ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

୭ ଛୋଟ ସହର ପାଇଁ ବିକାଶ ନକ୍ସା, ପ୍ରଥମ ଦଫାରେ ଯୋଡ଼ା, ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର

Published By : Prameya | January 15, 2025 12:34 PM

ଭୁବନେଶ୍ୱର,୧୫/୦୧ : କେବଳ ରାଜଧାନୀରେ ସୀମିତ ରହିବନି ସିଡିପି (କମ୍ପ୍ରେହେନସିଭ୍‌ ଡେଭଲପମେଣ୍ଟ ପ୍ଲାନ୍‌) । ଏଣିକି ରାଜ୍ୟର ଛୋଟ ସହରର ଯୋଜନାବଦ୍ଧ ବିକାଶ ପାଇଁ ନକ୍ସା ଅଙ୍କା ହେବ । ଏହି ସିଡିପି ମୁତାବକ ସରକାରୀ ଓ ଘରୋଇ ନିର୍ମାଣ ପାଇଁ ଅନୁମତି ମିଳିବ । ମନଇଚ୍ଛା ନିର୍ମାଣ ଉପରେ ରୋକ୍‌ ଲାଗିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭ଟି ଛୋଟ ସହର ପାଇଁ ସିଡିପି ତିଆରି କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ୫୦ ହଜାରରୁ ୯୯ ହଜାର ୯୯୯ ଜନସଂଖ୍ୟା ଭିତରେ ଥିବା ୭ଟି ସହର ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ । 

ପ୍ରଥମ ଦଫାରେ କେନ୍ଦୁଝରର ଯୋଡ଼ା, ସୁନ୍ଦରଗଡ଼ ପୌରାଞ୍ଚଳ, ରାଜଗାଙ୍ଗପୁର, ଗଜପତିର ପାରଳାଖେମୁଣ୍ଡି ପୌରାଞ୍ଚଳ, ରାୟଗଡ଼ା, କୋରାପୁଟ ପୌରାଞ୍ଚଳ ଓ ସୁନାବେଡ଼ା ପାଇଁ ସିଡିପି ପ୍ରସ୍ତୁତ ହେବ । ଭୁବନେଶ୍ୱର ପାଇଁ ଆଇଆଇଟି ଭୁବନେଶ୍ୱର ସିଡିପି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲା । ତେବେ ଏହି ଛୋଟ ସହରର ସିଡିପି ତିଆରି ପାଇଁ ଏଜେନ୍ସି ନିୟୋଜିତ କରିବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ପ୍ରଥମେ କେନ୍ଦୁଝରର ଯୋଡ଼ା, ସୁନ୍ଦରଗଡ଼ ପୌରାଞ୍ଚଳ, ରାଜଗାଙ୍ଗପୁର ପାଇଁ ସିଡିପି ହେବ । ଯୋଡ଼ାର ପ୍ରାୟ ୪୦ ବର୍ଗ କିଲୋମିଟର ଅଞ୍ଚଳ ପାଇଁ ସିଡିପି ପ୍ରସ୍ତୁତ ହେବ । ସୁନ୍ଦରଗଡ଼ର ୨୪ ବର୍ଗ କିଲୋମିଟର ଓ ରାଜଗାଙ୍ଗପୁରର ୫୯ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ସିଡିପି ହେବ । କେଉଁ ଅଞ୍ଚଳରେ ଆବାସିକ ଘର ନିର୍ମାଣ କରିହେବ? କେଉଁଠି ବ୍ୟବସାୟିକ ଅଞ୍ଚଳ ରହିବ? ପାର୍କିଂ ପାଇଁ କେତେ ଜାଗା ଛଡ଼ାଯିବ? କେଉଁଠି ଟ୍ରାନ୍ସପୋର୍ଟ ଜୋନ୍‌ ରହିବ? କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗ୍ରୀନ୍‌ ଜୋନ୍‌ ବା ସବୁଜ ଜୋନ୍‌ ଭାବେ ଛଡ଼ାଯିବ? ଏଠାରେ କେଉଁଭଳି ନିର୍ମାଣ ଉପରେ କଟକଣା ଲାଗିବ? କେଉଁ ସ୍ଥାନ ଇଣ୍ଡଷ୍ଟ୍ରିଆଲ ଜୋନ୍‌ ପାଇଁ ଛଡ଼ାଯିବ? କେଉଁଠି ଜଙ୍ଗଲ ଜମି ଅଛି? କେଉଁ ସ୍ଥାନକୁ ଓପନ ସ୍ପେଶ୍‌ ବା ଖାଲି ଛଡ଼ାଯିବ? ଡ୍ରେନ୍‌ର କେତେ ଦୂର ଯାଏ ନିର୍ମାଣ କରିହେବ? ପ୍ରାକୃତିକ ନାଳ, ଜଳାଶୟ ଓ ସବୁଜିମାକୁ କିଭଳି ସଂରକ୍ଷିତ କରି ରଖିହେବ? ଆଗାମୀ ଭବିଷ୍ୟତରେ ସହର ରୂପରେଖ କଣ ହେବ? ଏ ସବୁ ସିଡିପିରେ ରଖାଯିବ । ଲ୍ୟାଣ୍ଡ ୟୁଜ୍‌ ପାଇଁ କେଉଁ ସ୍ଥାନରେ କେଉଁ ବିକାଶ କରିହେବ ତାର ଟିକିନିଖି ତଥ୍ୟ ରହିବ ।

