ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରାଜଧାନୀରେ ରାତି ୪ଟା ଯାଏ ଖୋଲୁଛି ବାର୍‌, ପବ୍‌; ଭିଡିଓ ଭାଇରାଲ ପରେ ଆକ୍ସନ୍ ମୋଡ଼ରେ ଅବକାରୀ ବିଭାଗ

ଭୁବନେଶ୍ୱର,୦୨/୦୭: ରାଜଧାନୀରେ ରାତି ଯେତିକି ବଢ଼ୁଛି । ବାର୍‌ ପବ୍‌ର ତାତି ସେତିକି ବଢ଼ୁଛି । ବାହାରୁ କବାଟ ବନ୍ଦ । କିନ୍ତୁ ବାର୍‌ ଭିତରେ ନାଚଗୀତ ଆସର ଜମୁଛି । ନିଶାରେ ମତୁଆଲା ହେଉଛନ୍ତି ଗ୍ରାହକ । ଭୋର୍‌ ଯାଏଁ ଚାଲୁଛି ଏହି ବେଆଇନ ବେପାର । ଫେସ୍‌ବୁକ୍‌ ଲାଇଭ୍‌ରେ ଏଭଳି ଅଧରାତିଆ ସୁରାପାନ ଓ ନିଶାରେ ଝୁମିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଅବକାରୀ ବିଭାଗର ଦୁର୍ବଳତା ପଦାରେ ପଡିଛି। 

ପୂର୍ବରୁ ଏନେଇ ଅନେକ ଅଭିଯୋଗ ଉଠୁଥିଲେ ହେଁ ପ୍ରମାଣ ଅଭାବରୁ ଅବକାରୀ ବିଭାଗ ଚୁପ୍‌ ବସୁଥିଲା । କିନ୍ତି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ଅବକାରୀ ଆୟୁକ୍ତ ତଥା ବରିଷ୍ଠ ଆଇପିଏସ୍‌ ନରସିଂହ ଭୋଳ ଆକ୍ସନ ମୋଡକୁ ଆସିଛନ୍ତି। ସେ ଚେତାଇଛନ୍ତି, ଆଜିଠାରୁ ସ୍ୱତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହେବ । ଯେଉଁ ବାରଗୁଡ଼ିକ ପ୍ରଥମ ଥର ନିୟମ ଉଲ୍ଲଘଂନ କରିଥିବେ, ବାର ମାଲିକଙ୍କଠାରୁ ଜରିମାନା ଆଦାୟ ହେବ । ବାରମ୍ବାର ସମୟ ସୀମା ନିୟମ ଲଂଘିଲେ, ବାର ଲାଇସେନ୍ସକୁ ରଦ୍ଦ କରାଯିବ । 

ସେହିପରି ବାର ମାଲିକଙ୍କ ଏଭଳି କାଣ୍ଡ କାରନାମା ବିରୋଧ କରି ଶ୍ରୀ ଭୋଳ ଅବକାରୀ ଅଫିସରମାନଙ୍କୁ ତାଗିଦ୍‌ କରିଛନ୍ତି । କାର୍ଯ୍ୟରେ ହେଳା କରୁଥିବା ଅବକାରୀ ଅଧିକାରୀ ମଧ୍ୟ ଛାଡ଼ ପାଇବେନି । ଅବକାରୀ ଠିକଣା ଢ଼ଙ୍ଗରେ କାମ ନକଲେ, ତାଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଭୋଳ ଚେତାଇଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ, ରାଜଧାନୀରେ ୧୭ଟି ଡ୍ୟାନ୍ସ ବାର୍‌ ଓ ୭୬ଟି ରେସ୍ତୋରାଁ ଅନ୍‌ ସପ୍‌ ଅଛି । ୭ଟି ବିଅର ପାର୍ଲର, ୪୮ଟି ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଛି । ୫୫ଟି ହୋଟେଲରେ ବାର୍‌ ଚାଲିଛି । ୨ଟି କ୍ଲବ ମଧ୍ୟ ରାଜଧାନୀରେ କାର୍ଯ୍ୟକ୍ଷମ । ନିୟମ ମୁତାବକ, ରାତି ୧୨ଟା ପର୍ଯ୍ୟନ୍ତ ବାର୍‌ରେ ମଦ ବିକ୍ରି କରାଯାଇପାରିବ । ଯଦି ଦେଢ଼ ଘଣ୍ଟା ଅଧିକ ସମୟ ଯାଏ ବାର କି ପବ୍‌ ଖୋଲିବାକୁ ଚାହିଁବ, ଏନେଇ ପ୍ରଥମେ ଅବକାରୀ ବିଭାଗଠାରୁ ଅନୁମତି ଆଣିବାକୁ ପଡି଼ବ । ଥରକେ ୫ ହଜାର ଟଙ୍କା ଦେୟ ପୈଠକରିବା ପରେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବାର ଚଲାଇପାରିବେ । 

କିନ୍ତୁ କିଛି ବାର ଏହି ନିୟମକୁ ବାଏଁ ବାଏଁ ଉଡ଼ାଇଦେଉଛନ୍ତି । ରାତି ୩ଟା ୪ଟା ଯାଏ କିଛି ବାର୍‌ରେ ନାଚ ଗୀତର ଆସର ଜମାଉଛନ୍ତି । କିଛି ମତୁଆଲା ଗ୍ରାହକଙ୍କ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟରୁ ଏହାର ପ୍ରମାଣ ମିଳୁଛି । ଏସବୁ ପୋଷ୍ଟରେ ଟାଇମ୍‌ ଲାଇନ୍‌ ଥିବାରୁ ବାର୍‌ ଖୋଲାଯିବାର ସମୟ ଜଣାପଡୁଛି । 

ଭୁବନେଶ୍ୱର ଓ ଖୋର୍ଦ୍ଧାର ଅବକାରୀ ସୁପରିଟେଣ୍ଡେଣ୍ଟ ସୁମତି ତ୍ରିପାଠୀ କହିଛନ୍ତି, ରାତି ସାଢ଼େ ୧ଟା ଯାଏଁ ଖୋଲାଯାଉଥିବା ସବୁ ବାର୍‌, ପବ୍‌ ଉପରେ କଡ଼ା ନଜର ରଖିବାକୁ ୨ଦିନ ତଳୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ଟି ରେଞ୍ଜର ଅଧିକାରୀମାନେ ବିଭିନ୍ନ ବାର୍‌, ପବ୍‌ରେ ଚଢ଼ାଉ କରି ତନାଘନା ଚଳାଇଛନ୍ତି । ଅଭିଯୋଗ ଉଠିଥିବା ପବ୍‌ର ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯିବ । ସେଥିରୁ ସତ୍ୟାସତ୍ୟ ଜଣାପଡ଼ିବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.