ମୁମ୍ବାଇ,୦୬/୧୨: ଦେବେନ୍ଦ୍ର ଫଡନାଭିସ୍ ଗୁରୁବାର ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ତାଙ୍କ ଶପଥ ପୂର୍ବରୁ ୧୨ ଦିନ ଧରି ବିଜେପିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଚୟନକୁ ନେଇ ଏକ ସସପେନ୍ସ ଲାଗି ରହିଥିଲା। ଫଡନାଭିସଙ୍କ ସମର୍ଥକମାନେ ଭୟ କରୁଥିଲେ ଯେ ଯଦି ବିଜେପିର ଶୀର୍ଷ ନେତୃତ୍ୱ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ଭଳି କୌଣସି ସାଧାରଣ ନେତାଙ୍କୁ ଚୟନ କରନ୍ତି, ତେବେ ଫଡନାଭିସ୍ ସୁଯୋଗ ହରାଇବସିବେ। ତେବେ ମଙ୍ଗଳବାର ଦିନ ସେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେବାପରେ ଏହି ସନ୍ଦେହ ଦୂର ହୋଇଥିଲା। ତେବେ ଆସନ୍ତୁ ଜାଣିବା କାହିଁକି ବିଜେପି ଫଡନାବିସ୍ଙ୍କୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ସୁଯୋଗ ଦେଲା?
୧. ନିର୍ବାଚନରେ ଦଳକୁ ବିଜୟ କରିବା:
ଫଡନାଭିସଙ୍କ ନେତୃତ୍ୱରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ, ସହଯୋଗୀ ଦଳ ସହ ଆସନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରାର୍ଥୀ ଚୟନ କରିଥିଲେ। ମରାଠା ଆନ୍ଦୋଳନ ଏବଂ କୃଷକଙ୍କ କ୍ରୋଧ ଯୋଗୁଁ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଫଡନାଭିସ୍ ଦଳକୁ ବିଜୟୀ କରାଇଥିଲେ।
୨. ରାଜନୈତିକ ବିରୋଧୀଙ୍କୁ ଦୁର୍ବଳ କରିବା:
ମହାରାଷ୍ଟ୍ରରେ ବିଜେପିର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଶିବସେନା ଏବଂ ଏନସିପି ଭାଙ୍ଗିବାରେ ଫଡନାବିସ ଏକ ଭୂମିକା ଗ୍ରହଣ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ନିଜେ ଖୋଲାଖୋଲି ଭାବେ ଏହିକଥା ସ୍ୱୀକାର କରିଛନ୍ତି। ଉଭୟ ଦଳରେ ବିଦ୍ରୋହ ହୋଇଥିଲା, ଯାହା ସେମାନଙ୍କ ସମର୍ଥନରେ ଘଟିଥିଲା। ଶିବସେନା ଏବଂ ଏନସିପିର ବିଭାଜନ ଦଳ ୨୦୨୨ ଏବଂ ୨୦୨୩ ରେ ସରକାରରେ ଯୋଗ ଦେଇଥିଲେ। ବିଶେଷକରି ଏକନାଥ ସିନ୍ଦେଙ୍କୁ ତାଙ୍କ ପକ୍ଷକୁ ଆଣି ୨୦୨୨ ରେ ବିଜେପିକୁ କ୍ଷମତାକୁ ଫେରାଇ ଆଣିବାରେ ଫଡନାଭିସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୩. ଆର୍ଏସ୍ଏସ୍କୁ ଦୃଢ଼ ସମର୍ଥନ:
ବିଜେପିର ଆଦର୍ଶ ସଂଗଠନ ଆରଏସଏସ ପ୍ରତି ଫଡନାଭିସଙ୍କର ଦୃଢ଼ ସମର୍ଥନ ରହିଛି। ସେ ଆରଏସଏସ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ସେଠାରୁ ସେ ସାଧାରଣ ଜୀବନରେ ପ୍ରବେଶ କରିଥିଲେ। ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ଆରଏସଏସ ଅସନ୍ତୁଷ୍ଟ ଥିଲା। ତେବେ ନିର୍ବାଚନ ପ୍ରଚାର ତଥା ଭୋଟ୍ ଦିବସରେ ସଂଗଠନର ସମର୍ଥନ ହାସଲ କରିବା ପାଇଁ ଫଡନାଭିସ୍ ଶୀର୍ଷ ଆରଏସଏସ ନେତାଙ୍କ ସହ ଭଲ ସମ୍ପର୍କ ରଖିଥିଲେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆରଏସଏସ ନେତୃତ୍ୱ ଫଡନାଭିସଙ୍କୁ ସମର୍ଥନ କରିଥିଲେ।
୪. ଦଳ ପ୍ରତି ଫଡନାବିସ୍ଙ୍କ ନିଷ୍ଠା ଓ ଆତ୍ମୀୟତା:
ଦୁଇଥର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ଫଡନାଭିସ୍ ୨୦୨୨ ରେ କ୍ଷମତାକୁ ଫେରିବା ପରେ ଡେପୁଟି ସିଏମ୍ ହେବାକୁ ରାଜି ହୋଇଥିଲେ। ସେ ପୂର୍ବରୁ ସରକାରଙ୍କ ଠାରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶେଷ ମୁହୂର୍ତ୍ତରେ କଲ୍ ଯୋଗୁ ସେ ଏକନାଥ ସିନ୍ଦେଙ୍କ ଡେପୁଟି ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ନିଷ୍ପତ୍ତି ତାଙ୍କ ଦଳ ପ୍ରତି ବିଶ୍ୱସନୀୟତାର ଭାବମୂର୍ତ୍ତିକୁ ଦୃଢ଼ କରିଛି।
୫. ଉକ୍ତୃଷ୍ଟ ରାଜନୈତିକ ପ୍ରଦର୍ଶନ:
ମୋଦିଙ୍କ କାର୍ଯ୍ୟ ଶୈଳୀକୁ ଗ୍ରହଣ କରି ଫଡନାଭିସ୍ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମୃଦ୍ଧି ସୁପର ହାଇୱେ ପରି ବଡ଼ ପ୍ରକଳ୍ପ ଆରମ୍ଭ ଓ ଶେଷ ହୋଇଥିଲା। ମରାଠୱାଡ଼ାରେ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ସେ ଗ୍ରାମୀଣ ଜଳଶିଓ୍ବାର ଯୋଜନା ଆରମ୍ଭ କରିଥିଲେ। ୨୦୧୭ରେ ବିଏମସି ନିର୍ବାଚନରେ ବିଜେପି ମାତ୍ର ଦୁଇଟି ସିଟ୍ କମ୍ ପାଇଥିଲା ଏବଂ ଏମ୍ଏନ୍ଏସ୍ ସମର୍ଥନରେ ମେୟର ହୋଇପାରିଥାନ୍ତା। ତେବେ ଉଦ୍ଧବ ଠାକରେଙ୍କ ଅନୁରୋଧ କ୍ରମେ ଫଡନାଭିସ୍ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ।