ଭୁବନେଶ୍ୱର ୦୭/୦୧: ଆମର ପ୍ରତିଦିନର ଖାଦ୍ୟର ପ୍ରଭାବ ପଡ଼େ ଶରୀରର ରକ୍ତ ଶର୍କରା ଉପରେ । ଏଥିରେ ଅସନ୍ତୁଳନ ଦେଖାଦେଲେ ଜଣେ ମଧୁମେହ ଦ୍ୱାରା ଆକ୍ରାନ୍ତ ହୁଏ । ପୁଣି ମଧୁମେହରୁ ମୁକ୍ତି ପାଇଁ ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରିବାକୁ ପଡ଼େ ।
ଆମେ ଖାଉଥିବା ଖାଦ୍ୟରେ ଥିବା ଶ୍ୱେତସାରଗୁଡ଼ିକ ପେଟରେ ହଜମ ହୋଇ ଶର୍କରାରେ ପରିଣତ ହୋଇଥାନ୍ତି ଏବଂ ରକ୍ତରେ ମିଶିଥାନ୍ତି । ରକ୍ତରେ ଶର୍କରା ପରିମାଣ ବଢ଼ିଲେ ଶରୀରରେ ଥିବା ଅଗ୍ନ୍ୟାଶୟରୁ ଇନ୍ସୁଲିନ କ୍ଷରଣ ହୋଇଥାଏ । ଇନ୍ସୁଲିନ ରକ୍ତରେ ଥିବା ଶର୍କରାକୁ ନେଇ ମାଂସପେଶୀରେ ଜୀବକୋଷଗୁଡ଼ିକରେ ଗଛିତ କରିଥାଏ । ହଠାତ୍ ଅତ୍ୟଧିକ ଶର୍କରା ରକ୍ତରେ ମିଶିବା ଦ୍ୱାରା ଜୀବକୋଷଗୁଡ଼ିକ ପୂର୍ଣ୍ଣ ହୋଇଗଲେ ବାକି ଶର୍କରାକୁ ଶରୀରର ଯକୃତରେ ଜମା କରେ ଓ ଶରୀରରେ ଚର୍ବି ଭାବେ ପରିଣତ କରି ଜମା କରିଥାଏ । ଅତ୍ୟଧିକ ଶ୍ୱେତସାର ଓ ସ୍ନେହସାର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତ ଶର୍କରାର ପରିମାଣ କ୍ଷିପ୍ର ଗତିରେ ଅତ୍ୟଧିକ ବୃଦ୍ଧି ହେବାରୁ ଅଗ୍ନ୍ୟାଶୟ ଅଧିକା ପରିମାଣରେ ଇନ୍ସୁଲିନ୍ କ୍ଷରଣ କରିଥାଏ । କିନ୍ତୁ ଜୀବକୋଷଗୁଡ଼ିକରେ ଶର୍କରା ଭରି ରହିଥିବାରୁ ଇନ୍ସୁଲିନ୍ର ପ୍ରଭାବ ସତ୍ତେ୍ୱ ଜୀବକୋଷଗୁଡ଼ିକ ଆଉ ଶର୍କରା ଗ୍ରହଣ କରିନଥାନ୍ତି । ଏହି ପ୍ରକ୍ରିୟା ଦ୍ୱାରା ଶରୀରର ଜୀବକୋଷଗୁଡ଼ିକ ଇନ୍ସୁଲିନ୍ ପ୍ରଭାବକୁ ଗ୍ରହଣ କରିବାର ସମ୍ବେଦନଶୀଳତା ହରାଇଥାନ୍ତି । ଅତ୍ୟଧିକ ମୋଟା ହେବା, ଯକୃତରେ ଚର୍ବି ଓ ଜୀବକୋଷଗୁଡ଼ିକ ଇନ୍ସୁଲିନ୍କୁ ପ୍ରତ୍ୟାଖାନ କରିବା ଯୋଗୁଁ ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ି ରହିଥାଏ । ଏହାକୁ ଡାକ୍ତରୀ ଭାଷାରେ ମଧୁମେହ ବା ଡାଏବେଟିସ୍ କୁହାଯାଏ । ଏହିଭଳି ପରିସ୍ଥିତି ବା ଚକ୍ରବ୍ୟୂହରୁ ମୁକୁଳିବା ନିମନ୍ତେ କେତେଗୁଡ଼ିଏ ଜୀବନଚର୍ଯ୍ୟା ଓ ଖାଦ୍ୟ ଅଭ୍ୟାସ ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟାକ ।
