୁଦ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ଅଧାରେ ପଡ଼ିଥିବା ଏହି କାମ ପାଇଁ ରାଜ୍ୟ ସରକାର ଗୁରୁବାର ସଙ୍କଳ୍ପ ପତ୍ର ଜାରି କରିଥିଲେ । ଏଥିପାଇଁ ୧୦୬୬.୩୮ କୋଟି ଟଙ୍କା ଅନୁମୋଦନ ହୋଇଛି । ଯେଉଁଥିରେ ପୂର୍ବରୁ ଥିବା ଅତିରିକ୍ତ ସ୍ପିଲ୍ୱେ କାମ ଶେଷ ହେବ । ହୀରାକୁଦ ବାମ ପଟ ଡାଇକ୍ରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୯୦ କୋଟି, ୨୦୨୬-୨୭ରେ ୨୦୦ କୋଟି, ୨୦୨୭-୨୮ରେ ୨୨୪ କୋଟି, ୨୦୨୮-୨୯ରେ ୧୭୦ କୋଟି, ୨୦୨୯-୩୦ରେ ୧୧୦ କୋଟି, ୨୦୩୦-୩୧ରେ ୯୦.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ସୂଚନା ଦେଇଛି ।
ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍ ୱେ ଗେଟଗୁଡିକର ସ୍ୱୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି । କେନ୍ଦ୍ରୀୟ ଜଳ ଆୟୋଗ ଓ ଡ୍ୟାମ ସୁରକ୍ଷା ସମୀକ୍ଷା ପ୍ୟାନେଲ୍(ଡିଏସ୍ଆରପି) ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ହୀରାକୁଦ ବନ୍ଧରେ ୧୫ଟି ଡ୍ରିଲ କରି ଏହି ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବାମ ପାଶ୍ୱର୍ ବନ୍ଧରେ ନିର୍ମାଣ କରାଯାଉଥିବା ଅତିରିକ୍ତ ସ୍ପିଲ୍ ୱେ ଲମ୍ୱ ପ୍ରାୟ ୯୧ ମିଟର ରହିବ ବୋଲି କୁହାଯାଉଥିଲା । ଏଥିରେ ୫ଟି ସ୍ଲୁଇସ୍ ଗେଟ ରହିବାର ଯୋଜନା ଥିଲା । ଗାନ୍ଧୀମିନାର ନିକଟରୁ ଜବାହାର ଉଦ୍ୟାନ ପଟକୁ ନିର୍ମାଣ ହେବାକୁ ଥିବା ଏହି ଅତିରିକ୍ତ ସ୍ପିଲ୍ୱେ ଚ୍ୟାନେଲର ଲମ୍ୱ ୨ କିମି ଓ ପ୍ରସ୍ଥ ୩ ଶହ ମିଟର ରହିବ । ବର୍ତ୍ତମାନ ହୀରାକୁଦ ନବୀବନ୍ଧରେ ବନ୍ୟାଜଳ ନିଷ୍କାସନ ପାଇଁ ଥିବା ମୋଟ ୯୮ଟି ଗେଟ ମଧ୍ୟରୁ ୬୪ଟି ସ୍ଲୁଇସ୍ ଗେଟ ଓ ୩୪ଟି କ୍ରାଏଷ୍ଟ ଗେଟ୍ ରହିଛି । ଯେଉଁଥିରେ ଏକାଥରକେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହୋଇପାରୁଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଡ୍ୟାମର ବନ୍ୟାଜଳ ନିଷ୍କାସନ କ୍ଷମତା ୧୮ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।