ଭୁବନେଶ୍ଵର, ୨୧/୧୦ : ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ବିହାରର ନିର୍ମାତା ଶ୍ରୀକୃଷ୍ଣ ସିଂହଙ୍କର ଆଜି ଜନ୍ମ ଜୟନ୍ତୀ। ତାଙ୍କୁ ବିହାର କେଶରୀ ଉପାଧିରେ ସମ୍ମାନିତ କରାଯାଇଛି। ଶ୍ରୀ ବାବୁ ନାମରେ ସେ ଖ୍ୟାତି ଅର୍ଜନ କରିଛନ୍ତି। ୧୮୮୭ ମସିହା ଅକ୍ଟୋବର ୨୧ ତାରିଖରେ ବିହାରର ମୁଙ୍ଗେର ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ନିର୍ଭିକ, ସାହାସୀ, ସ୍ଵାଭିମାନୀ, ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ। ଲୋକମାନେ ଆଜି ବି ତାଙ୍କୁ ସାମାଜିକ ନ୍ୟାୟର ପୁରୋଧା ଏବଂ ଆଧୁନିକ ବିହାରର ଶିଳ୍ପକାର ରୂପରେ ମନେ ପକାଉଛନ୍ତି। ତାଙ୍କ ସମୟରେ ବିହାରରେ ଔଦ୍ୟୋଗିକ କ୍ରାନ୍ତି ଆସିଥିଲା। ମୁଖ୍ୟମନ୍ତ୍ରୀ ଭାବରେ ୧୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଲୋକମାନଙ୍କ ବିକାଶ ପାଇଁ ବହୁ କାମ କରି ଯାଇଛନ୍ତି। ଯାହାକି ଆଜିବି ସ୍ମରଣୀୟ। ସେ ଜଣେ ଉଦାର ହୃଦୟର ନେତା ଥିଲେ।
୧୫ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ, ୨୪୫୦୦ ଟଙ୍କା ଜମା କରିପାରିଥିଲେ
୧୯୪୬ ମସିହାରୁ ୧୯୬୧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ସିଂହ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ସେ ଜଣେ ସଚ୍ଚୋଟ ରାଜନେତା ଥିଲେ। ୧୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ମାତ୍ର ୨୪ ହଜାର ୫୦୦ ଟଙ୍କା ଜମା କରିପାରିଥିଲେ। ଶ୍ରୀବାବୁଙ୍କ ନିଧନ ପରେ ତାଙ୍କ ଆଲମିରାରୁ ୪ଟି ଲଫାପା ମିଳିଥିଲା। ଗୋଟିଏ ଲଫାପାରେ ରାଜ୍ୟ କଂଗ୍ରେସ କମିଟି ପାଇଁ ୨୦ ହଜାର ଟଙ୍କା ରଖାଯାଇଥିଲା। ଦ୍ଵିତୀୟ ଲଫାପାରେ ମୁନିମଙ୍କ ଝିଅ ବାହାଘର ପାଇଁ ୩ ହଜାର ଟଙ୍କା ଥିଲା। ତୃତୀୟ ଲଫାପାରେ ମହେଶ ବାବୁଙ୍କ ସାନ ଝିଅ ପାଇଁ ୧ ହଜାର ଟଙ୍କା ଥିଲା। ୪ର୍ଥ ଲଫାପାରେ ଶ୍ରୀକୃଷ୍ଣଙ୍କର ସେବା କରୁଥିବା ଚାକର ପାଇଁ ୫୦୦ ଟଙ୍କା ଥିଲା।
