ଫୁଲବାଣୀ, ୧୯/୧୦ : ବିଷାକ୍ତ ସାପ କାମୁଡ଼ାରେ ବାପା-ଝିଅଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ଚାରିଛକ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ କନ୍ଧମାଳ ଜିଲ୍ଲା ଗୁମାଗଡ଼ ଅଞ୍ଚଳର ସୁଶାନ୍ତ କହଁର (୪୦ ବର୍ଷ) ଓ ତାଙ୍କ ଝିଅ ପ୍ରିତି (୧୬ ବର୍ଷ)।
ସୂଚନା ଅନୁଯାୟୀ, ଗୁମାଗଡ଼ ଅଞ୍ଚଳର ସୁଶାନ୍ତ କହଁର ଚାରି ଛକରେ ଶିକ୍ଷକତା କରୁଥିଲେ। ପରିବାର ସହ ସେଠାରେ ଘରଭଡ଼ା ନେଇ ରହୁଥିଲେ। ଶୁକ୍ରବାର ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଘରେ ପଶି ବାପା ଓ ଝିଅଙ୍କୁ କାମୁଡ଼ି ଦେଇଥିଲା। ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଆଣି ତୁରନ୍ତ ଫୁଲବାଣୀ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ନାବାଳିକା ପ୍ରିତି ଯୁକ୍ତ ଦୁଇରେ ପାଠ ପଢୁଥିଲେ।