ନୂଆଦିଲ୍ଲୀ,୨୭/୦୭: ମାଞ୍ଚେଷ୍ଟର ଟେଷ୍ଟରେ ଅଧିନାୟକ ଶୁବମନ୍ ଗିଲଙ୍କ ସହିତ ଭାରତର ସଙ୍କଟମୋଟକ ସାଜିଛନ୍ତି କେଏଲ ରାହୁଲ । ଏବେ ଇତିହାସ ରଚିବାଠୁ ଅଳ୍ପ ରନ୍ ଦୂରରେ କ୍ଲାସିକ୍ କେଏଲ ରାହୁଲ । ମାଞ୍ଚେଷ୍ଟର ଟେଷ୍ଟର ଚତୁର୍ଥ ଦିନରେ କେଏଲ୍ ରାହୁଲ ୮୭ ରନ କରି ଅପରାଜିତ ରହିଛନ୍ତି । ଏହା ସହିତ, ଏହି ସିରିଜରେ ତାଙ୍କର ସ୍କୋର ୫୦୮ ରନ୍ ହୋଇଛି । ଯଦି କେଏଲ ରାହୁଲ ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଆଉ ୩୫ ରନ କରନ୍ତି, ତେବେ ସେ ଇତିହାସ ରଚିବେ । ଏହା ସହିତ ୪୬ ବର୍ଷ ପୁରୁଣା କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିବେ ।
୨୦୨୫-୧୯୭୯: ୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାଠୁ ଅଳ୍ପ ଦୂରରେ ରାହୁଲ । ଏହି ରେକର୍ଡ ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିଥିବା ଭାରତୀୟ ନୁହେଁ ବରଂ ଏସିଆ ବ୍ୟାଟରଙ୍କ ନାମରେ ରହିଛି । ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ୧୯୭୯ ଇଂଲଣ୍ଡ ଗସ୍ତରେ ୪ ଟେଷ୍ଟ ମ୍ୟାଚର ୭ ଇନିଂସରେ ୭୭.୪୨ ହାରରେ ୫୪୨ରନ୍ କରିଥିଲେ । ଏହା ପରେ କୌଣସି ଖେଳାଳି ଇଂଲଣ୍ଡରେ ଓପନର ଭାବେ ରନ୍ କରିନାହାନ୍ତି । ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କ ସ୍କୋର ୫୦୮ରନ୍ ହୋଇଛି । ୩୫ ରନ୍ ପରେ ଗାଭାସ୍କରଙ୍କ ଏହି ରେକର୍ଡ ଭାଙ୍ଗି ଇତିହାସ ରଚିବେ ରାହୁଲ । ଏମିତି କରିବାରେ ସେ ଦ୍ବିତୀୟ ଖେଳାଳି ହେବେ । ଗାଭାସ୍କର ତାଙ୍କ କ୍ୟାରିୟରରେ ଇଂଲଣ୍ଡରେ ୧୫ ମ୍ୟାଚରେ ୨୮ ପାଳିରେ ୧୧୫୨ ରନ୍ କରିଛନ୍ତି । କେଏଲ ରାହୁଲ ୧୨ ମ୍ୟାଚରେ ୨୪ ଇନିଂସରେ ୧୧୦୫ରନ୍ କରି ସାରିଛନ୍ତି ।
ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡର ଆଧିପତ୍ୟ ଜାରି ରହିଛି । ଭ୍ରମଣକାରୀ ଭାରତ ଇନିଂସ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୬୬୯ ରନ୍ ସଂଗ୍ରହ କରିବା ସହ ମୋଟ୍ ୩୧୧ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ଏହାର ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୭୪ ରନ ସଂଗ୍ରହ କରିଛି ଓ ଆଉ ୧୩୭ ରନ ପଛରେ ରହିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କେଏଲ ରାହୁଲ ୮୭ ଓ ଶୁଭମନ ଗିଲ୍ ୭୮ରନ କରି ଅପରାଜିତ ରହିଛନ୍ତି ।