ନୂଆଦିଲ୍ଲୀ: ଭାରତ ପାଇଁ ଐତିହାସିକ ଦିନ । ୧୯ ବର୍ଷରେ ବିଶ୍ବ ଚାମ୍ପିଅନ । ଚେସ୍ରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ । ମହିଳା ଚେସ୍ ବିଶ୍ବକପ-୨୦୨୫ ଫାଇନାଲ୍ ମ୍ୟାଚରେ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ଚେସ୍ ବିଶ୍ବକପ୍ ଜିତିବାରେ ଦିବ୍ୟା ଦେଶମୁଖ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଗତ ବର୍ଷ ଦିବ୍ୟା ଜୁନିୟର ଚେସ୍ ବିଶ୍ବକପ ଜିତିଥିଲେ । ଏବେ ସେ ଓ୍ବାର୍ଲ୍ଡ ଚାମ୍ପିଅନ ହୋଇ ବିଶ୍ବ ରେକର୍ଡ କରିଛନ୍ତି । ଏହା ସହିତ ଚତୁର୍ଥ ଭାରତୀୟ ମହିଳା ଗ୍ରାଣ୍ଡମାଷ୍ଟର ହୋଇଛନ୍ତି ।
ଜର୍ଜିଆ ବାଟୁମୀରେ ତିନି ସପ୍ତାହ ଧରି ଚାଲିଥିବା ଫାଇଡ୍ ମହିଳା ଚେସ୍ ବିଶ୍ବକପରେ ଟାଇଟଲ ଜିତିଛନ୍ତି ୧୯ ବର୍ଷୀୟା ଦିବ୍ୟା ଦେଶମୁଖ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ନଂ-୧ କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ଦିବ୍ୟା ବିଶ୍ବ ଚେସ୍ ଟାଇଟଲ ଜିତିବା ସହିତ ଭାରତର ୮୮ତମ ଗ୍ରାଣ୍ଡମାଷ୍ଟର ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି । କୋନେରୁ ହାମ୍ପିଙ୍କ ନିକଟରେ ମ୍ୟାଚକୁ ପତ୍ୟାବର୍ତ୍ତନ କରିବାକୁ ଗୋଟିଏ ଚାନ୍ସ ଥିଲା । ଏହାର ସେ ଫାଇଦା ଉଠାଇ ପାରିଲେ ନାହିଁ । ଫଳରେ ଦିବ୍ୟା ଚମତ୍କାର ଗୋଟି ଚଳାଇ ମ୍ୟାଚକୁ ଜିତି ନେଇଥିଲେ ।
🇮🇳 Divya Deshmukh defeats Humpy Koneru 🇮🇳 to win the 2025 FIDE Women's World Cup 🏆#FIDEWorldCup @DivyaDeshmukh05 pic.twitter.com/KzO2MlC0FC
— International Chess Federation (@FIDE_chess) July 28, 2025
୧୫ତମ ସିଡ୍ ଭାବେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିବା ୧୯ ବର୍ଷୀୟା ଦିବ୍ୟାଙ୍କ ଟୁର୍ଣ୍ଣାମେଣ୍ଟ ଯାତ୍ରା ଅତୁଳନୀୟ ଥିଲା । ଚେସ୍ ବିଶ୍ବକପରେ ଅନେକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ । ଟାଇଟଲ୍ ମୁକାବିଲାରେ ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଦେଶମୁଖ ନିଜଠାରୁ ଉଚ୍ଚ ରାଙ୍କର ଗ୍ରାଣ୍ଡମାଷ୍ଟର ତଥା ନିଜ ଦେଶର କୋନେରୁ ହମ୍ପିଙ୍କୁ ଭେଟିଥିଲେ । ପ୍ରଥମ ଓ ଦ୍ୱିତୀୟ ଗେମରେ କୌଣସି ସୁଯୋଗ ନଦେଇ ହମ୍ପିଙ୍କୁ ଡ୍ର’ ଖେଳିବାକୁ ବାଧ୍ୟ କରିଥିଲେ । ଯାହାଫଳରେ ମ୍ୟାଚ୍ ଟ୍ରାଇବ୍ରେକରରେ ପହଞ୍ଚିଥିଲା । ଦୁଇଟି ଡ୍ର କ୍ଲାସିକାଲ ଖେଳ ପରେ ମ୍ୟାଚ୍ ରାପିଡ୍ ଟାଇବ୍ରେକରେ ପହଞ୍ଚିଥିଲେ । ପ୍ରଥମ ରାପିଡ୍ ଖେଳରେ ଦିବ୍ୟା ଧଳା ଗୋଟିରେ ଖେଳିଥିଲେ, ଯାହା ଡ୍ର’ରେ ଶେଷ ହେଲା । କିନ୍ତୁ ରିଭର୍ସ ଖେଳରେ, ଦିବ୍ୟା କଳା ଗୋଟି ପାଇଥିଲେ ଏବଂ ଧୈର୍ଯ୍ୟର ସହ ଖେଳି ଦୁଇଥର ବିଶ୍ୱ ରାପିଡ୍ ଚାମ୍ପିଅନଙ୍କୁ ୨.୫-୧.୫ରେ ପରାସ୍ତ କରିଛନ୍ତି ।