ନୂଆଦିଲ୍ଲୀ,୨୧/୦୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଥର ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପ କିଭଳି ନୀତି ଘୋଷଣା କରିବେ ଏବେ ତାହା ଉପରେ ସମସ୍ତଙ୍କ ନଜର । କେଉଁ ଦେଶ ଗୁଡିକ ଉପରେ ଟାରିଫ ବଢ଼ିବ ସେ ନେଇ ଏବେ କିଛି ସ୍ପଷ୍ଟ ସୂଚନା ମିଳିନି । ଟ୍ରମ୍ପ ନୀତିକୁ ନେଇ ବିଶ୍ୱ ଆଶଙ୍କାରେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ କିଭଳି ରହୁଛି ତାହା ମଧ୍ୟ ବର୍ତ୍ତମାନ ବିଶ୍ୱ ବଜାର ଲାଗି ବେଶ ଗୁରୁତ୍ୱବହନ କରୁଛି ।
ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଆଦିତ୍ୟ ବିରଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଟ୍ରମ୍ପ ଫ୍ୟାକ୍ଟରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ୨୦୨୫ରେ ଟ୍ରମ୍ପଙ୍କ ଉଦ୍ୟମ ବିଶ୍ୱ ସ୍ତରରେ ଭୂରାଜନୈତିକ ଏବଂ ବିଶ୍ୱ ଅର୍ଥନୀତିକୁ ନୂଆ ଆକାର ଦେବ ବୋଲି କହିଛନ୍ତି । ଏପଟେ ବିଶେଷଜ୍ଞ କହିଛନ୍ତି, ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଟଙ୍କା ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି । ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି ।
ତେବେ ବିଶେଷଜ୍ଞ କହିଛନ୍ତି ଯେ, ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଲାଗି ଭାରତ ପ୍ରସ୍ତୁତ ରହିଛି । ଏବେ ଦେଶ ନିଜ ନୀତି ଉପରେ କାମ କରୁଛି। ଏକ ଆଲେଖ୍ୟରେ ବିର୍ଲା ଯୁକ୍ତରାଷ୍ଟ୍ର ଆମେରିକାର ଦୀର୍ଘସ୍ଥାୟୀ ମହତ୍ୱ ଉପରେ ଜୋର ଦେଇଛନ୍ତି । ଭାରତ ବାହାରେ ଏହାକୁ ସବୁଠାରୁ ବଡ ବଜାର ବୋଲି ସେ କହିଛନ୍ତି । ବିର୍ଲା ଗ୍ରୁପ ଆମେରିକାରେ ୧୫ ବିଲିୟନ ଡଲାର ନିବେଶ କରିଛି । କେବଳ ନୂଆ ପ୍ରକଳ୍ପ ଗୁଡିକରେ କମ୍ପାନି ୪ ବିଲିୟନ ଡଲାର ଖର୍ଚ୍ଚ ଯୋଜନା ରଖିଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଦୃଢ଼ୀକରଣ ଦିଗରେ ଟ୍ରମ୍ପ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀ ବିର୍ଲା । ଆମେରିକା ଅର୍ଥନୀତି ଆଗାମୀ ଦିନରେ ମଧ୍ୟ ଉନ୍ନତ ସ୍ଥିତିରେ ରହିବ । ସେହିଭଳି ଭାରତ ଏକ ଅଭିବୃଦ୍ଧିଶୀଳ ମହାଶକ୍ତି ଭାବେ ଉଭା ହେଉଥିବା ସେ କହିଛନ୍ତି । ବିଶ୍ୱର ଏକ ଚତୁର୍ଥାଂଶ ଆଇଫୋନ ଶୀଘ୍ର ନିର୍ମାଣ କରିବ ।
