କଟକ,୩୦ା୩(ବ୍ୟୁରୋ): ଓଡି଼ଶା ଲୋକ ସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡି଼ଶା ସୂଚନା ସେବା (ଓଆଇଏସ୍)ର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଏସ୍ଡିଆଇପିଆର୍ଓ) ପଦ ପାଇଁ ଆଜି ଅର୍ଥାତ୍ ରବିବାର ଅନୁଷ୍ଠିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ହୋଇଛି । ଆଜି ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ବିଷୟ ପରୀକ୍ଷାରେ ପୂର୍ଣ୍ଣ ମାର୍କ ୧୦୦ ଥିବାବେଳେ ପ୍ରଶ୍ନପତ୍ରରେ ୯୪ ମାର୍କର ପ୍ରଶ୍ନ ଆସିଥିଲା । ବାକି ୬ ମାର୍କର ପ୍ରଶ୍ନ ନ ଥିଲା । ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । କିନ୍ତୁ ଏନେଇ ଓପିଏସ୍ସି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।
ଓପିଏସ୍ସି ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଏସ୍ଡିଆଇପିଆର୍ଓ) ପଦ ପାଇଁ ଦୁଇ ଦିନ ହେବ ପରୀକ୍ଷା ଚାଲିଥିଲା । କଟକରେ ଏନେଇ ଦୁଇଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ପାଖାପାଖି ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିରେ ୪ଟି ବିଷୟକୁ ନେଇ ସମୁଦାୟ ୪ଶହ ମାର୍କର ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଥିଲା । ତେବେ ପ୍ରଥମ ଦିନ ଦୁଇଟି ପର୍ଯ୍ୟାୟରେ ଓଡି଼ଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହୋଇଥିଲା । ଆଜି ଅର୍ଥାତ୍ ରବିବାର ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । କିନ୍ତୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦେଖିବାକୁ ମିଳିଛି । ଏହାର ପୂର୍ଣ୍ଣ ସଂଖ୍ୟା ଶହେ ମାର୍କ ଥିଲାବେଳେ କିନ୍ତୁ ୯୪ମାର୍କର ପ୍ରଶ୍ନ ଆସିଛି । ଏଥିରେ ୫ଟି ୧୨ମାର୍କର ପ୍ରଶ୍ନ ଥିବାବେଳେ ବାକି ଦୁଇଟି ୮ମାର୍କର ପ୍ରଶ୍ନ ଓ ୩ଟି ୬ ମାର୍କର ପ୍ରଶ୍ନ ଆସିଥିଲା । ତେବେ ବାକି ୬ ମାର୍କକୁ ନେଇ କୌଣସି ସୂଚନା ନ ଥିବାରୁ କିଭଳି ମାର୍କିଂ କରାଯିବ ତାକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ପ୍ରଶ୍ନ ଉଠିଛି ।