ଆମେ ଖାଉଥିବା ଖାଦ୍ୟ ହଜମ ହୋଇ ସାଥୀରେ ଥିବା ଶ୍ୱେତସାରଗୁଡ଼ିକ ରକ୍ତ ଶର୍କରାରେ ପରିଣତ ହେବା ନିମନ୍ତେ ଆବଶ୍ୟକ ସମୟକୁ ଖାଦ୍ୟର ଜାଇସେମିକ୍ ଇଣ୍ଡେକ୍ସ କୁହାଯାଇଥାଏ । ଅତି କମ୍ ସମୟ ମଧ୍ୟରେ ହଜମ ହୋଇ ରକ୍ତ ଶର୍କରା ବୃଦ୍ଧି କରୁଥିବା ଖାଦ୍ୟଗୁଡ଼ିକୁ ଅଧିକ ଗ୍ଲାଇସେମିକ୍ ଖାଦ୍ୟ କୁହାଯାଏ । ମୁଖ୍ୟତଃ ଅରୁଆ ଚାଉଳ ଭାତ, ମଇଦାରୁ ପ୍ରସ୍ତୁତ ଖାଦ୍ୟ, କର୍ଣ୍ଣଫ୍ଲେକ୍ସ, ଆଳୁ, ଆଳୁରୁ ପ୍ରସ୍ତୁତ ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟ, ଆଇସ୍କ୍ରିମ୍, ବିସ୍କୁଟ, କେକ୍, ମିଠା, ମୃଦୁ ପାନୀୟ, ଚଣା ଖାଦ୍ୟକୁ ବର୍ଜନ କରିବା ଉଚିତ । ଯେଉଁ ଖାଦ୍ୟର ଶ୍ୱେତସାର ଭାଙ୍ଗି ରକ୍ତ ଶର୍କରାରେ ପରିଣତ ହେବା ନିମନ୍ତେ ଅଧିକା ସମୟ ଲାଗିଥାଏ ସେହି ସବୁ ଖାଦ୍ୟକୁ ନିମ୍ନ ଗ୍ଲାଇସେମିକ୍ ଖାଦ୍ୟ କୁହଯାଏ ।
ଏସବୁ ଖାଦ୍ୟ ହେଲା ଉଷୁନା ଚାଉଳ ଭାତ, ଗହମ ରୁଟି, ସୋୟାବିନ, ଚଣା, ଗହମ ଓ ଯଅ ମିଶ୍ରିତ ଅଟାର ରୁଟି, ପନିପରିବା, ଅଧିକାଂଶ ଫଳ ଓ ଦୁଗ୍ଧଜାତ ପଦାର୍ଥ, ମାଛ, ଅଣ୍ଡା, କୁକୁଡ଼ା ମାଂସ, ଚିଙ୍ଗୁଡ଼ି, ଶାଗ, ଗଜା ବୁଟ, ଗଜା ମୁଗ, ଦଲିଆ, ମଞ୍ଜି ଜାତୀୟ ଖାଦ୍ୟ ଓ ଡାଲି ଜାତୀୟ ଖାଦ୍ୟ ଉପରେ ନିର୍ଭରଶୀଳ ହେବା ଉଚିତ । ଅଧିକା ପ୍ରୋଟିନ୍ ଓ କମ୍ ଶ୍ୱେତସାର ଯୁକ୍ତ ଖାଦ୍ୟ, ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ହଜମ ପ୍ରକ୍ରିୟା ଧିମା ହୁଏ ଏବଂ ରକ୍ତ ଶର୍କରା ବୃଦ୍ଧି ହୋଇପାରି ନଥାଏ । ଫଳରେ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ସହଜ ହୋଇପାରେ ।
ଡ. ହରି ପ୍ରସାଦ ପଟ୍ଟନାୟକ