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିସର୍ଚ୍ଚ ମୁତାବକ, ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ଟଙ୍କା ଉପରେ ପଡିଥିବା ପ୍ରଭାବ ସ୍ୱଳ୍ପ ସମୟ ଲାଗି ରହିପାରେ। ଯଦି ଏଭଳି କୌଣସି ବିଶେଷ ଘଟଣା ଘଟେ ତେବେ ଏହାର ପ୍ରଭାବ ଟଙ୍କା ଉପରେ ରହିଥାଏ । ଆଗାମୀ ଦିନ ଗୁଡିକରେ ଟଙ୍କା ପୁଣି ଥରେ ଟ୍ରାକକୁ ଫେରିବ । ସେହିଭଳି ଗ୍ଳୋବାଲ ଟ୍ରେଡ ଇନିସିଏଟିଭ ଏକ ରିପୋର୍ଟ ଜାରି କରି କହିଛି ଯେ, ଟଙ୍କା ଦୁର୍ବଳ ହେବା ଯୋଗୁ ଆମଦାନି ବିଲ୍ ବଢ଼ିବ ।
ଏଥିଯୋଗୁ ଅଶୋଧିତ ତେଲ, କୋଇଲା, ଇଲେକଟ୍ରୋନିକ୍ସ, ମେଶିନାରୀ, ପ୍ଲାଷ୍ଟିକ ଏବଂ କେମିକାଲ୍ସ ଏବଂ ଖାଇବା ତେଲ ଭଳି ସାମଗ୍ରୀ ଲାଗି ଭାରତକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସେହିଭଳି ଆମଦାନି ଉପରେ ନିର୍ଭର କରୁଥିବା ଶିଳ୍ପ ଗୁଡିକର ଖର୍ଚ୍ଚ ମଧ୍ୟ ବଢ଼ିଯିବ । ବଜାର ବିଶେଷଜ୍ଞ ନିମିଶ ଶାହା କହିଛନ୍ତି, ଟଙ୍କା ଦୁର୍ବଳ ହେବା ଯୋଗୁ ରପ୍ତାନି କରୁଥିବା କମ୍ପାନି ଗୁଡିକ ଉପରେ ଏହାର ଭଲ ପ୍ରଭାବ ପଡିବ । ଏହି କମ୍ପାନିଗୁଡିକ ଡଲାରରେ ଆୟ କରୁଥିବାରୁ ଲାଭବାନ ହେବେ । ସରକାର ଗତ କିଛି ବର୍ଷ ହେବ ଆମଦାନି କମ୍ କରିବା ଲାଗି ଉଦ୍ୟମ ଜାରି କରିଛନ୍ତି । ତେବେ ଟଙ୍କା ଦୁର୍ବଳ ହେବା ଯୋଗୁ ଆମଦାନି ବିଲ୍ ଉପରେ କିଭଳି ପ୍ରଭାବ ରହୁଛି ସେ ନେଇ ମଧ୍ୟ ଘରୋଇ ବଜାର ଚିନ୍ତିତ ରହିଛି । କାରଣ ମୁଦ୍ରାସ୍ଫୀତି ଚାପ ଏଥିଯୋଗୁ ବଢିବାର ଢ଼େର ସମ୍ଭାବନା ରହିଛି ।
ପିଏଲ୍ କ୍ୟାପିଟାଲର ଆଡଭାଇଜର ବିକ୍ରମ ଫାସଟ କହିଛନ୍ତି, ଇସ୍ପାତ ଭଳି କ୍ଷେତ୍ରରେ ଆମେରିକାକୁ ହେଉଥିବା ରପ୍ତାନି ଉପରେ ଟାରିଫ ବୃଦ୍ଧି ହୋଇପାରେ । ଏବେ ଚୀନ ପ୍ଲସ ନୀତି ଉପରେ ଆମେରିକାର ଧ୍ୟାନ ରହିଛି । ଆମେରିକା କମ୍ପାନିଗୁଡିକ ଭାରତୀୟ କମ୍ପାନି ଗୁଡିକ ଦ୍ୱାରା ସେମାନଙ୍କ ଚାହିଦା ପୂରଣ କରିପାରନ୍ତି । ତେବେ ଏହା ସେତେବେଳେ ସମ୍ଭବ ହେବ ଯେବେ ଟ୍ରମ୍ପ ଚୀନ ଉପରେ ଅଧିକ ଟିକସ ଲଗାଇବେ ।
ରିପୋର୍ଟ ମୁତାବକ, ଭାରତ ଆମେରିକାର ସବୁଠାରୁ ବଡ ବାଣିଜ୍ୟିକ ସହଯୋଗୀ । ୨ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ କାରବାର ୧୯୦ ବିଲିୟନ ଡଲାର ସ୍ତରରେ ରହିଛି । ଆର୍ôଥକ ବର୍ଷ ୨୦୧୯-୨୦ରୁ ୨୦୨୩-୨୪ ଯାଏ ଆମେରିକାକୁ ଭାରତର ରପ୍ତାନି ୪୬% ବୃଦ୍ଧି ହୋଇ ୭୭.୫ ବିଲିୟନ ଡଲାର ଛୁଇଁଛି । ଆମେରିକାରୁ ଆମଦାନି ୧୭% ବୃଦ୍ଧି ହୋଇ ୪୨ ବିଲିୟନ ଡଲାର ରହିଛି । ମେକ୍ସିକୋ ଭଳି ଦେଶ ଉପରେ ଟାରିଫ ବଢ଼ିଲେ ଇଲେକ୍ଟ୍ରିକ, ମେଶିନାରୀ, ଫାର୍ମା ଭଳି କ୍ଷେତ୍ର ଗୁଡିକ ଲାଗି ରପ୍ତାନିର ଢ଼େର ସୁଯୋଗ ମିଳିବ ।