ଭୋଟ୍ ମାଗିବାକୁ ଯାଉନଥିଲେ
ଶ୍ରୀକୃଷ୍ଣ ସିଂହ କୌଣସି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରି ନାହାଁନ୍ତି। ୧୯୫୭ ବିଧାନସଭା ନିର୍ବାଚନରେ ଶେଖପୁରା ଜିଲ୍ଲାର ବରବିଘାରୁ ନିର୍ବାଚନ ଲଢିଥିଲେ। ସେ କହୁଥିଲେ ଯେ, ଯଦି ମୁଁ ଲୋକଙ୍କ ପାଇଁ କାମ କରିବି ତାହେଲେ ଲୋକ ମୋତେ ନିଶ୍ଚୟ ଭୋଟ୍ ଦେବେ। ସେ ପରିବାରବାଦର ବିରୋଧୀ ଥିଲେ। ସେ ରାଜନୀତିରେ ଥିବା ବେଳେ ତାଙ୍କ ବଡ଼ ପୁଅ ଶିବ ଶଙ୍କର ସଂହ ନିର୍ବାଚନ ଲଢିବା କଥା ଉଠିଥିଲା। ହେଲେ ଶ୍ରୀବାବୁ କହିଥିଲେ ଯେ, ଯଦି ପୁଅ ରାଜନୀତି କରିବ ତେବେ ସେ ରାଜନୀତିରୁ ଦୂରେଇ ଯିବେ। ତାଙ୍କ ନିଧନ ପରେ ସାନ ଝିଅ ବିଧାୟକ ଏବଂ ମନ୍ତ୍ରୀ ଥିଲେ।
ବିହାରରେ ଜମିଦାରୀ ପ୍ରଥାର ଅନ୍ତ
ଶ୍ରୀକୃଷ୍ଣ ସିଂହ ରାଜ୍ୟରେ ୩୩ ଲକ୍ଷ ଏକର ଜମି ଦାନ ଦେଇ ଶିକ୍ଷା ଏବଂ ସ୍ଵାସ୍ଥ୍ୟର ଭିତ୍ତିଭୂମି ସ୍ଥାପନ କରିଥିଲେ। ରାଜ୍ୟରେ ଜମିଦାରୀ ପ୍ରଥାର ଅନ୍ତ ଘଟାଇଥିଲେ। ସେ ସ୍ଵାଧିନତା ଆନ୍ଦୋଳନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଚମ୍ପାରଣ ସତ୍ୟାଗ୍ରହରେ ଶ୍ରୀକୃଷ୍ଣ ସିଂହଙ୍କୁ କୃଷକଙ୍କ ନେତୃତ୍ଵ ଦିଆଯାଇଥିଲା। ୧୯୪୨ରେ ଗାନ୍ଧୀଜି ତାଙ୍କୁ ବିହାରର ପ୍ରଥମ ସତ୍ୟାଗ୍ରହୀ ଭାବରେ ନିଯୁକ୍ତ କରିଥିଲେ। ସେ ଜେଲ୍ ମଧ୍ୟ ଯାଇଥିଲେ। ତ୍ୟାଗ, ବଳିଦାନ ଏବଂ ସାହସିକ କାର୍ଯ୍ୟ ପାଇଁ ସେ ବିହାରବାସୀଙ୍କ ହୃଦୟର ସମ୍ରାଟ ଥିଲେ।
ଆଧୁନିକ ବିହାରର ବିନ୍ଧାଣୀ
ଶ୍ରୀକୃଷ୍ଣ ସିଂହ ବିହାରରେ ଉଦ୍ୟୋଗର ସ୍ଥାପନ କରିଥିଲେ। ସେ ବିହାରରେ ଦେଶର ପ୍ରଥମ ରିଫାଇନାରି ଅଏଲ୍ କାରଖାନା ସ୍ଥାପନ କରିଥିଲେ। ଏତଦ୍ ବ୍ୟତୀତ ଏଶିଆର ସବୁଠୁ ବଡ଼ ଇଞ୍ଜିନିୟରିଂ କାରଖାନା, ସେଲ ବୋକାରୋ, ବରୌନି ଡାଏରୀ, ପୁଶା ଏଗ୍ରିକଲଚର କଲେଜ, ବିହାର, ଭାଗଲପୁର, ରାଞ୍ଚି ବିଶ୍ଵବିଦ୍ୟାଳୟ ନର୍ମାଣ କରିଥିଲେ। ତାଙ୍କ ସମୟରେ ବିହାର ୧ନଂ ରାଜ୍ୟ ଥିଲା।