ମାଲକାନଗିରି/କାଲିମେଳା, ୨୬/୬ : ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଚୋରାରେ ବିକ୍ରି ହେଉଥିବା ୨୪ଟି କଇଁଚ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କାଲିମେଳା ଅଂଚଳରୁ ୨୪ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଇଛି । ବେଆଇନ ବନ୍ୟଜନ୍ତୁ ଚୋରା ଚାଲାଣ ସମ୍ବନ୍ଧରେ ବିଶେଷ ସୂଚନା ପାଇବା ପରେ ଜଙ୍ଗଲ ଏବଂ ରାଜସ୍ୱ କର୍ମଚାରୀଙ୍କ ଏକ ମିଳିତ ଦଳ କାଲିମେଳା ଅଞ୍ଚଳର ମାଙ୍ଗିପାଲି ଗାଁରେ ଚଢ଼ଉ କରିଥିଲେ।
ଏହି ଟିମ୍ ଏମପିଭି-୬୩ ଗାଁର ସୁବାଶ ଦେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲେ। ଯିଏକି ଗୋଟିଏ ମୋଟରସାଇକେଲରେ ୨୪ଟି ଜୀବନ୍ତ କଇଁଛ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ। ସେହି ବ୍ୟକ୍ତିଙ୍କଠାରୁ ୨୪ ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ। ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ଅଭିଯୁକ୍ତକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ହାଜର କରାଯାଇଛି । କଇଁଛ ଚୋରା ଚାଲାଣ ପାଇଁ ବ୍ୟବହୃତ ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ମାଲକାନଗିରି ଏସିଏଫ ମନସୁନ ଖେମୁଣ୍ଡୁ । ବନ ବିଭାଗ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହିପରି କୌଣସି ବେଆଇନ କାର୍ଯ୍ୟକଳାପ ବିଷୟରେ ବନ ବିଭାଗକୁ ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଏଫଓ ସାଇ କିରଣ ଡି.ଏନ ।