ନୂଆଦିଲ୍ଲୀ,୨୮/୦୪: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ରାଫାଲ ସାମୁଦ୍ରିକ ବିମାନ ପାଇଁ ଏକ ଚୁକ୍ତି ଚୂଡାନ୍ତ ହୋଇଛି। ପ୍ରାୟ ୬୪ ହଜାର କୋଟି ଟଙ୍କା ବ୍ୟୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏହି ଚୁକ୍ତି କରାଯାଇଛି। ଏହି ଚୁକ୍ତି ଅନୁଯାୟୀ ଫ୍ରାନ୍ସ ଭାରତକୁ ୨୬ଟି ରାଫେଲ ସାମୁଦ୍ରିକ ବିମାନ ଦେବ। ସୂଚନା ମିଳିଛି ଯେ ସୋମବାର ଦିନ ଭାରତ ଏବଂ ଫ୍ରାନ୍ସ ପ୍ରାୟ ୬୪,୦୦୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌସେନା ପାଇଁ ରାଫେଲ ଯୁଦ୍ଧ ବିମାନର ୨୬ ଟି ନୌସୈନିକ ସଂସ୍କରଣ କିଣିବା ପାଇଁ ଏକ ଆନ୍ତଃ- ସରକାରୀ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
ଡିଜିଟାଲ୍ ମାଧ୍ୟମ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମାକୁ ସିଲ୍ କରାଯାଇଛି। ଭାରତର ବିମାନ ବାହକ ଆଇଏନ୍ଏସ୍ ବିକ୍ରାନ୍ତରେ ନିୟୋଜନ ପାଇଁ ଫ୍ରାନ୍ସ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନରୁ ଭାରତ ଏହି ଜେଟଗୁଡିକୁ କିଣୁଛି। ସ୍ୱାକ୍ଷରିତ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ କମିଟି (ସିସିଏସ୍) କ୍ରୟକୁ ଅନୁମୋଦନ କରିବାର ତିନି ସପ୍ତାହ ପରେ ଏହି ପ୍ରମୁଖ ଡିଲ ପୂରଣ ହୋଇଛି। ଚୁକ୍ତି ଅନୁଯାୟୀ ଚୁକ୍ତିନାମା ସ୍ୱାକ୍ଷର ହେବାର ପ୍ରାୟ ପାଞ୍ଚ ବର୍ଷ ପରେ ଜେଟ୍ ଯୋଗାଣ ଆରମ୍ଭ ହେବ।
ଜୁଲାଇ ୨୦୨୩ ରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ଅନେକ ଥର ବିଚାର ବିମର୍ଶ ଏବଂ ମୂଲ୍ୟାଙ୍କନ ପରୀକ୍ଷଣ ପରେ ଏହି ପ୍ରମୁଖ ଅଧିଗ୍ରହଣ ପାଇଁ ପ୍ରାଥମିକ ଅନୁମୋଦନ ଦେଇଥିଲା। ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ନୌସେନା ରାଫେଲ୍ ଯୁଦ୍ଧ ବିମାନର ଉତ୍ପାଦକ ଡାସାଲ୍ଟ ଆଭିଏସନ୍ର ଅସ୍ତ୍ର ପ୍ରଣାଳୀ ଏବଂ ଅତିରିକ୍ତ ଅଂଶ ସହିତ ଆନୁଷଙ୍ଗିକ ସହାୟତା ଉପକରଣ ପାଇବ।