ମୁମ୍ବାଇ ୨୧/୦୧: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ମୁମ୍ବାଇର ଓସିୱରାରେ ଥିବା ତାଙ୍କ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ରେଜିଷ୍ଟ୍ରେସନ୍‌ (IGR)ର ୱେବସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ପ୍ରପର୍ଟି ୨୦୨୧ ମସିହାରେ ପ୍ରାୟ ୩୧ କୋଟି ଟଙ୍କାରେ କିଣିଥିଲେ। ତେବେ ୪ ବର୍ଷ ପରେ ଏହି ପ୍ରପର୍ଟିର ମୂଲ୍ୟ କେତେ ବଢିଛି ଏବଂ ଅମିତାଭ ଏହାକୁ କେତେ ଟଙ୍କାରେ ବିକ୍ରି କରିଛନ୍ତି ଆସନ୍ତୁ ଜାଣିବା।

ରିପୋର୍ଟ ଅନୁଯାୟୀ, ୪ ବର୍ଷରେ ଏହି ପ୍ରପର୍ଟିର ମୂଲ୍ୟ ୧୬୮ ପ୍ରତିଶତ ବଢିଛି। ଯେବେ ୨୦୨୧ରେ ଅମିତାଭ ଏହି ଆପାର୍ଟମେଣ୍ଟ କିଣିଥିଲେ ସେତେବେଳେ ସେ ଏହାକୁ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ୧୦ ଲକ୍ଷ ଟଙ୍କାରେ ମାସିକ ଭଡାରେ ଦେଇଥିଲେ। ବର୍ତ୍ତମାନ ୪ ବର୍ଷ ପରେ ଅମିତାଭ ଏହି ଆପାର୍ଟମେଣ୍ଟ ପ୍ରାୟ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ବୁଝାମଣା ଜାନୁଆରୀ ୨୦୨୫ରେ ରେଜିଷ୍ଟର୍‌ ହୋଇଛି। ଏଥିରେ ୪.୯୮ କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ଏବଂ ୩୦,୦୦୦ ଟଙ୍କାର ରେଜିଷ୍ଟ୍ରେସନ୍‌ ଫିସ୍‌ ଲାଗିଛି। ଅର୍ଥାତ୍‌ ଅମିତାଭ ପ୍ରପର୍ଟି ବିକ୍ରି କରି ପାଖାପାଖି ୫୨ କୋଟି ଟଙ୍କା ଲାଭ କରିଛନ୍ତି।

ତେବେ ଅମିତାଭଙ୍କ ଏହି ଡୁପ୍ଲେକ୍ସ ଆପାର୍ଟମେଣ୍ଟର କ୍ଷେତ୍ରଫଳ ପ୍ରାୟ ୫୨୯.୯୪ ବର୍ଗ ମିଟର ଏବଂ କାର୍ପେଟ୍‌ ଏରିଆ ପ୍ରାୟ ୫,୧୮୫.୬୨ ବର୍ଗ ମିଟର। ଏହା ସହିତ ଏକ ବଡ ଛାତ ଏବଂ ୬ ମେକାନାଇଜ୍ଡ କାର ପାର୍କିଂଗ୍ ପାଇଁ ସ୍ଥାନ ରହିଛି। ଏହି ପ୍ରପର୍ଟି ବ୍ୟତୀତ ବିଗ୍‌ ବିଙ୍କ ପାଖରେ ଅନ୍ଧେରୀ ୱେଷ୍ଟରେ ତିନୋଟି କମର୍ସିଆଲ୍‌ ପ୍ରପର୍ଟି ରହିଛି। ସେ ଏହାକୁ ପ୍ରାୟ ୬୦ କୋଟି ଟଙ୍କାରେ କିଣିଥିଲେ।   ଏହା ବ୍ୟତୀତ ୨୦୨୩ରେ ସେହି ବିଲ୍ଡିଂରେ ପାଖାପାଖି ୨୯ କୋଟି ଟଙ୍କାରେ ୪ ୟୁନିଟ୍ସ ବି କିଣିଥିଲେ।