ହରଭଙ୍ଗା,୨୮/୦୬( ଚିତ୍ତରଞ୍ଜନ ସିଂହ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ସପ ବା ମସିଣା ହେଉଛି ବୌଦ୍ଧ ଜିଲ୍ଲାର ଅନ୍ୟତମ ପରିଚୟ । ଏହି ମସିଣା ତିଆରି କରି ବିକ୍ରି କରିବା ହେଉଛି ଶତାଧିକ ପରିବାରର ପାରମ୍ପରିକ ଓ କୌଳିକ ବୃତ୍ତି । ବଜାର ଅଭାବରୁ ଏବେ ନାମକୁ ମାତ୍ର କେତେକ ପରିବାର ଏହି ମସିଣା ତିଆରି କରି ବିକ୍ରି କରୁଛନ୍ତି । ବଜାରକୁ ପ୍ଲାଷ୍ଟିକ ମସିଣା ଆସିବା ପରେ ଏହାର ଚାହିଦା କମିଯାଇଛି । ପ୍ରସିଦ୍ଧି ରହିଥିବା ଏହି ମସିଣା ସମୟ କ୍ରମେ ନିଜର ଲୋକପ୍ରିୟତା ହରାଇ ବସିଲାଣି । ଜିଲ୍ଲାର ଏହି ଲୋକ କଳା ଓ କୁଟୀର ଶିଳ୍ପ ଏବେ ସରକାରୀ ସହାୟତା ଓ ସଂରକ୍ଷଣ ଖୋଜୁଛି ।
ରାଜ୍ୟର ଲାଣ୍ଡିବନ୍ଧ ହିଁ ଏକମାତ୍ର ଗାଁ, ଯେଉଁଠି ଏହି ମସିଣା ବୁଣାଯାଇ ବିକ୍ରି କରାଯାଇଥାଏ । ମହାନଦୀ ପଠାରେ ଥିବା ଏକ ପ୍ରକାରର ଘାସକୁ ଲୋକେ ସଂଗ୍ରହ କରି ଘରକୁ ଆଣିଥାନ୍ତି । ତାକୁ ସଫା କରି ମସିଣାର କଞ୍ଚାମାଲ ଭାବେ ବ୍ୟବହାର କରାଯାଇଥାଏ । ପରିବାରର ସମସ୍ତ ସଦସ୍ୟ ଏହି ମସିଣା ତିଆରିରେ ନିଜର ପରିଶ୍ରମ ପ୍ରଦାନ କରିଥାନ୍ତି । ଲୁଗା ବୁଣାଯିବା ଭଳି ଅନ୍ୟ ଏକ ପ୍ରକାରର ତନ୍ତ ସାହାଯ୍ୟରେ ଏହି ମସିଣା ବୁଣାଯାଇଥାଏ । ମସିଣା ବୁଣାଯିବା ପରେ ସେଥିରେ ଶେଷ ସ୍ପର୍ଶ ଦେଇ ବିକ୍ରି କରିବା ପାଇଁ ବଜାରକୁ ନେଇଥାନ୍ତି । ଘାସରେ ତିଆରି ଅନେକ ପ୍ରକାରର ମସିଣା ବଜାରରେ ବିକ୍ରୟ ହେଉଥିବା ବେଳେ ଲାଣ୍ଡିବନ୍ଧ ଗ୍ରାମର ମସିଣାର ସ୍ୱତନ୍ତ୍ରତା ରହିଛି । ଲାଣ୍ଡିବନ୍ଧ ଗ୍ରାମର ମସିଣା ଉତ୍ପାଦନରେ ସମ୍ପୃକ୍ତ କାରିଗର ମାନଙ୍କୁ ନୂତନ କୌଶଳର ତାଲିମ, କଞ୍ଚାମାଲ ଯୋଗାଣ, ଆର୍ଥିକ ସହାୟତା ସହିତ ବଜାର ବ୍ୟବସ୍ଥା କରାଗଲେ ଏହା ପୁନର୍ଜୀବନ ହାସଲ କରିବ । ନଚେତ କିଛି ବର୍ଷ ପରେ ଏହା କେବଳ କାଗଜପତ୍ର, ଫୋଟୋ ଭିଡ଼ିଓରେ ଇତିହାସ ହୋଇ ରହିଯିବ ।