ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପ୍ରଜନନ କ୍ଷମତା କମାଇପାରେ ଫ୍ୟାଟି ଲିଭର୍‌, ଜାଣନ୍ତୁ କ’ଣ ଏହି ସମସ୍ୟା

Published By : Prameya | February 7, 2025 1:34 PM

ଭୁବନେଶ୍ୱର ୦୭/୦୨: ଆମେ ଯାହା କିଛି ଖାଉଛେ, ତା’ର ସିଧାସଳଖ ପ୍ରଭାବ ଲିଭର୍‌ ଓ ପ୍ରଜନନ କ୍ଷମତା ଉପରେ ହିଁ ପଡିଥାଏ । ଅସ୍ୱାସ୍ଥ୍ୟକର ଖାଦ୍ୟପାନୀୟ ଓ ଦୀର୍ଘ ସମୟ ଯାଏ ବସି କାମ କରିବା ଦ୍ୱାରା ଫ୍ୟାଟି ଲିଭର୍‌ ସମସ୍ୟା ବଢିଥାଏ । ଲିଭର୍‌ରେ ଥିବା କୋଷିକା ଉପରେ ଅତିରିକ୍ତ ଫ୍ୟାଟ୍‌ ଜମିବା ଦ୍ୱାରା ଏହି ସମସ୍ୟା ହୋଇଥାଏ । ଫ୍ୟାଟି ଲିଭର୍‌ କେବଳ ଲିଭର୍‌ର କାମରେ ବାଧକ ସାଜି ନଥାଏ, ବରଂ ଶରୀରର ଅନ୍ୟାନ୍ୟ ଅଙ୍ଗର କାମକୁ ମଧ୍ୟ ବାଧାପ୍ରାପ୍ତ କରାଇଥାଏ । ବିଶେଷକରି ଯଦି ଯୁବ ବୟସ୍କଙ୍କଠାରେ ଫ୍ୟାଟି ଲିଭର୍‌ ସମସ୍ୟା ଦେଖାଦିଏ, ତେବେ ଏହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । 

ଫ୍ୟାଟି ଲିଭର୍‌ କ'ଣ? ଲିଭର୍‌ରେ ଅତିରିକ୍ତ ଫ୍ୟାଟ୍‌ ଜମିବା ଦ୍ୱାରା ଫ୍ୟାଟି ଲିଭର୍‌ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ମୁଖ୍ୟତଃ ୨ ପ୍ରକାରର । ନନ୍‌ ଆଲକହଲିକ୍‌ ଫ୍ୟାଟି ଲିଭର୍‌ ଓ ଆଲକହଲିକ୍‌ ଫ୍ୟାଟି ଲିଭର୍‌ ।

-ନନ୍‌ ଆଲକୋହଲିକ୍‌ ଫ୍ୟାଟି ଲିଭର୍‌: ଏହି ସମସ୍ୟା ମଦ୍ୟପାନ କରୁ ନଥିବା କିମ୍ବା ସ୍ୱଳ୍ପ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ଦେଖାଦିଏ । 

-ଆଲ୍‌କହଲିକ୍‌ ଫ୍ୟାଟି ଲିଭର୍‌: ଯେଉଁମାନେ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିଥାନ୍ତି । ଏମାନଙ୍କଠାରେ ଅଧିକ ସମସ୍ୟା ଦେଖା ଦେଇଥାଏ । 

-ଫ୍ୟାଟି ଲିଭର୍‌ ଓ ପ୍ରଜନନ କ୍ଷମତାର ସମ୍ପର୍କ: ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ମତରେ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପରସ୍ପର ସହ ସଂପୃକ୍ତ । ଯଦି କୌଣସି ଅଙ୍ଗ ରୋଗାଗ୍ରସ୍ତ ହୁଏ, ତେବେ ତାହା ସାରା ଶରୀରର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଫ୍ୟାଟି ଲିଭର୍‌ କେବଳ ଲିଭର୍‌ର କାର୍ଯ୍ୟ ପ୍ରଣାଳୀକୁ ନୁହେଁ, ବରଂ ହର୍‌ମୋନ୍‌ ଅସନ୍ତୁଳନ, ଓଭାଲ୍ୟୁଏସନ୍‌ ଓ ଶୁକ୍ରାଣୁର ଗୁଣବତ୍ତାକୁ ମଧ୍ୟ ପ୍ରଭାବିତ କରିଥାଏ । 

ହର୍‌ମୋନ୍‌ ଅସନ୍ତୁଳନ :

ଫ୍ୟାଟି ଲିଭର୍‌ ଯୋଗୁ ଶରୀରରେ ଇନ୍‌ସୁଲିନ୍‌ ପ୍ରତିରୋଧକ ବଢିଯାଇଥାଏ । ଫଳରେ ଟେଷ୍ଟୋଷ୍ଟ୍ରେରନ୍‌ ଓ ଏଷ୍ଟ୍ରୋଜେନ୍‌ ପରି ହର୍‌ମୋନ୍‌ ଅସନ୍ତୁଳିତ ହୋଇପଡେ । ଏହା ମହିଳାଙ୍କଠାରେ ପିସିଓଏସ୍‌ ପରି ସମସ୍ୟାର କାରଣ ସାଜିଥାଏ । ଏହାର ସମାଧାନ ଠିକ୍‌ ସମୟରେ ନ କରାଗଲେ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । 

ଓଭାଲ୍ୟୁଏସନ୍‌ରେ ସମସ୍ୟା :

ଫ୍ୟାଟି ଲିଭର୍‌ ଥିବା ମହିଳାମାନଙ୍କର ଓଭାଲ୍ୟୁଏସନ୍‌ ଅନିୟମିତ ହୋଇଥାଏ, ଯାହା ଗର୍ଭଧାରଣର ସମ୍ଭାବନାକୁ କମ୍‌ କରିଦେଇଥାଏ । 

ଶୁକ୍ରାଣୁର ଗୁଣବତ୍ତା କମାଏ :

ଫ୍ୟାଟି ଲିଭର୍‌ କାରଣରୁ ପୁରୁଷଙ୍କଠାରେ ଟେଷ୍ଟୋଷ୍ଟ୍ରେରନ୍‌ ହର୍‌ମୋନ୍‌ ସ୍ତର କମିଥାଏ । ଯାହାଦ୍ୱାରା ଶୁକ୍ରାଣୁର ଗୁଣବତ୍ତା ଓ ସଂଖ୍ୟା କମିଥାଏ । ଶୁକ୍ରାଣୁର ଗୁଣବତ୍ତା କମିବା ଦ୍ୱାରା ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀ ଓ ଖାଦ୍ୟପାନୀୟରେ ସନ୍ତୁଳନ ଆଣିବା ଜରୁରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.