ଅଧିକ ପଢନ୍ତୁ-ଆଦିବାସୀ ମେଳାରେ ନାହିଁ ମାଟିର ବାସ୍ନା, ବନ୍ୟଜନ୍ତୁ ଅଙ୍ଗ ପ୍ରଦର୍ଶନକୁ ବାରଣ

ଭବିଷ୍ୟତରେ ସହରର ମନଇଚ୍ଛା ବିକାଶ(ଅନପ୍ଲାନଡ୍‌ ଗ୍ରୋଥ୍‌) ଉପରେ ରୋକ୍‌ ଲଗାଇବାକୁ ନଗର ଉନ୍ନୟନ ବିଭାଗ ଏହି ପଦକ୍ଷେପ ନେଇଛି । ପ୍ରଥମେ ଚିଠା ସିଡିପି ପ୍ରସ୍ତୁତ ପରେ । ଏହା ଉପରେ ଲୋକଙ୍କ ମତାମତ ନିଆଯିବ । ଲୋକେ ଆପତ୍ତି ଓ ଅଭିଯୋଗ ଜଣାଇଲେ ସିଡିପିରେ ଆବଶ୍ୟକୀୟ ସଂଶୋଧନ କରାଯିବ । ଓଡ଼ିଶା ଡେପଲପମେଣ୍ଟ ଆକ୍ଟ ଓ ୟୁଆରଡିପିଏଫ୍‌ଆଇ ଗାଇଡଲାଇନ ଅନୁସାରେ ଏହାକୁ ପ୍ରସ୍ତୁତ କରାଯିବ । ବର୍ଷକ ଭିତରେ ସିଡିପି ପ୍ରସ୍ତୁତ ପ୍ରକ୍ରିୟା ସାରି ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅମୃତ ୨ ଅଧୀନରେ ୭ଟି କ୍ଲାସ୍‌-୨ ସହରର ସିଡିପି ପ୍ରସ୍ତୁତ ହେବ । ଏଜେନ୍ସି ଚୟନ ପାଇଁ ଗତ ତାରିଖରେ ଏଥିପାଇଁ ପ୍ରି ବିଡ୍‌ ବୈଠକ ବସିଥିଲା । ୬ଟି ନାମୀ ଏଜେନ୍ସି ଏଥିରେ ଭାଗ ନେଇଥିଲେ । ବିଡ୍‌ ପ୍ରକ୍ରିୟା ସରିବା ପରେ ସିଡିପି କାମ ଆରମ୍ଭ ହୋଇଯିବ । ସେହିଭଳି ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓରସାକ୍‌) ଏଥିପାଇଁ ଟେକ୍ନିକାଲ ତଥ୍ୟ ଯୋଗାଇ ଦେବ । କାଡାଷ୍ଟ୍ରାଲ ମ୍ୟାପ୍‌ର ତଥ୍ୟ ଦେବା ସହ ହାଇ ରିଜୋଲ୍ୟୁସନ୍‌ ସାଟେଲାଇଟ୍‌ ଇମେଜ୍‌ ପ୍ରଦାନ କରିବ । କେଉଁ ଜମି ଖାଲି ଅଛି, କେଉଁଠି କେଉଁ ନିର୍ମାଣ ଅଛି, ଭୂତଳ ଜଳ ତଥ୍ୟ, ଲ୍ୟାଣ୍ଡ ୟୁଜ୍‌ ଡାଟା, ଜିଓସ୍ପାଟିଆଲ ଡାଟାବେସ୍‌ ସହିତ ସମସ୍ତ ସାଟେଲାଇଟ୍‌ ଇମେଜ୍‌ ଦେବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.