ଭୁବନେଶ୍ୱର,୨୩/୧୦ : ଭିତରକନିକାରେ ମାଡ଼ ହୋଇପାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ । ଏହା ପ୍ରଭାବରେ ୧୧୦-୧୨୦ କିଲୋମିଟର ବେଗରେ ପବନ ମାଡ଼ ହେବା ଆଶଙ୍କା ରହିଛି । ଏବେ ଚିନ୍ତା ପଡ଼ିଛି, ଏ ବାତ୍ୟାର ପ୍ରଭାବ ଭିତରକନିକା, ଗହୀରମଥାରେ କେମିତି ରହିବ? ବନ୍ୟପ୍ରାଣୀ, ଜୈବ ବିବିଧତା ଉଜୁଡ଼ି ଯିବ କି? ଏଭଳି ସ୍ଥିତିରେ ପରିବେଶବିତ୍ମାନେ ଆଶ୍ୱସ୍ତିକର ମତ ରଖିଛନ୍ତି । କହିଛନ୍ତି, ଏହି ବିପଦବେଳେ ସାହା ହେବ ହେନ୍ତାଳ ବଣ । ଭିତରକନିକାର ଜୈବ ବିବିଧତା ଓ ବନ୍ୟପ୍ରାଣୀଙ୍କୁ ହେନ୍ତାଳ ବଣ ସୁରକ୍ଷା ଦେବ । ପବନର ବେଗରେ ବାଧା ଦେବା ସହ ଜୁଆର ମାଡ଼ରୁ ରକ୍ଷା କରିବ ।
ପରିବେଶବିତ ତଥା ଜୈବ ବିବିଧତା ଗବେଷକ ଡ. ପ୍ରସାଦ ଦାସଙ୍କ କହିବାନୁସାରେ ସମୁଦ୍ର ତଟରେ ହେନ୍ତାଳ ବଣ ଉପକୂଳ ଅଞ୍ଚଳ ପାଇଁ ସୁରକ୍ଷା ପ୍ରାଚୀର ଭଳି କାମ କରିଥାଏ । ଭିତରକନିକାରେ ବିଶେଷ କ୍ଷୟକ୍ଷତି ହେବାକୁ ରୋକିବ ହେନ୍ତାଳ ବଣ । ହେନ୍ତାଳ ଗଛ ପବନରେ ଭାଙ୍ଗିବା କଷ୍ଟ । ଏହା ଅଧିକ ଘଞ୍ଚ ହୋଇଥିବାରୁ ପବନ ଏଥିରେ ମାଡ଼ ହେବା ପରେ ବେଗ କମିଯାଏ । ବଡ଼ କଥା ହେଲା, ହେନ୍ତାଳର ମୂଳ ଏଭଳି ଯେ ଜୁଆର ଆସିଲେ ବି ଏହା ବାଧା ଦେଇଥାଏ । ମୂଳ ପାଶ୍ୱର୍ରେ ଛୋଟ ଛୋଟ ନାଳ ଭଳି ଥିବାରୁ ଏହା ସମୁଦ୍ର ଜୁଆରକୁ ଭାଗ ଭାଗ କରିଦିଏ । ତେଣୁ ଜୁଆର ମାଡ଼ ହେଲାବେଳେ ତା’ର ଶକ୍ତି ବି କମିଯାଏ । ଏହା ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ସିଧା ଭିତରକନିକାରେ ମାଡ଼ ହେଲେ ବି ବେଶି କ୍ଷୟକ୍ଷତି କରିପାରିବନି । ବରଂ ଭିତରକନିକା ହେନ୍ତାଳ ବଣ ଯୋଗୁ ବାତ୍ୟାର ପ୍ରକୋପ କିଛି ମାତ୍ରାରେ କମିପାରେ ।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ହେନ୍ତାଳ ବଣ ପବନ ବେଗରେ ବାଧା ଦେବ । କୁମ୍ଭୀରଙ୍କର କିଛି କ୍ଷତି ହେବା ସମ୍ଭାବନା କମ୍ । ବଡ଼ ଜୁଆର ଆସିଲେ ହିଁ କିଛି ଜାଗାରେ କୁମ୍ଭୀର ଜନବସତିକୁ ଯାଇପାରନ୍ତି । ହରିଣମାନେ ବି ସୁରକ୍ଷିତ ସ୍ଥାନକୁ ପଳାଇବେ । ବନ୍ୟପ୍ରାଣୀମାନେ ପ୍ରକୃତି ସହ ଅଧିକ ସଂଶ୍ଳିଷ୍ଟ ଥିବାରୁ ସେମାନେ ନିରାପଦ ସ୍ଥାନକୁ ପଳାଇବେ । ପକ୍ଷୀମାନେ ବି ନିରାପଦ ସ୍ଥାନକୁ ପଳାଇବେ । ତେବେ ଯେଉଁ ଗେଣ୍ଡାଳିଆ ଓ ବଗ ଆଦି ପକ୍ଷୀ ଅଣ୍ଡା ଫୁଟାଇବା ପରେ ଛୁଆଙ୍କୁ ବସାରେ ରଖିଛନ୍ତି, ସେମାନଙ୍କ ବସା ଭାଙ୍ଗିଯିବ । ଏହାଦ୍ୱାରା ଉଡ଼ି ଶିଖିନଥିବା ଛୁଆଙ୍କର କ୍ଷତି ହୋଇପାରେ । ଗହୀରମଥାରେ ବାତ୍ୟାର ପ୍ରଭାବ କ’ଣ ହେବ, ଏବେ କହି ହେବନି । ଯଦି ବାତ୍ୟା ପରେ ନୂଆ ମୁହାଣ ସୃଷ୍ଟି ହେବ, ଆଗକୁ କଇଁଛ ଅଣ୍ଡାଦାନ ପ୍ରକ୍ରିୟା କିଛି ମାତ୍ରାରେ ପ୍ରଭାବିତ ହୋଇପାରେ । ମାତ୍ର ଏବେଠାରୁ କିଛି କହିହେବନି । ଓଡ଼ିଶାରେ ୪୫୦ କିମି ସମୁଦ୍ର ବେଳାଭୂମି ରହିଛି । ଉତ୍ତରରୁ ଦକ୍ଷିଣ ଯାଏଁ ଲମ୍ବିଛି ସମୁଦ୍ର ତଟ ।
୧୯୯୯ ମହାବାତ୍ୟା ପରେ ହେନ୍ତାଳ ବଣ ନେଇ ସମସ୍ତେ ଗୁରୁତ୍ୱ ଦେଇଥିଲେ । ତା’ ପରେ ରାଜ୍ୟ ସରକାର ମଧ୍ୟ ହେନ୍ତାଳ ବଣ ସୃଷ୍ଟି କରିବା ନେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ବର୍ତ୍ତମାନ ରାଜ୍ୟରେ ୨୧୯ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି । ଭିତରକନିକାରେ ହିଁ ସର୍ବାଧିକ ହେନ୍ତାଳ ବଣ ଅଛି । ପାରାଦୀପ ଓ ଭିତରକନିକାରେ ମିଶାଇଲେ ପ୍ରାୟ ୨୧୫ ବର୍ଗ କିମି ହେନ୍ତାଳ ବଣ ରହିଛି । ଏହାବାଦ ଅସ୍ତରଙ୍ଗ, ଚାନ୍ଦବାଲି ଓ ଚିଲିକାରେ କିଛି କିଛି ହେନ୍ତାଳ ବଣ ଅଛି । ୨୦୨୦ ମେ’ ମାସରେ ଆସିଥିବା ବାତ୍ୟା ଅମ୍ପନ୍ ସମୟରେ ବି ହେନ୍ତାଳ ବଣ ଭିତରକନିକାର ସୁରକ୍ଷା କବଚ ପାଲଟିଥିଲା । ସେତେବେଳେ ଭିତରକନିକା ଜାତୀୟ ଉଦ୍ୟାନରେ ବନ୍ୟପ୍ରାଣୀ କିମ୍ବା ଜୈବ ବିବିଧିତାର ବିଶେଷ କ୍ଷୟକ୍ଷତି ହୋଇନଥିଲା । ଖୋଦ୍ ଭିତରକନିକା କର୍ତ୍ତୃପକ୍ଷ ଏହି ସୂଚନା ଦେବା ସହ ଏହାର ଶ୍ରେୟ ହେନ୍ତାଳ ବଣକୁ ଦେଇଥିଲେ । ଗବେଷକଙ୍କ ମତରେ ବିଲୁପ୍ତ ହେବାକୁ ଥିବା ୭୦ ପ୍ରଜାତିର ହେନ୍ତାଳ ଗଛ ଭିତରୁ ଭିତରକନିକାରେ ୧୧ ପ୍ରଜାତି ରହିଛି । ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିମିରୁ ଅଧିକ ହେନ୍ତାଳ ବଣ ରହିଛି । ୧୯୯୯ ମହାବାତ୍ୟାବେଳେ ବି ଭିତରକନିକାରେ ହେନ୍ତାଳ ବଣ ସୁରକ୍ଷା କବଚ ପାଲଟିଥିଲା । ଏହା ପରଠାରୁ ହେନ୍ତାଳ ବଣର ଗୁରୁତ୍ୱ ବୁଝିଥିଲେ ସମସ୍ତେ ।