ଆଳି,୧୭/୦୫: ଖରା ବଢି ଚାଲିଥିବା ବେଳେ ପିଇବା ପାଣି ସମସ୍ୟା । ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ମେଣ୍ଢପୁର ପଞ୍ଚାୟତର କାଜିସାହି ଓ ତଳସାହି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବାରୁ ଗ୍ରାମରେ ଅସନ୍ତୋଷ ତେଜିଛି । କାଜିସାହି ଓ ତଳସାହି ଗ୍ରାମର ପ୍ରାୟ ୮ ଶହ ପରିବାର ପାଣି ପାଉନଥିବାରୁ ଗ୍ରାମର ମହିଳାମାନେ ଆଜି ସକାଳୁ ଗାଁ ଲୋକେ ରାସ୍ତା ରୋକିଥିଲେ ।
ରାସ୍ତାରୋକ ହୋଇଥିବା ଖବରପାଇ ସେଠାରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ମହିଳାମାନେ ରାସ୍ତାରୋକରୁ ଉଠି ଗୋଟେ କିଲୋମିଟର ଚାଲିଚାଲି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ବ୍ଳକ କାର୍ଯ୍ୟାଳୟରେ ବିଡ଼ିଓ ନଥିବାରୁ ମହିଳାମାନେ ବ୍ଳକ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଡ଼ିଓ ବ୍ଳକରେ ପହଞ୍ଚି ପଞ୍ଚାୟତର ସରପଞ୍ଚ,ପିଇଓଙ୍କ ଉପସ୍ଥିତରେ ମହିଳାମାନଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ । ଏଥିସହ ଆସନ୍ତାକାଲି ପାନୀୟଜଳ ବିଭାଗ ଅଧିକାରୀ ଗ୍ରାମରେ ପହଞ୍ଚି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୁ ହଟିଛନ୍ତି ଗ୍ରାମବାସୀ ।