ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ଆଉ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗତ ଏପ୍ରିଲ ୨୨ ତାରିଖରେ ବୈସାରଣ ଭ୍ୟାଲିରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟର ଫୁଟେଜ ରହିଛି। ଯାହା ଆତଙ୍କୀ ଆକ୍ରମଣ ସମୟର ଭୟଙ୍କର ଦୁଶ୍ୟକୁ ସମସ୍ତଙ୍କ ସାମ୍ନାରେ ରଖିଛି।
ଭାଇରାଲ ହେଉଥିବା ଭିଡିଓରେ, ଆତଙ୍କୀଙ୍କ ଆକ୍ରମଣ ସମୟରେ ମହିଳା ଓ ପିଲାମାନଙ୍କ ସମେତ ଲୋକମାନେ ଭୟରେ ଇତସ୍ତତ ଭାବେ ଏଣେତେଣେ ଦଉଡୁଥିବା ଦେଖିବାକୁ ମିଳିଛି। ଆତଙ୍କୀ ଆକ୍ରମଣ ସଂଗଠିତ ହୋଇଥିବା ବୈସାରଣ ଭ୍ୟାଲିର ପଡିଆ ମଝିରେ ଅନେକ ଲୋକ ବିବସ ହୋଇ ବସିପଡିଥିବା ଦୃଶ୍ୟ ମଧ୍ୟ ଏଥିରେ କଏଦ ହୋଇଛି। ତେବେ ଅଳ୍ପ ଦୁରରୁ ଗୁଳିଫୁଟା ଶବ୍ଦ ସହ ଅନେକ ଲୋକଙ୍କ ଆକୁଳ ଚିତ୍କାର ମଧ୍ୟ ଶୁଣିବାକୁ ମିଳିଛି ଏହି ଭିଡିଓରେ।
LATEST PAHALGAM VIDEO: The segregation on religious lines. The sadism. The scene shows all the things the Congress led ecosystem is denying.
— Rahul Shivshankar (@RShivshankar) April 28, 2025
What a shame! What a betrayal of these innocents. What a pathetic attempt to cleanchit this devlishness. pic.twitter.com/NHOvGlR1pF
(Video Source: x.com/RShivshankar)
ପୂର୍ବରୁ ମଧ୍ୟ ଏହି ଆତଙ୍କୀ ଆକ୍ରମଣର ଅନେକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁଥିରେ ଲୋକମାନେ ନିଜ ଜୀବନ ବଞ୍ଚେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖାଦେଇଥିଲା। ଆଉ କେତେକ ଭିଡିଓରେ ବୈସରଣ ଭ୍ୟାଲିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିଜ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ସମୟରେ ପଛପଟୁ ଗୁଳିଫୁଟିବାର ଶବ୍ଦ ଶୁଣାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ଭୟଭିତ ହୋଇଯାଇ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ପଳାଉଥିବାର ଦୃଶ୍ୟ ରହିଥିଲା।
ଭାଇରାଲ ହୋଇଥିବା ଆଉ ଏକ ଭିଡିଓରେ ଜଣେ ସ୍ଥାନିୟ ଶାଲ ବିକ୍ରେତା ଗୁଳିମାଡରେ ଆହତ ହୋଇଥିବା ଜଣେ ପର୍ଯ୍ୟଟକଙ୍କୁ ପିଠିରେ ବୋହି ଦୁର୍ଘଟଣା ସ୍ଥଳରୁ ନେଇଯାଉଥିବାର ଦୁଶ୍ୟ ମଧ୍ୟ ରହିଥିଲା। ସେହିପରି ଆଉ ଏକ ଭିଡିଓରେ କେତେକ ପର୍ଯ୍ୟଟକ ବନ୍ଦଉର ରାସ୍ତା ଦେଇ ପଳାୟନ କରୁଥିବା ସମୟରେ ସେମାନଙ୍କୁ ବଞ୍ଚାଇବାକୁ ଆସିଥିବା ସେନା ଯବାନଙ୍କୁ ଦେଖି ଆତଙ୍କିତ ହୋଇପଡିଥିଲେ। କାରଣ ଆକ୍ରମଣ କରିବାକୁ ଆସିଥିବା ଆତଙ୍କୀମାନେ ମଧ୍ୟ ସେନା ପୋଷାକ ପିନ୍ଧିଥିଲେ। ତେଣୁ ପର୍ଯ୍ୟଟକମାନେ ଯବାନଙ୍କୁ ଦେଖି କାନ୍ଦିବା ଆରମ୍ଭ କରିଦେଇଥିଲେ। ପରେ ଯବାନ ସେମାନଙ୍କୁ ଆଶ୍ୱାସନା ଦେଇ ପାଣି ପିଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା।
ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କୀ ଆକ୍ରମଣ ଚଳିତ ଦଶନ୍ଧୀରେ କାଶ୍ମୀରରେ ହୋଇଥିବା ସବୁଠୁ ବଡ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ଜଣାପଡିଛି। ଯେଉଁଥିରେ ଦେଶର ୨୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ଥିବା କଥା ଜଣାପଡିଛି। ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଛାୟା ସଂଗଠନ ଦ ରେସିଷ୍ଚାନ୍ସ ଫ୍ରଣ୍ଟ ଏହି ଆକ୍ରମଣର ଦାୟିତ୍ତ୍ୱ ନେଇଛି।
ଭାରତ ଏହା ଜବାବରେ କଡା ଆକ୍ସନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ପଡ଼ୋଶୀ ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛି। ଏହାସହ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହିତ ଅଟାରୀ-ୱାଘା ବୋର୍ଡର ବନ୍ଦ କରିଛି। ଏହା ସହ ପାକିସ୍ତାନୀ ନାଗରିକମାନଙ୍କ ଭିସା ରଦ୍ଧ କରି ସେମାନଙ୍କୁ ଦେଶ ଛାଡିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ଆକ୍ରମଣ ପରେ ପାକିସ୍ତାନର ସମଗ୍ର ବିଶ୍ୱରେ ବ୍ୟାପକ ସମାଲୋଚନାର ଶିକାର ହୋଇଛି। ତେବେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ସମ୍ପ୍ରଦାୟମାନେ ଏହାକୁ ନେଇ ପ୍ରତିବାଦ ଜାରି ରଖିଛନ୍ତି।