ନୂଆଦିଲ୍ଲୀ, ୧୬।୪: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମାଷ୍ଟର ପ୍ଲାନ୍ । ଏବେ ଦୁଇ ଚକିଆ ଯାନ କିଣିଲେ ୨ଟି ISI ମାନକ ହେଲମେଟ୍ ଫ୍ରି । ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦୁର୍ଘଟଣା ରୋକିବା ପାଇଁ ମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ ଦୁର୍ଘଟଣା ରୋକିବା ପାଇଁ ଏହି ପଦଶ୍ରେପ ନେଇ ଘୋଷଣା କରିଥିଲେ । ଏହି ଯୋଜନା ମୁତାବକ, ଯେ କେହି ବି ନୂତନ ଦୁଇ ଚକିଆ ଯାନ କିଣିବେ, କମ୍ପାନୀ ଗ୍ରାହକଙ୍କୁ ୨ଟି ହେଲମେଟ୍ ଯୋଗାଇବ । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୮୮ ହଜାର ଲୋକ ପ୍ରାଣ ହରାଉଛନ୍ତି । କେବଳ ସ୍କୁଲ୍ ସମ୍ମୁଖରେ ୧୦ ହଜାର ପିଲାଙ୍କର ମୃତ୍ୟୁ ହେଉଛି । ଏହାକୁ ରୋକିବାକୁ ସେ ଏହି ବଡ଼ ପଦକ୍ଷେପ ନେଇଛନ୍ତି ।
୨ ଚକିଆ ଯାନ କିଣିଲେ ଯୋଗାଇ ଦିଆଯିବ ୨ ଚକିଆ ହେଲମେଟ୍ :
ଗଡ଼କରୀ କହିଛନ୍ତି ଯେ, ଯିଏ ୨ ଚକିଆ ଯାନ କିଣନ୍ତି, କମ୍ପାନୀ ତାଙ୍କୁ ଏକ ଭଲ କମ୍ପାନୀର ଦୁଇଟି ISI ମାନକ ହେଲମେଟ୍ ମଧ୍ୟ ଯୋଗାଇବ । ଯାହା ଦ୍ୱାରା ଗାଡ଼ି ଚଢ଼ୁଥିବା ଓ ଗାଡ଼ିରେ ବସିଥିବା ଉଭୟଙ୍କ ଜୀବନ ସୁରକ୍ଷିତ । ସେ କହିଥିଲେ ଯେ, ଆମେ ଦୀର୍ଘ ସମୟ ଧରି ସଡ଼କ ସୁରକ୍ଷା ଉପରେ ବହୁତ କାମ କରିଛୁ କିନ୍ତୁ, ଏ ପର୍ଯ୍ୟନ୍ତ ଆମକୁ କୌଣସି ସଫଳତା ମିଳିନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏକ ରାହବୀର ଯୋଜନା ମଧ୍ୟ ପ୍ରସ୍ତୁତ କରିଛୁ । ତେବେ ଏହି ରାହବୀର ଯୋଜନା କ’ଣ ଜାଣନ୍ତୁ । ଏହି ଯୋଜନା ଅନ୍ତର୍ଗତ, ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଯଦି କେହି ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରେ, ତେବେ ତାଙ୍କୁ ଏହି ଯୋଜନାରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଏଥିସହ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କୁ ସର୍ବାଧିକ ୭ ଦିନର ଖର୍ଚ୍ଚ କିମ୍ୱା ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଗଡ଼କରୀ କହିଛନ୍ତି, ଯଦି ଲୋକମାନେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେବାକୁ ଆଗଭର ହୁଅନ୍ତି, ତେବେ ପ୍ରତିବର୍ଷ ୫୦ ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିବା ।