ମୁମ୍ବାଇ,୦୫/୦୪: ବିବାଦରେ ଘେରି ରହିଛି ସାଉଥ ସୁପରଷ୍ଟାର ମୋହନଲାଲ ଏବଂ ପୃଥ୍ୱୀରାଜ ସୁକୁମାରନଙ୍କ ଫିଲ୍ମ 'L2 ଏମ୍ପୁରାନ୍' । ଏହାରି ମଧ୍ୟରେ ଫିଲ୍ମର ପ୍ରଯୋଜକ ଗୋକୁଳମ ଗୋପାଳନଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରିଛି ଇଡି। ତାମିଲନାଡୁ ଏବଂ କେରଳରେ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିବା 'ଗୋପାଳନ ଚିଟ୍ ଗ୍ରୁପ୍' ଏବଂ ପାଣ୍ଠି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ କମ୍ପାନୀ ପ୍ରଯୋଜକ ଗୋକୁଳମ ଗୋପାଳନଙ୍କର ବୋଲି କୁହାଯାଉଛି।
ଏହି ଚଢାଉ ସମୟରେ ତାଙ୍କ ଘରୁ ନଗଦ ଦେଢ଼ କୋଟି ଟଙ୍କା ଜବତ କରାଯାଇଥିଲା। ତେବେ ଗୋକୁଳମ ଗୋପାଳନ ପୂର୍ବରୁ ମଧ୍ୟ ଆୟକର ବିଭାଗର ନଜରକୁ ଆସିଥିଲେ। ଇଡି ଏହି ମାମଲାକୁ ବିଦେଶୀ ମୁଦ୍ରା ଉଲ୍ଲଂଘନ ଆଇନ ଅଧୀନରେ ପଞ୍ଜିକୃତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଛି। କୁହାଯାଉଛି ଯେ, ଇଡି ତାମିଲନାଡୁ ଏବଂ କେରଳରେ 'L2 ଏମ୍ପୁରାନ୍' ଫିଲ୍ମର ପ୍ରଯୋଜକ ଗୋକୁଳମ୍ ଗୋପାଳନଙ୍କ କମ୍ପାନୀ 'ଗୋପାଳନ ଚିଟ୍ ଫାଇନାନ୍ସ କମ୍ପାନୀ ଲିମିଟେଡ୍' ବିରୁଦ୍ଧରେ ଚଢାଉ କରିଛି।
ଏହା ମଧ୍ୟ ପଢନ୍ତୁ- ସୁକୁମାରେ ଲାଲ୍ ବାହିନୀକୁ ମିଳିଲା ବଡ଼ ସଫଳତା, ୪ ହାର୍ଡକାେର୍ ମାଓବାଦୀଙ୍କ ଆତ୍ମସମର୍ପଣ
ଏହି କମ୍ପାନୀ କିଛି ପ୍ରବାସୀ ଭାରତୀୟଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ପ୍ରାୟ ହଜାର କୋଟି ଟଙ୍କାର FEMA ଉଲ୍ଲଂଘନ ଏବଂ କିଛି ଅଣଆନୁଷ୍ଠାନିକ କାରବାର ସହିତ ଜଡିତ ଏକ ମାମଲାରେ ଏହି ତଦନ୍ତ କରାଯାଉଛି। ଯାହା ଦ୍ଵାରା ଜଣାପଡିବ ଯେ, ଏହି ସମ୍ପୂର୍ଣ୍ଣ ମାମଲା ମନି ଲଣ୍ଡରିଂ ଆଇନ ଅଧୀନରେ ଆସିବ କି ନାହିଁ। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'L2 ଏମ୍ପୁରାନ୍'କୁ ନେଇ ବିବାଦ ଆରମ୍ଭ ହେବା ପରେ ଠକେଇର ଏହି ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା।