ମନମୁଣ୍ଡା,୧୯।୮ : ମନମୁଣ୍ଡା ଅଞ୍ଚଳରେ ୟୁରିଆ ସାର ମିଳୁ ନାହିଁ। ଏପରିକି ଚାଷୀ ଅନ୍ୟ ଜିଲ୍ଲାରୁ ସାର ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୀଖୀନ ହେଉଛନ୍ତି। କେତେକ ବେପାରୀ ଲୁଚାଛପାରେ ଚଢ଼ା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହେଉଛି।
ବର୍ତ୍ତମାନ ସମୟରେ ୟୁରିଆ ସାରର ବହୁତ ଆବଶ୍ୟକତା ରହିଛି। କିନ୍ତୁ ମନମୁଣ୍ଡାର ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତାଙ୍କ ପାଖରେ ମୋଟେ ସାର ନ ଥିବା ରୁ କେତେକ ଚାଷୀ ଅନୋନ୍ୟପାୟ ହୋଇ ଅନ୍ୟ ଜିଲ୍ଲାରୁ କଳା ବଜାର ରେ ଚଢ଼ା ଦାମ ରେ ସାର ଆଣୁଛନ୍ତି।ତାହା ମଧ୍ୟ ପର୍ଯ୍ୟାପ୍ତ ମିଳୁ ନାହିଁ। ଆଉ କିଛି ଚାଷୀ ସାର ନ ପାଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ୟୁରିଆ ସାର ବସ୍ତାକୁ ୨୬୬ ଟଙ୍କା ୫୦ ପଇସା ସରକାରୀ ମୂଲ୍ୟ ରହିଛି। ୩ ବସ୍ତା ୟୁରିଆ ସାରରେ ଗୋଟିଏ ନାନୋ ୟୁରିଆ ( ତରଳ ପଦାର୍ଥ ) ଯାହାର ମୂଲ୍ୟ ୨୧୦ ଟଙ୍କା ଡିଲର କୁ ବାଧ୍ୟତାମୂଳକ ଭାବେ ପ୍ରଦାନ କରାଯାଉଛି। ପ୍ରାୟ କୌଣସି ଚାଷୀ ନାନୋ ୟୁରିଆ ନେଉ ନାହାନ୍ତି। ନାନୋ ୟୁରିଆ ମୂଲ୍ୟ ୨୧୦ କୁ ତିନିଭାଗ କଲେ ୭୦ ଟଙ୍କା ଗୋଟିଏ ୟୁରିଆ ବସ୍ତା ରେ ଯୋଡ଼ି ବିକ୍ରି ନ କଲେ ଡିଲରର କ୍ଷତି ହେଉଛି। ବିକ୍ରି କଲେ ଚାଷୀଙ୍କ ଅଭିଯୋଗ ଓ ଧର ପଗଡ ଭୟ ରେ କେତେକ ଡିଲର ସାର ଆଣିବାକୁ କୁଣ୍ଠାବୋଧ କରୁଥିବା ଜାଣିବାକୁ ମିଳିଛି। ସେହିପରି ସାର କଳା ବଜାର ରୁ ଆଣିଲେ ୫୫୦ ଟଙ୍କା ପଡ଼ୁଥିବାବେଳେ ତାହା ଅତି କମ୍ ରେ ୬୦୦ ଟଙ୍କା ରେ ବିକ୍ରି ନ କଲେ ପୋଷାଇବ ନାହିଁ ବୋଲି କେତେକ ବ୍ୟବସାୟୀ ଙ୍କ ଠାରୁ ଜାଣିବାକୁ ମିଳିଛି । ସେହି ଦର ରେ ବିକ୍ରି କଲେ ଧର ପଗଡ ଭୟ ରହୁ ଥିବାରୁ କୌଣସି ବେପାରୀ ତାହା ଆଣିବାକୁ ଇଛା ପ୍ରକାଶ କରୁ ନାହାନ୍ତି।
ସେହିପରି ଅବସ୍ଥା ଡିଏପିରେ ମଧ୍ୟ ରହିଛି। ୮ ଟା ଡିଏପିରେ ଗୋଟିଏ ନାନୋ ଡିଏପି ( ମୂଲ୍ୟ ୫୫୦ ) ନେବାକୁ ଡିଲର କୁ ବାଧ୍ୟତା କରାଯାଉଛି। ନାନୋ ଡିଏପି ବିକ୍ରି ହେଉ ନ ଥିବାରୁ ଡିଲର ଙ୍କୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି। ସରକାର ଏଥି ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରାଯିବା ର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ସମୟରେ ମନମୁଣ୍ଡା ଅଞ୍ଚଳ ରେ ଏହି ସବୁ ସାର ମୋଟେ ଷ୍ଟକ୍ ନାହିଁ ତଥା ମିଳୁ ନ ଥିବା ଚାଷୀ ମିଳନ ସାହୁ, ଶିବରାତ୍ର ସିଂ, ନିରଞ୍ଜନ କର୍ଣ୍ଣ ପ୍ରମୁଖ କହିଛନ୍ତି। ପି ଡି, ଏଗ୍ରୋ , ମାର୍ଫେଟ କୌଣସି ଠାରୁ ସାର ଆସୁ ନାହିଁ। ଚାଷୀ କଣ କରିବେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଏନେଇ ବିଏଓ ଲଳିତ କୁମାର ସାହୁଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ ଜାଣି ନ ଥିବା କହିଥିଲେ।